କେନ୍ଦୁପତ୍ର ତୋଳାଳୀଙ୍କ ପୁଅଝିଅଙ୍କୁ ମିଳିନି ୨୦୧୮ର ଶିକ୍ଷାବୃତ୍ତି : ସହାୟତାର ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି, ପାଇବା ଆଶା ମଉଳିବାରେ ଲାଗିଛି

ଦେଓଗାଁ, (ମନୀଷ କୁମାର ସାହୁ) : ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ଶିକ୍ଷା ଛାତ୍ର ବୃତ୍ତି ନାଁରେ ସହାୟତା ଯୋଗାଉଛ‌ନ୍ତି । ହେଲେ ଦାୟି‌ତ୍ୱରେ ଥିବା ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଏହି ସହାୟତା ରାଶି ସେମାନଙ୍କୁ ମିଳୁ ନାହିଁ । ଏପରି ଅଭିଯୋଗ ଆଣିଛନ୍ତି ଭୁତିଆରବାହାଲ ରେଞ୍ଜ ଅନ୍ତର୍ଗତ ୫୮ଟି ଗାଁର କେନ୍ଦୁପତ୍ର ତୋଳାଳୀମାନେ । ଅଭିଯୋଗ ଅନୁସାରେ, ୨୦୧୮ ମସିହାର କେନ୍ଦୁପତ୍ର ତୋଳାଳୀଙ୍କ ପିଲାଛୁଆ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ସେମାନଙ୍କୁ ମିଳିନାହିଁ । ସରକାର ସହାୟତା ଘୋଷଣା କରିଛନ୍ତି, ହେଲେ ଅଧିକାରୀମାନେ ଅଟକାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ୨୦୧୮ରେ କରାଯାଇଥିବା ନିୟମ ଅନୁସାରେ ଯୋଗ୍ୟ ତୋଳାଳିଙ୍କ ପରିବାରର କୌଣସି ପୁଅ ଯୁକ୍ତଦୁଇ ‌ଦ୍ୱିତୀୟ ଶିକ୍ଷା ପାଇଁ ୨ ହଜାର ଝିଅ ୧୦ହଜାର ୫ଶହ ଏବଂ ଯୁକ୍ତତିନି ଅଧ୍ୟୟନ କରିବାକୁ ଇଚ୍ଛା କରୁଥିବା ପୁଅ ପାଇଁ ୧୫ ହଜାର ଓ ଝିଅଙ୍କ ପାଇଁ ୨୨ହଜାର ୫ଶହ ଟଙ୍କା ସହାୟତା ରାଶି ଦେବାର ବ୍ୟବସ୍ଥା କରାଯାଇଛି । ପତ୍ର ତୋଳାଳୀ ହରିପ୍ରିୟା ଭୋଇ, ଦାମୋଦର ପୁଟେଲ, କେତକୀ ହାତୀ, ବାମୁଲି ପୁଲ, କାନ୍ତି ଭୋଇ, ଦୁଲଣା ବାଗ, କ୍ଷତିସୁତା ବାଗଙ୍କ ସହ ଅନେକ ହିତାଧିକାରୀ ରେଞ୍ଜରଙ୍କୁ ଲିଖିତ ଭାବେ ଅସନ୍ତୋଷ ଜଣାଇଥିଲେ, ପାଟଣାଗଡ଼ ଡିଭିଜନ ଭୁତିଆରବାହାଲ ରେଞ୍ଜରେ ଏହାର ବ୍ୟକିକ୍ରମ କରାଯାଇଛି। ଏନେଇ ରେଞ୍ଜରଙ୍କୁ ପଚାରିବାରୁ ସେ କହିଥିଲେ, ତୋଳାଳିମାନଙ୍କ ୧୦ ଟଙ୍କିଆ ରସିଦ କାଟିବା ପାଇଁ ପ୍ରଥମେ ୨୦୧୮ଜୁନ ୩ଠ ଶେଷ ତାରିଖ ଥିଲା । ପୁଣି ଥରେ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଅକ୍ଟୋବର ୩୧ ତାରିଖ ନୁହେଁ, ଜୁନ ୩୦ତାରିଖ ଶେଷ ତାରିଖ ବୋଲି ନିର୍ଦ୍ଦେଶ ଆସିବାରୁ ସବୁ ବ୍ୟକିକ୍ରମ ହୋଇଛି । ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ବୈଠକରେ ସବିଶେଷ ଆଲୋଚନା ପରେ ଦିଆଯିବ ବୋଲି ସେ କହିଛନ୍ତି । ଏଥିରୁ ପ୍ରଶ୍ନ ହେଉଛି ଯେ, ଅଧିକାରୀମାନେ ବାରମ୍ବାର ଶେଷ ତାରିଖ ପରିବର୍ତ୍ତନ କରୁଛନ୍ତି । ଫଳରେ ଗରିବ ଲୋକମାନେ ଆର୍ଥିକ ସହାୟତା ରାଶି ପାଇବାରେ ବିଳମ୍ବ ହେଉଛି । ତୁରନ୍ତ ହିତାଧିକାରୀଙ୍କୁ ସହାୟତା ଓ ଯୋଗାଇ ଦେବାକୁ ଦାବୀ ହେଉଛି।

Leave A Reply

Your email address will not be published.