ଗୁଡ଼ଭେଲା, (ମନିଷ କୁମାର ସାହୁ) : ବରିଷ୍ଠତା ଭିତ୍ତିରେ ଶିକ୍ଷକଙ୍କୁ ମିଳିଛି ପ୍ରଧାନଶିକ୍ଷକ ପଦୋନ୍ନତି । ବର୍ଷ ବର୍ଷ ଧରି ଯେଉଁ ବିଦ୍ୟାଳୟ ଖାଲି ଥିଲା ସେହି ବିଦ୍ୟାଳୟରେ ପୂରଣ ହୋଇଛି ପଦବୀ । ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ପଦୋନ୍ନତି ପାଇଁ ଚିଠି କରିବା ପରେ ବଲାଙ୍ଗିର ଜିଲ୍ଲାର ୮୮ଜଣ ଶିକ୍ଷକ ପ୍ରଧାନଶିକ୍ଷକ ହେବାର ସୁଯୋଗ ପାଇଛନ୍ତି । ଏପରି ସ୍ଥଳେ ଜାଣିବାକୁ ମିଳିଛି ଯେ, ଜିଲ୍ଲାର ଗୁଡଭେଲା ବ୍ଲକର ଡାହିମାଲ ହାଇସ୍କୁଲର ଜଣେ ଶିକ୍ଷକ ଓ ତୁଷୁରା ବାଳିକା ହାଇସ୍କୁଲର ଜଣେ ଶିକ୍ଷକ ବର୍ଷେ ପୂର୍ବରୁ ମୃତ୍ୟୁବରଣ କରି ସାରିଥିଲେ ହେଁ ସେମାନଙ୍କ ପଦୋନ୍ନତି ହୋଇଥିବା ବିଷୟକୁ ନେଇ ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରବର୍ଗ ଓ ଅଞ୍ଚଳବାସୀ ସହଜେ ସ୍ୱୀକାର କରି ପାରିନାହାନ୍ତି । ପଦୋନ୍ନତି ହୋଇଥିବା ଶିକ୍ଷକମାନଙ୍କୁ ୧୮ ତାରିଖ ସୁଦ୍ଧା ଯୋଗ ଦେବାକୁ କୁହାଯାଇଛି । ହେଲେ ଇହଧାମ ତ୍ୟାଗ କରିଯାଇଥିବା ୨ଜଣ ଶିକ୍ଷକ କାର୍ୟ୍ୟରେ କିପରି ଭାବେ ଯୋଗ ଦେବେ ବୋଲି ଆଲୋଚନା ହେଉଛି । ତେବେ ଏଭଳି ବ୍ୟତିକ୍ରମ ପଛରେ ତାଲିକା ପ୍ରସ୍ତୁତ କରିଥିବା ଅଧିକାରୀ, କର୍ମଚାରୀଙ୍କ ଦାୟିତ୍ୱହୀନତା ରହିଛି ନାଁ ସତରେ ଶିକ୍ଷା ବିଭାଗ ଅନ୍ଧାରରେ ବାଡ଼ି ବୁଲାଇବା ନ୍ୟାୟରେ ଚାଲିଛି ତାହାର ତଦନ୍ତ ହେବା ଉଚିତ ବୋଲି ଶିକ୍ଷକ ମହଲରେ ଦାବୀ ହୋଇଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଳା ବ୍ଲକରେ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲାର ୮୮ଜଣ ଶିକ୍ଷକଙ୍କ ପଦୋନ୍ନତି ତାଲିକାର ୨୭ ନମ୍ବର ସ୍ଥାନରେ ରହିଛନ୍ତି ଗୁଡ଼ଭେଲା ବ୍ଲକ ଡାହିମାଲ ହାଇସ୍କୁଲର ଶିକ୍ଷକ ଯଦୁମଣି ମେହେର । ୫୬ ବର୍ଷୀୟ ଶ୍ରୀ ମେହେର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ସ୍କୁଲରେ ଦାୟିତ୍ୱ ତୁଳାଉଥିଲେ । ଗତ ଜୁଲାଇ ୭ ତାରିଖରେ ବାଇକ୍ ଦୁର୍ଘଟଣାରେ ଶ୍ରୀ ମେହେରଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ମାଧ୍ୟମିକ ଶିକ୍ଷା ବିଭାଗର ପଦୋନ୍ନତି ତାଲିକାର ୨୭ ନମ୍ବର ସ୍ଥାନରେ ଥିବା ଶ୍ରୀ ମେହେରଙ୍କୁ ସେହି ସ୍କୁଲର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି । ସେହିପରି ପ୍ରଧାନଶିକ୍ଷକ ପଦୋନ୍ନତି ତାଲିକାର ୪୮ତମ ସ୍ଥାନରେ ରହିଛନ୍ତି ତୁଷୁରା ବାଳିକା ହାଇସ୍କୁଲର ଶିକ୍ଷକ ସତ୍ୟପୀର ମିଶ୍ର । ସେ ବର୍ଷେ ତଳେ ମୃତ୍ୟୁ ବରଣ କରିଥିଲେ, କିନ୍ତୁ ତାଙ୍କୁ ମଧ୍ୟ ସେହି ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି । ମୃତ୍ୟୁ ପରେ ପଦୋନ୍ନତିକୁ ସହଜରେ ଲୋକେ ଗ୍ରହଣ କରିପାରୁନାହାନ୍ତି । ଏହାକୁ ଲୋକେ ଶିକ୍ଷା ବିଭାଗର ଅଜବ ନୀତି ବୋଲି ସମାଲୋଚନା କରୁଛନ୍ତି । ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଦାବୀ ହେଉଛି । ଏ ସଂପର୍କରେ ଦାୟିତ୍ୱରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ୨୦୧୮ ଗ୍ରେଡେସନ୍ ଲିଷ୍ଟ୍ ଆଧାରରେ ଏହି ପ୍ରମୋସନ ଲିଷ୍ଟ ପ୍ରକାଶ ପାଇଥିବାରୁ ଏଭଳି ଭୁଲ ହୋଇଯାଇଛି ।