ରାସ୍ତାରେ ଚାଲୁଛି ଲୁହାଚକା ଟ୍ରାକ୍ଟର : ଖରାପ ହେଉଛି ରାସ୍ତା, କାର୍ଯ୍ୟାନୁ‌ଷ୍ଠାନ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଲୁହା ଚକ ଲଗାଯାଇଥିବା ଗାଡ଼ି ରାସ୍ତାରେ ନେବା ନିଷେଧ । ଏହା କେବଳ ସାଇନ ବୋର୍ଡ଼ରେ ସିମିତ । ଜାତୀୟ ରାଜପଥକୁ ସଂଯୋଗ ହୋଇଥିବା ତଥା ଦେଓଗାଁ ବ୍ଲକ ମଧ୍ୟରେ ଯାଇଥିବା ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ କିଛି ଦିନ ହେଲା ଳୁହାଚକ ଲଗାଯାଇଥିବା ଟ୍ରାକ୍ଟରଗୁଡ଼ିକ ଯିବା ଆସିବା କରୁଛି । ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ରାସ୍ତା ଅତି କମ୍‌ ସମୟରେ ନଷ୍ଟ ହେଉଛି । ବେଆଇନ ଭାବେ ରାସ୍ତା ଉପରେ ଲୁହା ଚକ ଲାଗିଥିବା ଟ୍ରାକ୍ଟର ଚଲାଇବାକୁ ପ୍ରଶାସନିକ ବାରଣ ହେବା ଉଚିତ ।
ସୂଚନାଯୋଗ୍ୟ ଯେ, ଦେଓଗାଁ ଡାକ ବଙ୍ଗଳାରୁ ଦେଷଣ୍ଢ ରାସ୍ତା, କରୁଆଁଝରରୁ ସିଲେଟକାନୀ ରାସ୍ତା, ଗୌଡ଼ଗୋଠ, ରତାଖଣ୍ଡି, ଆଟଗାଁ, ଜରାସିଂହା, ସାଲେପାଲି, ଉପରଝର ପରି ଅନେକ ରାସ୍ତାରେ ବେଆଇନ ଭାବେ ଲୁହାଚକ ଲଗା ଗାଡ଼ି ଯା’ ଆସ କରୁଛି । ବର୍ତ୍ତମାନ ଚାଷର ସମୟ । ଗାଁରେ ଥିବା ଟ୍ରାକ୍ଟର ଗୁଡ଼ିକରେ ଲୁହାଚକ ଲଗାଇ ଚାଷ କାମରେ ବ୍ୟବହାର କରାଯାଉଛି । କିଛି ଧନୀ ଶ୍ରେଣୀର ଲୋକ ଲୁହାଚକ ଲଗାଇ ବ୍ୟବସାୟ କରୁଛନ୍ତି । ବେଖାତିର ଭାବେ ଗୋଟିଏ ଜମିରୁ ଅନ୍ୟ ଜମିକୁ ଟ୍ରାକ୍ଟର ନେବା ଦ୍ୱାରା ରାସ୍ତା ନଷ୍ଟ ହେଉଛି । ତେଣୁ ଯେଉଁ ଯେଉଁ ରାସ୍ତା ଲୁହା ଚକରେ ନଷ୍ଟ ହେଉଛି ତଦନ୍ତ କରି ଟ୍ରାକ୍ଟର ମାଲିକଙ୍କ ପ୍ରତି କାର୍ଯ୍ୟାନୁ‌ଷ୍ଠାନ କରାଯିବାକୁ ଦାବୀ ହେଉଛି ।

Leave A Reply

Your email address will not be published.