ବିଧବା ମୁକ୍ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ : ବିଧବା ଭତ୍ତା ପରିବାର କଲ୍ୟାଣ ଯୋଜନା ବାଟବଣା

ନୂଆପଡ଼ା, (ଅଜିତ ବେହେରା) : ଗରିବ ଅସହାୟ, ବୃଦ୍ଧ, ବୃଦ୍ଧା ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ସରକାର ଅନେକ ଜନହିତକର ଯୋଜନା କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଯୋଜନା ଅପହଞ୍ଚ ହୋଇ ରହିଯାଉଛି । ଫଳରେ ଯୋଜନା ବାଟବଣା ବୋଲି ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସିନାପାଲି ବ୍ଲକ ହାତିବନ୍ଧା ଗ୍ରାମ ବନ୍ଧପଡା ଠାରେ । ମୁକ୍ତା ମାଝୀ ବୟସ ପ୍ରାୟ ୩୫/ ୨୦୨୩ରେ ସ୍ୱାମୀ ଯୋଗୀନ୍ଦ୍ର ମାଝୀଙ୍କ ଅକାଳ ମୃତ୍ୟୁ ପରେ ବିଧବା ହୋଇ ଅସହାୟ ଜୀବନ କାଟୁଛନ୍ତି । ପରିବାର କହିଲେ ପୁଅ ପଙ୍କଜ ମାଝୀ (୭) ଓ ଝିଅ ଗୀତାଞ୍ଜଳି (୩) । ସ୍ୱାମୀଙ୍କ ଅକାଳ ବିୟୋଗ ପରେ ୨ ପୁଅଝିଅକୁ ନେଇ ଅନ୍ୟ ଘରେ କାମ କରିବା ସହ କୁଳିମଜୁରୀ କରି ପରିବାର ଚଳାନ୍ତି । ବିପିଏଲ୍‌ ପରିବାର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ବର୍ତ୍ତମାନ ରାସନ୍‌ କାର୍ଡରେ ମିଳୁଥିବା ୧୦ କିଗ୍ରା ଚାଉଳ ହିଁ ଭରସା । ଜମିବାଡ଼ି କିଛି ନାହିଁ । ସମ୍ପତ୍ତି କହିଲେ ରାସନ୍‌ କାର୍ଡ ଖଣ୍ଡିକ ଓ ଝାଟି ମାଟିର କୁଡ଼ିଆ । ଭାଗ୍ୟରେ ମୁଣ୍ଡଗୁଂଜିବା ପାଇଁ ଆବାସ ଘର ମଧ୍ୟ ଜୁଟି ପାରି ନାହିଁ । ବିଧବା ମହିଳାଙ୍କୁ ବିଧବା ଭତ୍ତା ଓ ପରିବାର କଲ୍ୟାଣ ଯୋଜନାରେ ସାମିଲ କରି ସରକାରୀ ସହାୟତା ପ୍ରଦାନ କରିଛନ୍ତି । ହେଲେ ବିଧବା ମୁକ୍ତା ମାଝୀ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି । ବାରମ୍ବାର ଆବେଦନ ସତ୍ତ୍ୱେ କାହାରି ନଜର ପଡୁ ନାହିଁ । ଅନେକ ଥର ସରକାରୀ ବାବୁ ମାନଙ୍କୁ କାଗଜାତ ଦେଇଥିବା ସେ କହିଛନ୍ତି । ହେଲେ ଆଜକୁ ୨ ବର୍ଷ ବିତିଯାଇଥିଲେ ବି ମୁକ୍ତା ପାଖରେ ସରକାରୀ ସହାୟତା ଅପହଞ୍ଚ । ଏଭଳି ଯୋଗ୍ୟ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିନଥିବାରୁ ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଫଳରେ ସରକାରୀ ଯୋଜନା ବାଟ ବଣା ବୋଲି ଚର୍ଚ୍ଚା ହେଉଛି । ଏନେଇ ସିନାପାଲି ବିଏସ୍‌ଏସ୍‌ଓଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ ସମ୍ଭବ ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏଦିଗରେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.