ପାଟଣାଗଡ଼ ନିର୍ବାଚନୀ ମାମଲାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କଲେ ହାଇକୋର୍ଟ
ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନୀ ମାମଲାରେ ହାଇକୋର୍ଟ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କରିଛନ୍ତି । ନାମାଙ୍କନ ପତ୍ରର ସାର୍ଟିଫାଏଡ୍ କପି, ଶ୍ରୀ ସିଂହଦେଓ ଓ ପରାଜିତ ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ଫର୍ମ ନମ୍ବର-୨୬, ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଫର୍ମ ନମ୍ବର ୨୦ର କପି ପ୍ରଦାନ କରିବାକୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ପ୍ରଦାନ ପାଇଁ ନିବେଦନ କରି ଏହି ଅନ୍ତରୀଣ ଆବେଦନ ଦାଏର କରାଯାଇଥିଲା । ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟରେ ବିଚାରାଧୀନ ନିର୍ବାଚନୀ ମକଦ୍ଦମାରେ ଦାଖଲ କରାଯିବାକୁ ଥିବା ଜବାବ ପ୍ରସ୍ତୁତ ପାଇଁ ଏହି ସବୁ ନଥିପତ୍ରର କପି ଆବଶ୍ୟକା ଏଥିପାଇଁ ସେ ନିଜ ଓକିଲଙ୍କ ମାଧ୍ୟମରେ ସୂଚନା ଅଧିକାର ଆଇନ ବଳରେ ଦରଖାସ୍ତ କରିଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟର ସୂଚନା ଅଧିକାରୀ ଏହି ସବୁ ନଥିପତ୍ରର କପି ପ୍ରଦାନ ପାଇଁ ମନା କରିଥିଲେ । ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା ଯେ ବିଚାରାଧୀନ ମୂଳ ନିର୍ବାଚନୀ ମକଦ୍ଦମାରେ ବଲାଙ୍ଗିର ଜିଲ୍ଲାପାନ ପକ୍ଷ ନୁହନ୍ତି । ଏହାପରେ ହାଇକୋର୍ଟ ଶ୍ରୀ ସିଂହଦେଓଙ୍କ ଅନ୍ତରୀଣ ଆବେଦନକୁ ଖାରଜ କରିଛନ୍ତି । ଏଥି ସହିତ ଶ୍ରୀ ସିଂହଦେଓଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ଦାଏର କରିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୩କୁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ମେହେରଙ୍କ ତରଫରୁ ଦାଏର ମାମଲାରେ ଦର୍ଶାଯାଇଛି ଯେ ଶ୍ରୀ ସିଂହଦେଓ ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରେ ନିଜ ସ୍ଥାବର, ଅସ୍ଥାବର ସଂପତ୍ତି ଠିକ୍ ତଥ୍ୟ ଦେଇ ନ ଥିଲେ । ସଂପତିର ବର୍ତ୍ତମାନର ମୂଲ୍ୟ ଉଲ୍ଲେଖ କରାଯାଇ ନଥିଲା । ଏଥି ସହିତ ତାଙ୍କ ବିରୋଧରେ ବିଚାରାଧୀନ ଥିବା ଫୌଜଦାରୀ ମାମଲା ସଂପର୍କିତ ସବିଶେଷ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରି ନାହାନ୍ତି । ଫୌଜଦାରୀ ମାମଲାଗୁଡ଼ିକର ସତ୍ୟପାଠରେ ତଥ୍ୟ ନାହିଁ । ତାଙ୍କ ବ୍ୟାଙ୍କ ଖାତାରେ ଥିବା ଅର୍ଥ ସଂକ୍ରାନ୍ତରେ ଓ ଗତ ୫ ବର୍ଷର ଆୟକର ରିଟର୍ଣ୍ଣ ପ୍ରସଂଗରେ ଶ୍ରୀ ସିଂହଦେଓ ସତ୍ୟପାଠରେ ସବୁ ତଥ୍ୟ ଦେଇ ନାହାନ୍ତି । ଏଭଳି ସ୍ଥିତିରେ ଜନ ପ୍ରତିନିଧି ଆଇନ ଅନୁସାରେ ଶ୍ରୀ ସିଂହଦେଓଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ମାମଲାରେ ଜବାବ ଦାଖଲ ପାଇଁ ଶ୍ରୀ ସିଂହଦେଓଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ । ଏହାପରେ ସେ ଜବାବ ଦାଖଲ ପାଇଁ ଅଧିକ ମହଲତ ଲୋଡ଼ିଥିଲେ । ଏଥି ସହିତ ଏହି ଅନ୍ତରୀଣ ଆବେଦନ ଦାଏର କରିଥିଲେ ।