ସର୍ଚ୍ଚ ଅପ୍‌ରେସନ୍‌ ବେଳେ ମାଓବାଦୀ – ଯବାନ ଗୁଳି ବିନିମୟ : ଯବାନ ଗୁରୁତର

ନୂଆପଡା, (ନିରାକାର ମେହେର) : ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଏସ୍‌ଓଜି ଯବାନଙ୍କୁ ଗୁଳି ମାଡ ହୋଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନ ଜଣକ ପ୍ରକାଶ ସାହି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଆହତ ଯବାନ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଗତ କିଛି ଦିନ ହେବ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ପରିଲକ୍ଷିତ ହେଉଥିଲା । ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ମାଓବାଦୀମାନେ ଚଳପ୍ରଚଳ ହେଉଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା । ଗତ ୧୮ ତାରିଖରେ ଦୁଇ ରାଜ୍ୟ ସୀମାନ୍ତ ଅଞ୍ଚଳକୁ ଏସ୍‌ଓଜି ଯବାନଙ୍କ ଟିମ୍‌ ନକ୍ସଲ ବିରୋଧୀ କମ୍ବିଂ ଅପ୍‌ରେସନ୍‌ ପାଇଁ ଯାଇଥିଲା । ଯବାନମାନେ କୋମନା ଥାନା ଭାଓସିଲ, ଝରଲାଆମ, ଶିବନାରାୟଣପୁର ଅଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୁଇ ଦିନ ଧରି କମ୍ବିଂ ଅପ୍‌ରେସନ୍‌ ଜାରି ରଖିଥିଲେ । ସୂଚନା ମୁତାବକ, ରବିବାର ରାତି ପ୍ରାୟ ଅଢ଼େଇଟାରେ ଏସ୍‌ଓଜି ଯବାନମାନେ ଶିବନାରାୟଣପୁର ଗାଁ ନିକଟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଘଞ୍ଚ ଜଙ୍ଗଲରେ କମ୍ବିଂ ଅପ୍‌ରେସନ୍‌ କରୁଥିଲେ । ଏହି ସମୟରେ ମାଓବାଦୀଙ୍କ ସହ ଯବାନମାନେ ମୁହାମୁହିଁ ହୋଇଥିଲେ, ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ସମୟରେ ଜଣେ ଏସ୍‌ଓଜି ଯବାନଙ୍କୁ ମାଓବାଦୀଙ୍କ ଗୁଳି ଲାଗିଥିଲା । ତେବେ ଯବାନଙ୍କ ତଣ୍ଟିରେ ଗୁଳି ଲାଗିବା ସହ ଗଳା ଭିତରେ ଫସି ଯାଇଥିଲା । ଫଳରେ ଏସ୍‌ଓଜି ଯବାନ ଜଣକ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର ସକାଳୁ ସାଥୀ ଏସ୍‌ଓଜି ଯବାନମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗରିଆବନ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିଥିଲେ । ସେଠି ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଯବାନଙ୍କ ତଣ୍ଟିରୁ ଗୁଳି କଢା ଯାଇ ନଥିବା ସୂଚନା ମିଳିଛି । ଏବେ ବି ଶିବନାରାୟଣପୁର ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.