କରୋନା ସତ୍ୱେ ନୂଆଁଖାଇ ପରମ୍ପରା ବଜାୟ ରଖିବେ ଜଲିଆ ଗ୍ରାମବାସୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଜଲିଆ ଗ୍ରାମ ଏହାର ରୀତି ନୀତି ପରମ୍ପରା ପାଇଁ ବେଶ୍‌ ଜଣାଶୁଣା । ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା ଏ ଅଂଚଳର ମହାନ୍‌ ପର୍ବ ନୂଆଁଖାଇକୁ ଏମାନେ ନିଆରା ଢଙ୍ଗରେ ପାଳନ କରନ୍ତି । ଗାଁ ସାରା ଶତାଧିକ ପରିବାର ଏକ ହୋଇ ପାଳନ କରନ୍ତି ନୂଆଁଖାଇ । କିନ୍ତୁ ଏଥର ସ୍ଥିତି ଭିନ୍ନ । କୋଭିଡ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରିବାକୁ ସମସ୍ତେ ବାଧ୍ୟ । କିନ୍ତୁ ତା ସତ୍ତେ୍ୱ ମଧ୍ୟ ନୂଆଁଖାଇର ପରମ୍ପରାକୁ ଜଲାଇ ଗ୍ରାମ ବଜାୟ ରଖିବ ବୋଲି ଗଅଁତିଆ ଲଳିତ ମୋହନ ବୁଡେ଼କଙ୍କ ନେତୃତ୍ୱରେ ଆଜି ଏକ ସଭା ଅନୁଷ୍ଠିତ ହୋଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପ୍ରତିବର୍ଷ ଗାଁରେ ଗ୍ରାମବାସୀ ନୂଆଁଖାଇ ପାଳନ କରନ୍ତି । ରୀତିନୀତି ମୁତାବକ ପୂଜାପାଠ କରାଯାଇ ଶତାଧିକ ପରିବାର ଏକା ସଂଗରେ ଗାଁର ମୁଖ୍ୟଠାରୁ ନୂଆଁ ଗ୍ରହଣ କରନ୍ତି । କିନ୍ତୁ ଏବେ ସାରା ଦେଶ କରୋନାରେ ଗ୍ରସିତ ଓ ଦେଶବାସୀ କୋଭିଡ଼ ନିୟମରେ ବନ୍ଧା । ତେଣୁ ସମାଜ ଓ ଦେଶ ପ୍ରତି ନିଜର କର୍ତ୍ତବ୍ୟ ମୁତାବକ ଜଲିଆ ଗ୍ରାମବାସୀ ଏକ ସଂଗେ ବସି ନବାନ୍ନ ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି । କିନ୍ତୁ ନୂଆଁଖାଇ ଦିନ ସକାଳୁ ଗ୍ରାମର ଗଅଁତିଆ ପରମ୍ପରା ମୁତାବକ ଘରକୁ ଘର ବୁଲି ନୂଆଁ ଚୁରା କୁଣ୍ଡା ବାଂଟିବେ ଓ ସମସ୍ତ ଗ୍ରାମବାସୀ ଗୋଟିଏ ସମୟରେ ନବାନ୍ନ ଭକ୍ଷଣ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆହୁରି ୫୦୦୦ ଜନସଂଖ୍ୟା ବିଶିଷ୍ଟ ଜଲିଆ ଗ୍ରାମବାସୀ ସମସ୍ତେ ନିଜେ ଘରେ ଥାଇ ଗାଁ ଗଅଁତିଆଙ୍କ ଠୁ ପ୍ରସାଦ ଭକ୍ଷଣ କରିବା ପରେ ଗଅଁତିଆ ଗାଁ ଓ ଦେବୀଙ୍କଠୁ ତଥା ଗୁରୁଜନମାନଙ୍କ ଠୁ ଆଶୀର୍ବାଦ ନେବେ । କିନ୍ତୁ ଗାଁର ଏ ପୁରୁଣା ପରମ୍ପରାକୁ ଭାଂଗିବାକୁ ଦେବେ ନାହିଁ ବୋଲି ସମସ୍ତେ ଏକଜୁଟ ହୋଇ ମତବ୍ୟକ୍ତ କରିଛନ୍ତି । ଏହି ସଭାରେ ଗାଁର ଲଳିତ ମୋହନ ରାଉତ, ଟିକ୍‌ଚନ ମଲ୍ଲିକ, କୁମର ସାହୁ, ରାମ ପ୍ରଧାନ, ସଂପଦ ଦଣ୍ଡସେନା, ପିଂଟୁ ବୁଡେ଼କ, ଗଣେଶ ବୁଡେ଼କ, ପଂଚାନନ ଥନାପତି ଓ ସୁପୁନ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.