ବହୁଚର୍ଚ୍ଚିତ ସିକ୍ୟୁରିଟି ଗାର୍ଡଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତଙ୍କ ବାଇକ୍‌, ମୋବାଇଲ ଓ ପର୍ସ ଲୁଟ ଘଟଣା

  • ୬ ଅଭିଯୁକ୍ତ କୋର୍ଟ ଚାଲାଣ
  • ଦେଢ଼ ମାସ ପରେ କୂଅରୁ ଖଣ୍ଡ ଖଣ୍ଡ ଚୋରା ବାଇକ୍‌ ଉଦ୍ଧାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ମାଲପଡ଼ା ଓ ଗଁରେଇ ଗ୍ରାମର ମଝିରେ ଥିବା ଫୁଟବଲ ପଡିଆ ନିକଟରେ ହଦହଦା ଗ୍ରାମର ତଥା ଟିଟିଲାଗଡ ଏଲ୍‌ଆଇସି ଅଫିସର ସିକ୍ୟୁରିଟି ଗାର୍ଡ ବ୍ୟୋମକେଶ ମିଶ୍ରଙ୍କୁ ନିସ୍ତୁକ ମାଡ଼ ମାରି ତାଙ୍କ ଓଲା ବାଇକ୍‌, ମୋବାଇଲ ଓ ପର୍ସ ଲୁଟ୍‌ ହୋଇଥିବା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ବହୁଚର୍ଚ୍ଚିତ ଲୁଟ୍‌ ଘଟଣାର ଦେଢ଼ ମାସ ପରେ ପୁଲିସ ପର୍ଦ୍ଧାଫାଶ କରିବା ସହ ଏଥିରେ ସାମିଲ ସମସ୍ତ ୬ ଜଣ ଅଭିଯକ୍ତଙ୍କୁ ଦୁଇଟି ପର୍ଯ୍ୟାୟରେ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରଥମେ ଗିରଫ ଅଭିଯୁକ୍ତମାନେ ହେଲେ ଟୁର୍ଚାକାନୀ ଗ୍ରାମର ଦୀପକ ସରାଫ(୨୨) ଓ ଗୁରୁଣ୍ଡା ଗ୍ରାମର ମନୋରଞ୍ଜନ ସରାଫ(୨୮)ଙ୍କୁ ଗତ ୨୯/୦୬/୨୪ରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶନିବାର ଦିନ ଭୋଇପଡା ଗ୍ରାମର ଉଗ୍ରସେନ ସରାଫ(୨୩), ଗୁରୁଣ୍ଡା ଗ୍ରାମର ଦ୍ୱାରୁ ଭୋଇ(୨୦), ଗୁରୁଣ୍ଡା ଗ୍ରାମର ରାଜେଶ ତାଣ୍ଡି(୨୨) ଓ ସେହି ଗୁରୁଣ୍ଡା ଗ୍ରାମର ହିଁ ରମେଶ ସରାଫ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ୍ ଦମକଳ ବାହୀନି ସାହାର୍ଯ୍ୟରେ ଗୁରୁଣ୍ଡା ଗ୍ରାମର ଆମବାହାଲିର ବୀରମିତ୍ର ସାହୁଙ୍କ ପରିବାରର ଏକ କୂଅରୁ ଚୋରୀ ଓଲା ବାଇକ୍‌କୁ ଖଣ୍ଡ ଖଣ୍ଡ ଅବସ୍ଥାରେ ଉଦ୍ଧାର କରିଛି । ଅଭିଯୋଗ ମୁତାବକ ଏହି ଥାନା ଗରଗଡ଼ବାହାଲ ପଞ୍ଚାୟତ ହଦହଦା ଗ୍ରାମର ବ୍ୟୋମକେଶ ମିଶ୍ର ଟିଟିଲାଗଡ ଏଲ୍‌ଆଇସି ଅଫିସରେ ସିକ୍ୟୁରିଟି ଗାର୍ଡ ରୂପେ କାର୍ଯ୍ୟ କରନ୍ତି । ଗତ ୧୮/୦୬/୨୪ ଦିନ ସେ ନିଜ ଡ୍ୟୁଟି ସାରି ରାତି ୧୧ଟା ବେଳେ ନିଜର ଇଲେକ୍ଟ୍ରିକ ଓଲା ବାଇକ୍‌ ନଂ ଓଡ଼ି ୦୩ ଜେଡ ୯୯୧୫ ଯୋଗେ ହଦହଦା ଗ୍ରାମରେ ଥିବା ନିଜ ଘରକୁ ଫେରୁଥିଲେ । ୫୯ନଂ ଜାତୀୟ ରାଜପଥର ମାଲପଡା ଓ ଗଁରେଇ ଗ୍ରାମ ମଝିରେ ଥିବା ଫୁଟବଲ ପଡ଼ିଆ ନିକଟରେ ୫ଜଣ ମୁଖାପିନ୍ଧା ଦୃବୃତ୍ତ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ତାଙ୍କ ଓଲା ବାଇକ୍‌, ସେ ଧରିଥିବା ମୋବାଇଲ ଓ ପର୍ସ ସହ ୫ହଜାର ଟଙ୍କା ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ବ୍ୟୋମକେଶ ରାତିରେ ହିଁ ଆସି ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲା । ଏ ସମ୍ପର୍କରେ ଥାନା କେଶ ନଂ ୨୦୧/୨୪ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ପ୍ରଥମ ଦୁଇ ଅଭିଯୁକ୍ତଙ୍କୁ ଆଣି ଅଟକ ରଖି ଅଧିକ ତଦନ୍ତ ପରେ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଜଣାପଡିଥିଲା । ଦୁର୍ବୃତ୍ତମାନେ ଚୋରୀ ଓଲା ବାଇକ୍‌କୁ ଦୁଇ ଦିନ ମଧ୍ୟରେ ଖଣ୍ଡ ଖଣ୍ଡ କରି କାଟି ସେହି କୂଅରେ ଫିଙ୍ଗି ଦେଇଥିବା ସ୍ଵୀକାର କରିଥିଲେ । କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ପୁଲିସ୍ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରଖିଥିଲା । ଏହି ବହୁଚର୍ଚ୍ଚିତ ଲୁଟ୍‌ ଘଟଣାରେ ପୁଲିସ ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସମସ୍ତଙ୍କ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.