ସୁନା ବ୍ୟବସାୟୀ ନିଖୋଜ ଘଟଣାକୁ ବିଟିଲାଣି ୪ଦିନ, ମିଳୁନି ଖୋଜ ଖବର : ପରିବାର ପକ୍ଷରୁ ଅପହରଣ ଅଭିଯୋଗ, ଅଭିଯୁକ୍ତ ମଧ୍ୟ ଘଟଣା ଦିନରୁ ନିଖୋଜ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୬ ତାରିଖ ଦିନରୁ ନିଖୋଜ ଥିବା ସୁନା ବ୍ୟବସାୟୀ ସୋମବାର ସନ୍ଧ୍ୟା ସୁଦ୍ଧା ପରିବାର ଲୋକେ ବିଭିନ୍ନ ସୁନା ବ୍ୟବସାୟ କେନ୍ଦ୍ର ସହ ସମ୍ପର୍କୀୟ ଘରକୁ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ସୋମବାର ସନ୍ଧ୍ୟାରେ ଅପହରଣ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କ ନାମରେ ଦେଓଗାଁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକ ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ଶୁକ୍ରବାର ଦିନ ସକାଳ ସଢ଼େ ୮ଟା ସମୟରୁ ସୁନା ବ୍ୟବସାୟ କାମରେ ଯାଉଥିବା ଘରେ ମା’କୁ କହି ଯାଇଥିଲେ । ଏହି ଦିନ ସନ୍ଧ୍ୟା ସୁଦ୍ଧା ଫେରିବା ପାଇଁ କହିଥିବା ବେଳେ ଆସି ନ ଥିବାରୁ ନ ଆସିବା କାରଣ ବିଷୟରେ ପରିବାର ଲୋକେ ସନ୍ଦେହରେ ରହିଥିଲେ । ଗୋଟିଏ ଦିନ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ । ରବିବାର ଦିନ ପରିବାର ଲୋକ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିବା ପରେ କୌଣସି ପତ୍ତା ମିଳି ନ ଥିଲା । ସୋମବାର ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ଅନ୍ୟଏକ ଅଭିଯୋଗ କରିଛନ୍ତି । ନିଖୋଜ ଗଜାନନ ଯିବା ସମୟରେ ତା ମା’କୁ ଦେଓଗାଁ ଥ‌ାନା ସାରସବାହାଲ ଗାଁର ଶୀର ରଣା(ପିତା- ନିମାଇଁ) ସହ ପାଟଣାଗଡ଼ ଯାଉଥିବା କହିଥିଲା । ଶିବତଲା ରାସ୍ତା ଦେଇ ଯିବା ସମୟରେ ତାଙ୍କୁ ଘରର ଲୋକମାନେ ଫୋନ କରିଥିଲେ । ସେହି ସମୟରେ ସେ ଶିବତଲାରେ ଜଳଖିଆ ଖାଉଥିବା ଜଣାଇଥିଲା । ତାର ପରେ ଗଜାନନ ସହ ଯୋଗଯୋଗ ହୋଇ ପାରୁ ନ ଥିବା ଅଭିଯୋଗରେ ଦର୍ଶାଯାଇଛି । ଅପର ପକ୍ଷେ ସେ କହିଥିବା ମୁତାବକ ଶିର ରଣା ମଧ୍ୟ ଘରେ ନ ଥିବାରୁ ପରିବାର ଲୋକେ ଅପହରଣ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.