କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ ଏପରି ଏକ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲାରେ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ ବୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦେବେଶ୍ୱର କହଁର(୬୦)ଙ୍କ ମୃତଦେହକୁ କୋକେଇରେ ରଖି କାନ୍ଧରେ ନିଜ ଗ୍ରାମ ଫୁଲବାଣୀ ବ୍ଲକ ତୁଡ଼ିପାଜୁ ପଞ୍ଚାୟତ ତାଡପଙ୍ଗା ଗ୍ରାମ ଶ୍ମଶାନକୁ ଆଣି ଅନ୍ତିମ ସଂସ୍କାର କରାଯାଇଛି । ମୃତଦେହକୁ ଆଣିବା ବେଳେ ଦୁଇଟି ନଦୀ, ୩ଟି ପାହାଡ଼ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଛି । ତାଡ଼ପଙ୍ଗା ଗ୍ରାମର ଦେବେଶ୍ୱରଙ୍କୁ ହଠାତ ପକ୍ଷାଘାତ ହୋଇଥିଲା । ପରିବାର ଲୋକେ ତାଙ୍କୁ ୫ କି.ମି. ଭାରରେ କାନ୍ଧେଇ ଡକାଙ୍ଗି ଯାଏ ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା । ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଫୁଲବାଣୀ ଆଇଟିଆଇ ପାଖ ରାସ୍ତା ଦେଇ ପ୍ରାୟ ୨୦ କି.ମି. ରାସ୍ତା ଅତିକ୍ରମ କରି ଡକାଙ୍ଗି ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରୁ ଆଉ ଗାଁକୁ ରାସ୍ତା ନ ଥିବାରୁ ଲୋକେ କୋକେଇରେ ୫ କି.ମି. କାନ୍ଧେଇ ଗ୍ରାମକୁ ନେଇଥିଲେ । କେବଳ ମୃତଦେହ ନୁହେଁ ଗର୍ଭବତୀଙ୍କୁ ମେଡିକାଲ ଆଣିବା ପାଇଁ ମଧ୍ୟ ଭାରରେ ନେବାକୁ ପଡୁଛି । ଗାଁରୁ ୫/୬ କି.ମି ଭାରରେ ଆସିବା ପରେ ଆମ୍ବୁଲାନ୍ସ ମିଳିଥାଏ । ସବୁବେଳେ ଏପରି ସମ୍ଭବ ହେଉ ନ ଥିବାରୁ ବାଟରେ ପ୍ରସବ ହୋଇଥାଏ । ପ୍ରସୂତି ଏବଂ ନବ ଜାତକଙ୍କ ଜୀବନ ପ୍ରତି ବିପଦ ରହିଥାଏ । ଏପରି ଅନେକ ଘଟଣା ଘଟୁଛି । ରାସ୍ତା ପାଇଁ ବାରମ୍ବାର ଦାବୀ କରାଯାଉଥିଲେ ମଧ୍ୟ ସୁଫଳ ମିଳୁନି ବୋଲି ପୂର୍ବତନ ସରପଞ୍ଚ ମୃତ୍ୟୁଞ୍ଜୟ କହଁର, ଚକ୍ରଧର ମଲ୍ଲିକ, ଜାନକୀ ରାସ୍ତା କହଁର ପ୍ରମୁଖ ପ୍ରକାଶ କରଛନ୍ତି ।

Leave A Reply

Your email address will not be published.

three × two =