jayashree

ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ପରଲୋକ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଓଡ଼ିଶା ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏବର ବରଗଡ଼ ଜିଲ୍ଲାର ସତଲମା ଗାଁରେ ଜନ୍ମିତ ସୁଦାମ ଚରଣ ଦାଶଙ୍କ ପିତା ଥିଲେ ଦିବଂଗତ ସ୍ଵାଧୀନତା ସଂଗ୍ରାମୀ ଅରୁଣ ଦାଶ । ଛୋଟ ବେଳୁ ନିଜର ମେଧା ପାଇଁ ପରିଚିତ ଥିଲେ ସୁଦାମ ଚରଣ ଦାଶ । ଖୁବ କମ ବୟସରୁ ସେ ଗୁରୁଙ୍କ ମାର୍ଗଦର୍ଶନରେ ଡେରାଡୁନର ଫରେଷ୍ଟ ଅଫିସର୍ସ ଟ୍ରେନିଂ ସେଣ୍ଟରରୁ ସଫଳତା ସହ ଉତ୍ତିର୍ଣ୍ଣ ହୋଇ ଓଡ଼ିଶା ଫରେଷ୍ଟ କର୍ପୋରେସନରେ ଯୋଗ ଦେଇଥିଲେ । ତାଙ୍କ ଚାକିରି କାଳରେ ସେ ଅନେକ ଆଦିବାସୀ ଜନଜାତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉନ୍ନତିମୂଳକ କାର୍ୟ୍ୟକ୍ରମ ହାତକୁ ନେଇଥିଲେ । ସେ କେନ୍ଦୁପତ୍ର ତୋଳାଳୀଙ୍କ ମଜୁରୀ ବୃଦ୍ଧି ପାଇଁ ଉଦ୍ୟମ କରିଥିଲେ । ଅଶି ଦଶକରେ ସେ ଜୟପୁରର କେନ୍ଦୁପତ୍ର ଡିଭିଜନାଲ ମ୍ୟାନେଜର ଥିବା ବେଳେ ମାଓବାଦୀମାନେ ପତ୍ର ଚୋରି କରିଛନ୍ତି ବୋଲି ଅଭିଯୋଗ କରିଥିଲେ ତାଙ୍କ ଅଧସ୍ତନ କର୍ମଚାରୀ । ସରକାର ମାଓବାଦୀଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ । ମାଓବାଦୀଙ୍କ ପ୍ରସ୍ତାବ ଥିଲା, ସେମାନେ ଆଲୋଚନା କରିବେ ତ କେବଳ ଡିଭିଜନାଲ ମ୍ୟାନେଜର ସୁଦାମ ଚରଣ ଦାଶଙ୍କ ସହ । କାହିଁକିନା ବାକି ସବୁ ଅଫିସର ସେମାନଙ୍କ ପାଇଁ ଭଲ ଅଫିସର ନଥିଲେ । ସରକାର ରାଜି ହୋଇ ତାଙ୍କୁ ମାଓବାଦୀଙ୍କ ସହ ଆଲୋଚନା କରିବାକୁ ପଠେଇଥିଲେ । ମାଓବାଦୀଙ୍କ ଗାଡି ଆସି ଆଖିରେ କଳାପଟି ବାନ୍ଧି ନେଇଯାଇଥିଲା ସୁଦାମ ଚରଣ ଦାଶଙ୍କୁ । ଗୋଟେ ବଡ ଗ୍ରାନାଇଟ ପଥର ଉପରେ, ଅଖିଆ ଅପିଆ ଦୀର୍ଘ ସମୟ କଥାବାର୍ତ୍ତା ପରେ ମାଓବାଦୀଙ୍କ ଦୁଃଖ, ଦୈନ୍ୟତାକୁ ସେ ବୁଝି ସବୁ ସରକାରଙ୍କୁ କହିବେ ବୋଲି ଭରସା ଜନ୍ମେଇ ପାରିଥିଲେ । ମାଓବାଦୀ ମାନେ କହିଥିଲେ ସେମାନେ ଦଶ ବସ୍ତା କେନ୍ଦୁପତ୍ର ଚୋରି କରିଛନ୍ତି, ଅଥଚ ଚୋର ଷ୍ଟାଫ୍ ତାଙ୍କ ନାଁରେ ଶହେ ବସ୍ତା ଚଢ଼େଇ ଦେଇଛନ୍ତି । ସୁଦାମ ଚରଣ ଦାଶଙ୍କୁ ଆଗରୁ ମଧ୍ୟ ଷ୍ଟାଫଙ୍କ ଉପରେ ଭରସା ନଥିଲା । ସେ ପ୍ରମାଣ ସହ ଫେରି, ଷ୍ଟାଫଙ୍କୁ ସୁଧାରିବା ଯାଏଁ ବିଶ୍ରାମ ନେଇ ନଥିଲେ । ସରକାର ଆଉ ମାଓବାଦୀ ଉଭୟଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ।

ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେ ବଲାଙ୍ଗୀର ପ୍ୟାଲେସ ଲାଇନରେ ନିଜ ଘରେ ରହୁଥିଲେ । ଅବସର ସମୟରେ ନିଜକୁ ଭଗବତ୍ ଚର୍ଚ୍ଚାରେ ମଗ୍ନ ରଖୁଥିଲେ । ଚିନ୍ମୟ ମିଶନର ସ୍ବାମୀଙ୍କୁ ଡାକି ସାପ୍ତାହିକ କାର୍ୟ୍ୟ କ୍ରମରେ ନିୟୋଜିତ ରହୁଥିଲେ । ଏହି ସଚ୍ଚୋଟ ମଣିଷ ଆଜି ସକାଳେ ଉଠି ନିଜ ନିତ୍ୟକର୍ମ ପୂଜା ପାଠ ସବୁ କରିସାରିବା ପରେ ,ସାନ ବୋହୂ ସଂଧ୍ୟା ଦାଶ କ୍ଷୀର ପିଇବାକୁ କହିଥିଲେ । ପାଞ୍ଚ ମିନିଟ୍ ଯାଉ କହି ଖଟରେ ଗୋଟିଏ ହାତରେ ଭାଗବତ ଧରି ବସିଥିଲେ । ଘରଲୋକ ପାଞ୍ଚ ମିନିଟ୍ ପରେ ଯାଇ ଦେଖିଲେ ସେ ଆଉ ନାହାନ୍ତି । ପରିବାର ଲୋକଙ୍କ ସହ ତାଙ୍କର ଭଗବତ ପ୍ରେମୀ ସାଥୀମାନେ ଘଟଣାରେ ସ୍ତବ୍ଧ ହୋଇ ଯାଇଛନ୍ତି ।

ବଡ଼ଝିଅ ଜ୍ୟୋତ୍ସ୍ନା ମିଶ୍ର, ବାଙ୍ଗାଲୋରରେ ହାଲ୍‌ରେ କାର୍ୟ୍ୟ କରୁଥିବା ଜ୍ବାଇଁ ଯତୀନ୍ଦ୍ର ମିଶ୍ର , ବଡନାତି ଅଭିଷେକ ମିଶ୍ର ବାଙ୍ଗାଲୋରରୁ ରାତି ଗୋଟାଏ ସୁଦ୍ଧା ପହଞ୍ଚିବା ପରେ ତାଙ୍କ ଅନ୍ତିମ ଯାତ୍ରା ବଲାଙ୍ଗୀର ପ୍ୟାଲେସ ଲାଇନର ଘରୁ ଆରମ୍ଭ ହେବ ବୋଲି ଜଣାପଡିଛି । ପାଖଲୋକ କହୁଛନ୍ତି, ଜଣେ ଦେବପୁରୁଷଙ୍କ ସାନିଧ୍ୟ ଲାଭରୁ ଆଜିଠୁ ସେମାନେ ବଞ୍ଚିତ ହେଲେ ।

Leave A Reply

Your email address will not be published.