ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଅୟମାରମ୍ଭ ଅନେକଙ୍କୁ ବିକାଶର ସ୍ୱପ୍ନ ଦେଖିବାକୁ ସୁଯୋଗ ତିଆରି କରିଥିବା ବେଳେ ପାହାଡ଼ ଶିଖରରେ ରହିଥିବା ମଣିଷ ମାନେ ନିଜର ଯୁଗ ଯୁଗର ଭିଟାମାଟି, ସବୁଜ ଜଙ୍ଗଲ, ନିଜର ଚିର ଆରାଧ୍ୟା ମାଟି, ଦେବତା ଓ ଜୀବନ ଜୀବିକାର ମାଧ୍ୟମକୁ ହରେଇବାର କଷ୍ଟ ଆତଙ୍କିତ କରିଥିଲା । ତଥାପି ଅନ୍ୟର ମଙ୍ଗଳ କାମନା କରି କୋହ ଓ ଲୁହକୁ ଜାକି ଏକ ଅନିର୍ଦ୍ଧିଷ୍ଟ ଯାତ୍ରାରେ ବାସଚ୍ୟୁତ ହେବାକୁ ପଡ଼ିଲା । ପରିଶେଷରେ ସରକାରୀ ନିୟମ କାନୁନ ମଧ୍ୟରେ ୭୪ ଖଣ୍ଡ ଗ୍ରାମର ୬୧୩୩ ପରିବାରଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଲା । ଆର୍ଥିକ କଷ୍ଟ ମଧ୍ୟରେ ଜନ୍ମ ମାଟି ଖାଲି କରିବାକୁ ପଡୁଥିବା ଲୋକେ ଶେଷରେ ଜଳଭଣ୍ଡାର ପରିଧି ମଧ୍ୟରେ ପାହାଡି କ୍ଷେତ୍ର ମାନଙ୍କରେ ପୁଣି ଥରେ ଗ୍ରାମର ସେହି ପୁରୁଣା ନାମକୁ ନେଇ ନୂତନ ଗାଁ ବସାଇବାକୁ ବାଧ୍ୟ ହେଲେ । କାହିଁକି ନା ସେତେବେଳର ସାମାନ୍ୟତମ ସରକାରୀ ସହାୟତା ନୂତନ ଜୀବନ ଧାରଣ ପାଇଁ ସମୁଦ୍ରକୁ ସଂଖେ ପାଲଟି ଥିଲା । ୧୯୯୯ ମସିହାରେ ୧୧୦ ବର୍ଗ କିମି ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳ ଭଣ୍ଡାର ସୃଷ୍ଟି ହେବା ପରେ ବିଭିନ୍ନ ଟାପୁ ମାନଙ୍କରେ ରହିଥିବା ଲୋକଙ୍କ ପାଇଁ ପ୍ରଥମ କରି ସାମାଜିକ ଓ ଅର୍ଥନୀତି ଉପରେ ଗଭୀର ଛାପ ପଡ଼ିବା ଆରମ୍ଭ ହେଲା । ପରବର୍ତ୍ତୀ ଅବସ୍ଥାରେ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ଆଦି ମୌଳିକ ଅଧିକାର ମଧ୍ୟ ଅପହଞ୍ଚ ପାଲଟିବାରେ ଲାଗିଲା । ସେମାନଙ୍କ ପାଇଁ ଆରମ୍ଭ ହେଲା ଏକ ଅନିଶ୍ଚିତ ଜୀବନ ଯାତ୍ରା । ଅନେକ ସମୟରେ ସେମାନଙ୍କ ପାଇଁ କାଠ ଡଙ୍ଗା ହିଁ ଜୀବନ ରେଖା ପାଲଟିଲା । ଡାଇରିଆରେ ମୃତ୍ୟୁ କ୍ରମାଗତ ଡଙ୍ଗା ବୁଡି ଲୋକଙ୍କ ଜୀବନ ଧାରଣର ମାନସିକତାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିଦେଲା । ଲୋକଙ୍କ ମଧ୍ୟରେ ଆଶା ସଂଚାର କଲାଭଳି ସାମାନ୍ୟ ଆଶ୍ଵାସନା ମନୋବଳ ଟିକକୁ ଦୃଢ଼ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟର ପ୍ରତାରଣା ପୁଣି ଥରେ ସେମାନଙ୍କୁ ଏକ ଅନ୍ଧାର ଗହ୍ଵର ଭିତରକୁ ଟାଣି ନେଇଥିଲା । ଥୁଆମୂଳ ରାମପୁର ବ୍ଲକର ଭୌଗୋଳିକ ପରିସୀମାକୁ ଦୁଇଭାଗରେ ବାଣ୍ଟୁଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରେ ଏକ ସେତୁ ନିର୍ମାଣ ପାଇଁ ୨୦୧୪ ମସିହାରୁ ପ୍ରସ୍ତୁତି ଆରମ୍ଭ ହେଲା । ୨୦୨୨ ମସିହାରେ ଚୁକ୍ତି ସ୍ୱାକ୍ଷରିତ ହୋଇ ୫୪.୯୯ କୋଟିର କାର୍ଯ୍ୟ ଆରମ୍ଭ ହେବା ସହିତ ୨୦୨୪ ମସିହାରେ ସେତୁ ପୂର୍ଣ୍ଣାଙ୍ଗ ହେବାର ପରିକଳ୍ପନା କରାଯାଇଥିଲା । କିନ୍ତୁ ସମୟ ସ୍ରୋତରେ ସବୁକିଛି ଦୂରେଇ ଗଲା । ଏବେ ନିର୍ମାଣ ସ୍ଥଳୀରେ କାହାର ଦେଖା ମିଳୁ ନଥିବା ଲୋକଙ୍କ ଆଶଙ୍କାକୁ ବଢ଼ାଇବାରେ ଲାଗିଲାଣି । ଠିକ୍ ସେହିପରି ଡି. ଚେପଟା ଘାଟରୁ କେ. ଚେପଟା ଘାଟ ପର୍ଯ୍ୟନ୍ତ ସଡକ ସଂଯୋଗ ପାଇଁ ଗୋଲାଗାଢ଼ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଟେଣ୍ଡର ଚୁଡାନ୍ତ କରାଗଲା । କିନ୍ତୁ ଏଥି ମଧ୍ୟରେ ଚାରି ବର୍ଷ ବିତି ଯାଇଥିଲେ ମଧ୍ୟ ସେତୁ ନିର୍ମାଣ ପ୍ରକ୍ରିୟା ମୂଳଦୁଆରେ ହିଁ ଅଟକି ରହିଥିବା ଦେଖିବାକୁ ମିଳୁଛି । ଏହା ପୂର୍ଣ୍ଣାଙ୍ଗ ହୋଇ ପାରିଥିଲେ ପୋଡ଼ାପଦର ପଞ୍ଚାୟତର ୧୬ଟି ଜଳବନ୍ଦୀ ଗ୍ରାମ ପାଇଁ ସଂଯୋଗ ବ୍ୟବସ୍ଥା ହେବା ସହିତ ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ସାଙ୍ଗରେ ସଂଯୋଗ ହେଇ ପାରିଥାନ୍ତା । ଏହି ସବୁ ମୂଳ ଆବଶ୍ୟକତା ଲୋକଙ୍କ ପାଇଁ ମରୀଚିକା ପାଲଟି ସାରିଥିବା ବେଳେ ଏବେ ଲୋକେ ଏହା ସରକାରଙ୍କ ବିକାଶ ନାମରେ ପ୍ରତାରଣା ବୋଲି କହିବା ଆରମ୍ଭ କରିଦେଲେଣି ।