ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ତଥା ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଥିବାରୁ ଅନେକ ଆନ୍ଦୋଳନ, ଦାବୀ ପରେ ବ୍ରିଜ ନିର୍ମାଣ ପାଇଁ ୧୯୯୨ ମସିହାରେ ପ୍ରଥମ ଶୁଭ ପଡ଼ିଥିଲା । ହେଲେ ରାଜନୈତିକ ଛକାପଞ୍ଝା ଭିତରେ ରହି ୨୦୨୧ ମସିହା ଫେବୃଆରୀ ମାସରେ କାମ ସମ୍ପୂର୍ଣ୍ଣ ହୋଇ ସାରିଛି । କିନ୍ତୁ ଲୋକଙ୍କ ପାଇଁ ଏବେ ବି ଅପେକ୍ଷାରେ ଅନ୍ତ ଘଟି ନାହିଁ । ଲୋକେ ଆଶା କରିଥିଲେ ମାର୍ଚ୍ଚ ମାସରୁ ଲୋକଙ୍କ ଯାତାୟାତ ପାଇଁ ବ୍ରିଜ ଟି ଖୋଲିବ ହେଲେ ଏବେବି ଏହା ଆଶଙ୍କାରେ ରହିଛି । କାରଣ ଏଥି ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବେ ଏବଂ ଉଦ୍ଘାଟନ କରିବେ । ସେତେ ଦିନ ପର୍ୟ୍ୟନ୍ତ ଲୋକଙ୍କୁ ଅପେକ୍ଷାରେ ରହିବାକୁ ପଡିବ । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗୋଟିଏ ପଟେ ସହରରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ଆଉ ଏବେ ବି ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଛି । ଅଣ୍ଡରବ୍ରିଜ ରହିଛି ସତ। ହେଲେ ସାମାନ୍ୟ ବର୍ଷା ହେଲେ ଅଣ୍ଟାଏପାଣିରେ ଭରି ରହୁଛି । ପୁଣି ଅଣ୍ଡରବ୍ରିଜରେ ବି କାହିଁ କେତେ ଭିଡ଼ ରହୁଛି । ଓଭର ବ୍ରିଜକୁ ସାର୍ଵଜନୀନ କରାଗଲେ ସହରରେ ଅନେକ ଟ୍ରଫିକସମାସ୍ୟାର ସମାଧାନ ହୋଇ ପାରନ୍ତା । ହେଲେ ଏଥିପାଇଁ କାହାରି ଚିନ୍ତା ନାହିଁ । ଅତୀତରେ ବଡ଼ ବଡ଼ ଦୁର୍ଘଟଣା ମାନ ଘଟି ବହୁ ମୂଲ୍ୟବାନ ଜୀବନ ବି ଯାଇଛି। ଗତ କିଛି ଦିନ ତଲେ ଓଭର ବ୍ରିଜ ତଲେ ପରିବା ବ୍ୟବସାୟୀଙ୍କ ଉପରକୁ ଗାଡି ବି ମାଡ଼ିଗଲା । ଅନେକ ଲୋକ ଆହତ ହେଲେ ଜଣଙ୍କର ଜୀବନ ବି ଚାଲିଗଲା । ହେଲେ ଆଜି ବି ଓଭର ବ୍ରିଜ ଟି ଖୋଲିପାରି ନାହିଁ । ଯାହାକୁ ନେଇ ଟିଟିଲାଗଡ଼ ଭାଜପା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।ଆଜି ଟିଟିଲାଗଡ ଭାଜପା ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଆଲୋକ ନାୟକ, ନରସିଂହ ସିଂ ଓ ଅନ୍ୟାନ୍ୟ ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖରେ ବ୍ରିଜର ଆରମ୍ଭରେ ଆନ୍ଦୋଳନ କରିଥିଲେ । ଟିଟିଲାଗଡ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଶୀଘ୍ର ବ୍ରିଜକୁ ଖୋଲିବା ପାଇଁ ଦାବୀ କରିଥିଲେ। ମୁଖ୍ୟ ମନ୍ତ୍ରୀ ଯେବେ ଆସିବେ ସେବେ ରାଜନୈତିକ ଦୃଷ୍ଟିରୁ ଉଦଘାଟନ କରିବେ କିନ୍ତୁ ବର୍ତ୍ତମାନ ସହର ବାସୀ ଓ ଯାତ୍ରୀଙ୍କ ଚଳାଚଳ ପାଇଁ ଶୀଘ୍ର ବ୍ରିଜ ଖୋଲା କରିବାପାଇଁ ଦାବୀ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ କାର୍ୟ୍ୟକ୍ଷମ କରାନଗଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।
Prev Post
Next Post