oom

ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ ଅତିରିକ୍ତ ତହସିଲଦାର ଓ ୟୁଜିବି ମ୍ୟାନେଜରଙ୍କୁ ଦାବୀପତ୍ର ପ୍ରଦାନ କଲେ କୃଷକ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତୀୟ କିଷାନ ସଂଘ, ସଇଁନ୍ତଲା ବ୍ଲକ ଶାଖା ଆନୁକୂଲ୍ୟରେ ଚାଷୀମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବୀପତ୍ରକୁ ଟିକ୍ରାପଡା ଠାରେ ଅତିରିକ୍ତ ତହସିଲଦାର ଲଳିତ ବାଗଙ୍କୁ ଭେଟି ପ୍ରଦାନ କରିଥିଲେ । ଟିକ୍ରାପଡା ପଞ୍ଚାୟତକୁ ୨୦୧୯ ମସିହା ମରୁଡି କ୍ଷତିଗ୍ରସ୍ତ ତାଲିକାରେ ସାମିଲ କରାଯାଇ କୃଷି ବୀମା ପ୍ରଦାନ, ଜୁରାବନ୍ଧ ପଞ୍ଚାୟତ ଚାଷୀଙ୍କୁ ୨୦୧୮ କୃଷିବିମା ପ୍ରଦାନ, ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଚାଷୀଙ୍କୁ ସଂଶୋଧିତ ଉଚିତ ମାନର କୃଷିବୀମା ପ୍ରଦାନ, ବ୍ଲକର ସମସ୍ତ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ କୃଷକ ସମ୍ମାନ ନିଧି ଯୋଜନାରେ ସାମିଲ କରାଯିବାକୁ ସେମାନେ ଦାବୀ କରିଥିଲେ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ରାଶି ଝିଙ୍କିଡୁଙ୍ଗୁରି, ଜୁରାବନ୍ଧ, ଟିକ୍ରାପଡା ପଞ୍ଚାୟତର ଅଶି ପ୍ରତିଶତରୁ ଅଧିକ ଚାଷୀ ପାଇ ନ ଥିବା ସେମାନେ ଅଭିଯୋଗ କରିଥିଲେ । କୃଷକଙ୍କ ଦାବୀ ପୂରଣ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ତଦନୁରୂପ କିସାନ ସଂଘ ସଦସ୍ୟମାନେ ଟିକ୍ରାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ପରିଚାଳକ କୁବେର ତରିଆଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ୨୦୧୮ ଖରିଫ ଫସଲର କୃଷିବୀମା ପାଇଁ ଅଣଋଣୀ ଓ ୠଣୀ ଚାଷୀମାନେ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଆବେଦନ ଫର୍ମ ପୂରଣ ସହ ବିମା ପ୍ରିମିୟମ ଭରିଥିଲେ । ତେବେ ଋଣୀ ଚାଷୀମାନେ କେହି ବୀମାରାଶି ପାଇ ନ ଥିବା ବେଳେ ଅଧିକାଂଶ ଅଣଋଣୀ ଚାଷୀ ଏଥିରୁ ବଞ୍ଚିତ ରହିଥିବା ଅଭିଯୋଗ କରି ବୀମା ରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବୀପତ୍ରରେ ଦର୍ଶାଇଥିଲେ । କିଷାନ ସଂଘ ଜିଲ୍ଲା କମିଟି ସଦସ୍ୟ ମୋହନ ନାୟକ, ଅନନ୍ତ ମହାକୁର, ଧୁବଲେଶ୍ବର ବାରିକ, ମହେନ୍ଦ୍ର ବାଗ, ବଂଶୀଧର ସୁନାନି, ଗୌର ବୁଡେକ, ନରେନ୍ଦ୍ର ନାଗ, କାଶୀନାଥ ରଣା, ଶ୍ରୀମୁଖ ରାଜପଲିଆ ପ୍ରମୁଖ ଦାବୀପତ୍ର ପ୍ରଦାନ କାର୍ୟ୍ୟକ୍ରମର ନେତୃତ୍ବ ନେଇଥିଲେ । ଏଥିରେ ଝିଙ୍କିଡୁଙ୍ଗୁରି, ଜୁରାବନ୍ଧ, ଟିକ୍ରାପଡା ପଞ୍ଚାୟତର ଚାଷୀମାନେ ସାମିଲ ହୋଇଥିଲେ । କୋଭିଡ ନିୟମର ଅନୁସରଣ ପୂର୍ବକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.