ଅଗ୍ରଣୀ ମହିଳାନୁଷ୍ଠାନ “ସ୍ୱୟପ୍ରଭା” ଆନୁକୂଲ୍ୟରେ ବିଶିଷ୍ଟ ଆଇନଜୀବୀ ଶୈଳବାଳା ପୂଜାରୀଙ୍କ ପୁଣ୍ୟଃତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳାନୁଷ୍ଠାନ “ସ୍ୱୟଂପ୍ରଭା” ଆନୁକୂଲ୍ୟରେ ବାସନ୍ତି କଲୋନୀ ସ୍ଥିତ ‘ଚେତନାଭାବନ’ଠାରେ ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ଆଇନଜୀବୀ ବିଶିଷ୍ଟ ସମାଜସେବୀ ଓ ସାହିତ୍ୟିକାଙ୍କ ଅଷ୍ଟମ ପୁଣ୍ୟତିଥି ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାନେତ୍ରୀ ଡକ୍ଟର କିଶୋରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏ ଶ୍ରଦ୍ଧାଞ୍ଜଳି ସଭାରେ ବରେଣ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ସମ୍ମିଳନୀ ରାଉରକେଲା ଶାଖାର ସଭାପତି ସୁଦାମ ଦାଶ, ରାଉରକେଲା ବାର ଆସୋସିଏସନ୍‌ର ଉପସଭାପତି ସଦାନନ୍ଦ ସାହୁ, ଶିକ୍ଷାବିତ୍ ମଞ୍ଜୁଳା ରଥ, ମାନସିକ ଅନଗ୍ରସରଙ୍କ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ଶ୍ରଦ୍ଧା’ର ସଭାପତି ପଶୁପତିନାଥ ଚାଟାର୍ଜୀ ଓ ଆଇନଜୀବୀ ତୁଷାର ସାହୁ ପ୍ରମୁଖ ସ୍ୱର୍ଗତା ଶୈଳବାଳାଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତା ପୂଜାରୀ ଜଣେ ପରମ୍ପରାବାଦୀ ହୋଇ ସୁଦ୍ଧା ମାନସିକ ସ୍ତରରେ ଅତ୍ୟାଧୁନିକା ହୋଇ ନାରୀ ଜାତି ତଥା ସମାଜର ଦଳିତ ବର୍ଗଙ୍କ ପାଇଁ ନିର୍ଭିକ ଭାବେ ଲଢ଼ୁଥିଲେ ଓ ମାନବିକତାକୁ ଆଧାର କରି ଓକିଲାତି କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମାଜସେବା ଭାବି କାର୍ଯ୍ୟ କରୁଥିଲେ, ତାହା ନିଜ ବକ୍ତବ୍ୟରେ ଅତିଥିମାନେ ପ୍ରକାଶ କରିଥିଲେ । ଶୈଳବାଳା ପୂଜାରୀଙ୍କ ଦାନ ରାଉରକେଲା କେବେ ସ୍ୱିକାର କରି ପାରିବ ନାହିଁ କି ଆଉ ଜଣେ ସେଭଳି ସର୍ବଗୁଣ ସମ୍ପନ୍ନା ବ୍ୟକ୍ତିତ୍ୱ ଏ ମାଟିରେ ଜନ୍ମଲାଭ କରିବେ ବୋଲି ବିଶ୍ୱାସ ନାହିଁ ବୋଲି ମଧ୍ୟ ମତାମତ ଦେଇଥିଲେ । ତାଙ୍କୁ ସ୍ମୃତିରେ ଉଜ୍ଜୀବିତ କରି ରଖିବା ପାଇଁ ଉଦିତନଗର ପୁରୁଣା କୋର୍ଟ ପାଖ ଓକିଲ ପଡ଼ାର ଗଳିକୁ ଶୈଳବାଳା ଲେନ ନାମରେ ନାମିତ କରିବାକୁ ମଧ୍ୟ ଅତିଥିମାନେ ମତ ଦେଇଥିଲେ । ଶେଷରେ ସମାଜସେବୀ ରଜନୀକାନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ଆଇନଜୀବୀ ଜସ୍ମିତା ପ୍ରଧାନ, ଉପେନ୍ଦ୍ର ବଘାର, ପୁରୁଷୋତ୍ତମ କୁମ୍ଭାର, ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ର ଲୋକ ସଂପର୍କ ଅଧିକାରୀ ଅକ୍ଷୟ କୁମାର ଧଳ ଓ ରଶ୍ମିରେଖା ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସକ୍ରିୟ ଯୋଗଦାନ କରିଥିଲେ ।

Leave A Reply

Your email address will not be published.