ତାମ୍ପରା ଭାରତ ଓ ଆନ୍ତର୍ଜାତୀୟ ସ୍ତରରେ ପର୍ୟ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ପାଇବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା, ମୁହାଣ, ସମୁଦ୍ର ଏବଂ ଅନେକ ନଦୀ ଓ ହ୍ରଦ ଗୁଡିକର କ୍ରିୟାଶୀଳ, ବିକାଶମୁଖୀ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି । ଏହି ଜିଲ୍ଲାରେ ପ୍ରାଚୀନ କାରୁକାର୍ୟ୍ୟ, ଜିଲ୍ଲାରେ ରହିଥିବା ପ୍ରାଚୀନ ଜଗନ୍ନାଥମନ୍ଦିର ସଂସ୍କୃତିର ପୂନଃରୁଦ୍ଧାର କରି ସୌନ୍ଦର୍ୟ୍ୟକରଣ କରାଯିବ । ଶରଣ ଶ୍ରୀକ୍ଷେତ୍ର ଓ ପାତଳୀ ଶ୍ରୀକ୍ଷେତ୍ରର ପୂନଃରୁଦ୍ଧାର କରି ନୂତନ ପର୍ୟ୍ୟଟନ ସ୍ଥଳରେ ପରିଣତ କରାଯାଇ ସୁବିଖ୍ୟାତ ଦର୍ଶନୀୟ ସ୍ଥଳ ଭାବେ ପରିଣତ କରାଯିବା । ଏଥି ନିମନ୍ତେ ଏକ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପ୍ରଦାନ କରାଯିବ ଏବଂ ପ୍ରାକୃତିକ ସମ୍ପଦଭରା ସୌନ୍ଦର୍ୟ୍ୟ ଦିଗରେ ପ୍ରଗତିଶୀଳ ପର୍ୟ୍ୟଟନସ୍ଥଳ ଭାବେ ତାମ୍ପରା ହ୍ରଦକୁ ଭାରତ ଓ ଆନ୍ତର୍ଜାତୀୟ ସ୍ତରରେ ପର୍ୟ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ପାଇବ – ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟରୁ ସୂର୍ୟ୍ୟଦୋୟ କହିଲେ ଏହି ତାମ୍ପରା ହ୍ରଦ କୂଳରୁ ହିଁ ଓଡ଼ିଶାର ବିକାଶ ହେବ ବୋଲି ନିଜସ୍ୱ ବକ୍ତବ୍ୟରେ ଓଜସ୍ୱିନୀ ସମ୍ଭାଷଣ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଠାରୁ ମାତ୍ର ଦୁଇ କିମି ଦୂର ପୂର୍ବଦିଗରେ ଅବସ୍ଥାପିତ ମଧୁରଜଳ ହ୍ରଦ ସୁଶୋଭିତ “ତାମ୍ପରା” ପରିସରରେ ନୂତନ ପ୍ରକଳ୍ପ ଲେକ୍ – ଭିଉ ପାର୍କର ଅନୁଷ୍ଠାନିକ ଭାବେ ଇତି ମଧ୍ୟରେ ଲୋକାର୍ପଣ ହୋଇଯାଇଛି । ଏହି ପ୍ରାକୃତିକ ମନୋରମ ପରିବେଶ ଭରା ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ (ପ୍ରାକୃତିକ ବାଷ୍ପ, ତୈଳ, ଖଣିଜ ବିଭାଗ ) ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ସମ୍ପଦ, ପ୍ରାକୃତିକ ପରିବେଶ, ସବୁଜିମା ଏକ ନିଆରା, ପ୍ରକୃତିର ଅନବଦ୍ୟ ଦାନ ବୋଲି କହିଥିଲେ । ଏହାର ସଂରକ୍ଷଣ, ଉପଯୋଗ, ବିନିଯୋଗ ପାଇଁ କେନ୍ଦ୍ର ସରକାର ଦୃଷ୍ଟିପାତ କରିଛନ୍ତି ବୋଲି ସୂଚାଇଛନ୍ତି । ଏହି ଉଦଘାଟନୀ ସମାରୋହରେ କେନ୍ଦ୍ର ପର୍ୟ୍ୟଟନ ବିଭାଗର ବିଶାଲ କୁମାର ଦେବ, ରାଜ୍ୟପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡ଼ି, ବ୍ରହ୍ମପୁର ଉପଜିଲ୍ଲାପାଳ, ବିଡିଏ କର୍ତ୍ତୃପକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବର୍ଣାଢ଼ ସମାବେଶରେ ବହୁସଂଖ୍ୟାରେ ବିଜେପି କର୍ମୀ, ଏବଂ ଅର୍ଦ୍ଧେକ ସଂଖ୍ୟକ ବିଜେଡି କର୍ମୀଙ୍କ ସମାବେଶ ହୋଇଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.