ନାବାଳିକା ଝିଅ ତୁଳସୀ କରିବ କ’ଣ, ଚାରିଦିଗ ତାର ଅନ୍ଧାର : ପ୍ରଶାସନର ଦୃଷ୍ଟି ପଡ଼ୁ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ମହୁଲପାଟି ଗ୍ରା.ପ. ଅନ୍ତର୍ଗତ ଗୋଇନ୍ଦିମାଲ ଗାଁର ଲଛମନ କୁମ୍ଭାର(୯୦) ଜଣେ ପକ୍ଷାଘାତ ରୋଗୀ । ଖୁବ୍‌ ଗରିବ ଭୂମିହୀନ ଲଛମନ୍‌ଙ୍କ ଦୁଃଖ ଏବେ କହିଲେ ନସରେ । ସ୍ତ୍ରୀ ସରୋଜିନୀ ଗତ ୨୦୧୬ରେ ଆରପାରିକୁ ଚାଲିଗଲେ । ଏବେ ଝିଅ ତୁଳସୀ(୧୭)କୁ ନେଇ ରହୁଛନ୍ତି ଲଛମନ୍‌ । ବାପ ଝିଅ ଦୁହେଁ ଅଙ୍ଗନୱାଡ଼ି କୋଠରୀର ପାଶ୍ୱର୍ରେ ଜରି ଢଙ୍କା ହୋଇଥିବା ଏକ କୁଡ଼ିଆ କରି ରହୁଛନ୍ତି । ଜାଗା ନାହିଁ, ଜମି ନାହିଁ, ଆହା ସାହା କେହିନାହିଁ । ଝିଅ ତୁଳସୀ ଏବେ +୨ ପ୍ରଥମ ବର୍ଷର ଛାତ୍ରୀ । କିନ୍ତୁ ପକ୍ଷାଘାତ ବାପାଙ୍କୁ ସମ୍ଭାଳିବା ତାକୁ ଖୁବ୍‌ କଠିନ ହୋଇପଡ଼ିଛି । ପକ୍ଷାଘାତ ରୋଗରେ ପୀଡ଼ିତ ଲଛ୍‌ମନ୍‌ଙ୍କ ଦେଖାଶୁଣା କରିବା, ଯତ୍ନ ନେବା ସହ ପାଠ ପଢ଼ା ଓ ସଂସାର ଚଳେଇବା ଭଳି ଗୁରୁ ଦାୟିତ୍ୱ ଏବେ ନାବାଳିକା ତୁଳସୀ ଉପରେ । ସରକାରଙ୍କ ପକ୍ଷରୁ ଅତିକମ୍‌ରେ ଏହି ନିଃସହାୟ ବାପ ଝିଅଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଇ ପାରିଲେ, ଖୁବ୍‌ ମଙ୍ଗଳ ହୁଅନ୍ତା ବୋଲି ଗାଁ ଲୋକେ କୁହନ୍ତି । ତେବେ ଲଛ୍‌ମନ୍‌ଙ୍କ ଚିକିତ୍ସା ପାଇଁ ଏବେ ଆବଶ୍ୟକ ଅର୍ଥ ବାଧକ ସାଜିଛି । ନାବାଳିକା ଝିଅ ତୁଳସୀ କରିବ କ’ଣ ? ଚାରିଦିଗ ତାର ଅନ୍ଧାର । ବାପାଙ୍କ କିଛି ହୋଇଗଲେ ସେ କେଉଁଠି ମୁଣ୍ଡ ଗୁଂଜିବ, ତାହା ଭଗବାନଙ୍କୁ ଜଣା । ବ୍ଲକ୍‌ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.