ଟିଟିଲାଗଡରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଚାଲିଛି ଜେସିବି ଲଗାଇ ଜବର ଦଖଲ ଉଚ୍ଛେଦ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବହୁ ବର୍ଷ ଧରି ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ଥିବା ରାସ୍ତାଗୁଡ଼ିକ ସଂକୀର୍ଣ୍ଣ ହୋଇ ରହିଥିଲା । ଟିଟିଲାଗଡର ଅନେକ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନୀମାନେ ଦୋକାନ ଷ୍ଟଲ୍‌ଠୁ ଆଗକୁ ପ୍ରାୟ ୫-୬ ଫୁଟ ବଢେଇ ସ୍ଥାନ ଦଖଲ କରି ଆଡ଼ବେଷ୍ଟେଜ୍‌ ଦେଇ କିମ୍ବା ଚାଳ କୁଡିଆ ତିଆରି କରି ନେଇଛନ୍ତି; ଯାହା ଫଳରେ ରାସ୍ତା ଗୁଡ଼ିକ ସଂକୀର୍ଣ୍ଣ ହେବା ସହ ଗ୍ରାହକମାନେ ଗାଡ଼ି ମୋଟର ରାସ୍ତା ଉପରେ ରଖୁଥିବା ଯୋଗୁଁ ବହୁ ମାତ୍ରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।


ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡର ଉପଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଏହି ଜବର ଦଖଲକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେଉଛନ୍ତି । କିଛି ଦିନ ପୂର୍ବରୁ ଟିଟିଲାଗଡ ସ୍ଥିତ ବିଏସଏନଏଲ୍ ଭବନ ସାମ୍ନାରୁ ହଟଲି ଛକ ପର୍ୟ୍ୟନ୍ତ ଥିବା ଫଳ ଦୋକାନ ଗୁଡ଼ିକୁ ତାଙ୍କର ଦଖଲ କରିଥିବା ସ୍ଥାନକୁ ଶୀଘ୍ର ଖାଲି କରିବାକୁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦେଶ ମାନି ଫଳ ଦୋକାନୀ ମାନେ ଯଥାଶୀଘ୍ର ତାଙ୍କ ଅଧିକୃତ ସ୍ଥାନ ଖାଲି କରିଥିଲେ । ଏହାପରେ ଗତ ୧ ତାରିଖ ଦିନ ଉପଜିଲ୍ଲାପାଳ ଅନ୍ୟାନ୍ୟ ମ୍ୟୁନିସିପାଲଟି ଅଧିକାରୀଙ୍କ ସହ ମିଶି ପେଟ୍ରୋଲ ପମ୍ପ ଛକ ଠୁ ରେଳୱେ ଷ୍ଟେସନ ପର୍ୟ୍ୟନ୍ତ ରାସ୍ତା ଗୁଡ଼ିକୁ ମାପି ଦୋକାନୀମାନଙ୍କ ଦ୍ଵାରା ଅଧିକୃତ ସ୍ଥାନକୁ ୨୪ ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ୦୨ ସେପ୍ଟେମ୍ବର ଦିନ ୧୨ ଟା ସମୟରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିର୍ଦେଶ କରିଥିଲେ । ଆଜି ୨୪ ଘଣ୍ଟା ପୁରୁ ପୁରୁ ଦିନ ୧୨ଟା ସମୟରେ ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଟିଟିଲାଗଡ ପୌରପରିଷଦର ଓମିନ୍ , ଆର୍ ଆଇ ଓ ପୋଲିସ ବାହିନୀ ସହ ବାହାରି ପଡ଼ିଥିଲେ ଜବର ଦଖଲ ଉଚ୍ଛେଦ ପାଇଁ । ଯେଉଁମାନେ ଉପଜିଲ୍ଲାପାଳଙ୍କ ନିର୍ଦେଶକୁ ଅବମାନନା କରିଥିଲେ ସେମାନଙ୍କ ଅକ୍ତିଆର କରିଥିବା ସ୍ଥାନକୁ ଜେସିବି ଲଗେଇ ଭାଙ୍ଗି ଦେଇଥିଲେ । ଏଥିସହ ଟିଟିଲାଗଡ ବିଦ୍ୟୁତ୍ ବିଭାଗକୁ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଯଥାଶୀଘ୍ର ଉଚିତ୍ ସ୍ଥାନରେ ଲଗାଇବା ପାଇଁ ଆଦେଶ ଦେଇଛନ୍ତି । ଏହି ସମୟରେ ଉକ୍ତ ସ୍ଥାନରେ ଅନେକ ଲୋକ ଭିଡ ଜମାଇ ଦେଖୁଥିଲେ । ଲୋକେ ଭୁଲି ଯାଇଥିଲେ ଯେ ବର୍ତ୍ତମାନ ମଧ୍ୟ କରୋନା ଭାଇରସ ତାର କାୟା ବିସ୍ତାରରେ ଲାଗିଛି । ଲୋକଙ୍କ ପାଖରେ ସାମାଜିକ ଦୂରତା ଦେଖିବାକୁ ମିଳିନଥିଲା । ଅନେକ ବ୍ୟକ୍ତି ମାସ୍କ ମଧ୍ୟ ପିନ୍ଧି ନ ଥିଲେ । ପୋଲିସର ମନା କରିବା ସତ୍ତ୍ଵେ ଲୋକେ ଅଧିକରୁ ଅଧିକ ଭିଡ଼ କରି ଚାଲିଥିଲେ ।

Leave A Reply

Your email address will not be published.