ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ କଳାହାଣ୍ଡି ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

କଳାହାଣ୍ଡି, (ପି. କେ. ସାହୁ) : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ସଚିବ ଭି.କାର୍ତ୍ତୀକେୟନ ପାଣ୍ଡିୟାନ ଓ ସ୍ୱତନ୍ତ ସଚିବ ଭିନିଲ କ୍ରିଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ପ୍ରମୁଖ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି ।

ଶନିବାର ସକାଳ ୧୦ଟା ସମୟରେ ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉତ୍କେଲା ବିମାନ ବନ୍ଦରରେ ଓହ୍ଲାଇ ସେଠାରେ ବିମାନ ବନ୍ଦରର ସ୍ଥିତି, ଉନ୍ନତି, ଜମି ଅଧିଗ୍ରହଣ ଆଦି ବିଭିନ୍ନ ଦିଗ ଉପରେ ବ୍ୟାପକ ସମୀକ୍ଷା କରିଥିଲେ ।

ଏହାପରେ ମୁଖ୍ୟ ଶାସନ ସଚିବ ତଥା ଅନ୍ୟ ପଦାଧିକାରୀମାନେ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରି ଠାରେ ନିର୍ମାଣାଧୀନ ୧୦୦ ସିଟ୍‌ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣ, ଅଗ୍ରଗତି, ଅଧ୍ୟାପନା ବ୍ଲକ, ଅଡିଟୋରିୟମ, ପୁରୁଷ ଓ ମହିଳା ହଷ୍ଟେଲ ଇତ୍ୟାଦି କାର୍ୟ୍ୟର ସମୀକ୍ଷା କରିଥିଲେ ।

ସେହିପରି ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜର ପୂର୍ଣ୍ଣାଙ୍ଗ ରୂପରେଖ ଓ ବଜେଟ ପ୍ରସ୍ତୃତ କରିବାକୁ ପୂତ୍‌ର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ମା’ ଇନ୍ଦ୍ରାବତୀ ଟେମ୍ପଲ କମ୍ଲେକ୍ସ, ଭବାନୀପାଟଣା ନୂତନ ବସଷ୍ଟାଣ୍ଡ, ସାନ୍ଦୁଲ ପ୍ରକଳ୍ପ, ମେଗାଲିପ୍ଟ, କେସିଙ୍ଗା-ବଲାଙ୍ଗିର ୨୨୦ କେଭି ଇଲେକ୍‌ଟ୍ରି ଲାଇନ୍‌, ବିଜୁ ଏକ୍ସପ୍ରେସ ୱେ, ଟାଉନ ହଲ, ଧର୍ମଗଡ ଆଟିଆଇ ଇତ୍ୟାଦି ବିଭିନ୍ନ ଯୋଜନା ଉପରେ ସମୀକ୍ଷା କରିଥିଲେ ।

ନିର୍ମାଣାଧୀନ ପ୍ରକଳ୍ପ ଗୁଡିକ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ନର୍ଲା ରୋଡ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାରଙ୍କ ‘୫ଟି’ ଅଧୀନରେ କଳାହାଣ୍ଡି ଜିଲ୍ଲାର ୨୬ଟି ହାଇସ୍କୁଲକୁ ନିଆଯାଇଥିବା ବେଳେ ସେସବୁର ସମୀକ୍ଷା କରିବା ସହିତ ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଓ ଟାଉନ ହାଇସ୍କୁଲକୁ ପରିଦର୍ଶନରେ ଯାଇ ରୁପାନ୍ତରିତ ହୋଇଥିବା ସ୍ମାର୍ଟ କ୍ଲାସରୁମ, ବିଜ୍ଞାନ ପରୀକ୍ଷାଗାର ଇତ୍ୟାଦି ନିର୍ମାଣ ଉପରେ ସନ୍ତୋଷ ପ୍ରକାଶ କରିବା ସହ ଅନ୍ୟାନ୍ୟ କାର୍ୟ୍ୟ ସବୁ ଶୀଘ୍ର ସାରିଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହିସବୁ ଗସ୍ତ କାର୍ୟ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ଡଃ. ପରାଗ ହର୍ଷଦ ଗାଭାଲି, ଏସପି ଶ୍ରବଣ ବିବେକ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ, ଭବାନୀପାଟଣା ଉପଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.