ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟ ଜିଣିଥିଲେ ଖୋକାଭାଇ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୃତ୍ୟୁ ପରେ ଜୀବନ ଶେଷ ହୋଇଯାଏ । ହେଲେ ଯେଉଁମାନଙ୍କର ମୃତ୍ୟୁ ପରେ ଜୀବନ ଆରମ୍ଭ ହୋଇଥାଏ, ସେମାନେ ହିଁ ମହାପୁରୁଷ ହୋଇ ରହିଯାଆନ୍ତି । ଅକ୍ଷୟ ମହାନ୍ତି ସେଇଭଳି ଜଣେ ବ୍ୟକ୍ତିତ୍ୱ । ତାଙ୍କ ସୃଷ୍ଟି କୀର୍ତ୍ତି କାଳଜୟୀ । ସାହିତ୍ୟ, ସାମ୍ବାଦିକତା, ସଂଗୀତ କ୍ଷେତ୍ରରେ ସେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟ ଜିଣିଛନ୍ତି ବୋଲି ଓଡ଼ିଶା ଅକ୍ଷୟ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ, ଖୋର୍ଦ୍ଧା ଆନୁକୂଲ୍ୟରେ ଅଷ୍ଟାଦଶ ବାର୍ଷିକୀ ଅକ୍ଷୟ ମହୋତ୍ସବରେ ଅତିଥିମାନେ ମତ ଦେଇଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଚୈତନ୍ୟ ବେହେରାଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ‘ଗୀତାଭବନ’ ପ୍ରାଙ୍ଗଣରେ ଆୟୋଜିତ ଏହି ଦୁଇ ଦିନିଆ ମହୋତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ କବି ରକ୍ଷକ ନାୟକ, ଗୌର ଚନ୍ଦ୍ର ମହାପାତ୍ର, ସମାଜସେବୀ ମାନସ କୁମାର ପଟ୍ଟନାୟକ, ଭାଗିରଥୀ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ସଂଗୀତ ସମ୍ରାଟ ଅକ୍ଷୟ ମହାନ୍ତି (ଖୋକାଭାଇ)ଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ ।

ଉତ୍ସବରେ ସ୍ୱର୍ଗତ ମହାନ୍ତିଙ୍କ ଜନପ୍ରିୟ ସଂଗୀତକୁ ଆବୃତି କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କବି ତଥା ସାହିତ୍ୟିକ ରକ୍ଷକ ନାୟକଙ୍କୁ ଚଳିତ ବର୍ଷ ଅନୁଷ୍ଠାନର ସର୍ବଶ୍ରେଷ୍ଠ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ଏବଂ ବିଶିଷ୍ଟ କଳାକାର ତଥା ସଂସ୍କୃତିପ୍ରେମୀ, ନାଟ୍ୟ ନିର୍ଦ୍ଦେଶକ ହୃଦାନନ୍ଦ ଚମ୍ପତ୍ତିରାୟଙ୍କ ‘ଭକ୍ତ ପ୍ରସନ୍ନ ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହା ସହିତ କରୋନା ମହାମାରୀ ଆକ୍ରାନ୍ତଙ୍କୁ ସେବା ଶୁଶ୍ରୁଷା ଯୋଗାଇ ଆସୁଥିବା ସମାଜର ବିଭିନ୍ନ ବର୍ଗର ଏକ ଶହ ଲୋକଙ୍କୁ ସ୍ୱାସ୍ଥ୍ୟକର୍ମୀ, ପୁଲିସ ଅଧିକାରୀ, ଆଶା, ଅଙ୍ଗନବାଡ଼ି କର୍ମୀ, ଖବରକାଗଜ ବିତରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜା ସାଗର ରଂଜନ ମେହେର ମଂଚ ସଂଯୋଜନା କରିଥିବା ବେଳେ ପ୍ରଜ୍ଞା ପ୍ରୀତିପର୍ଣ୍ଣା ମେହେର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.