
ଢେଙ୍କାନାଳ, (କେପିଏନ୍ଏସ୍) : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଚନ୍ଦ୍ରଶେଖରପୁରରେ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ବିଭତ୍ସ ଭାବେ ହତ୍ୟା କଲା ନୃଶଂସ ସ୍ଵାମୀ । ସ୍ତ୍ରୀର କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡିକୁ ଯାଉଥିବା ବେଳେ ଖଙ୍କିରା ନିକଟରେ ଅଭିଯୁକ୍ତ ସ୍ଵାମୀକୁ କାବୁ କଲେ ସ୍ଥାନୀୟ ଲୋକେ । ସୂଚନାନୁଯାୟୀ, ଚନ୍ଦ୍ରଶେଖରପୁର ଗ୍ରାମର ସଚଳା ମାଝୀ ଓ ନାକଫୋଡି ମାଝୀଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଛନ୍ତି । ତେବେ ସଚଳାଙ୍କ ଚରିତ୍ରକୁ ନେଇ ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ପୁଣି ଥରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ଵାମୀ ନାକଫୋଡି ତାଙ୍କ ସ୍ତ୍ରୀଙ୍କୁ ଏକ କଟୁରୀ ସାହାଯ୍ୟରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି । ଏହାପରେ ଆଜି ଭୋର୍ ସମୟରେ କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ବାଟରେ ଖଙ୍କିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାକଫୋଡ଼ିଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଓ କଟୁରୀ ଜବତ କରିଛି । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି ।