ଗ୍ୟାସ ଟାଙ୍କି ଫାଟି ଘର ଭସ୍ମୀଭୂତ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବରଗଡ, (ନିରୋଜ କୁମାର ପାଣୀ) : ଗ୍ୟାସ ଟାଙ୍କି ଫାଟି ଯିବାରୁ ଗୋଟିଏ ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଘଟଣାରୁ ପ୍ରକାଶ ଯେ, ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମରହାଟିକିରା ଏମ୍.ପଦ୍ମାବତି ସକାଳ ୧୦ଘଣ୍ଟା ସମୟରେ ରୋଷେଇ କରୁଥିଲେ । ଟାଙ୍କିର ଗ୍ୟାସ ଶେଷ ହୋଇଯିବାରୁ ଅନ୍ୟ ଏକ ସିଲିଣ୍ତର ବଦଳ କରିଥିଲେ । ମାତ୍ର ସିଲିଣ୍ତର ମଝିରୁ ଗ୍ୟାସ ଲିକ ହୋଇ ଜଳିବାରେ ଲାଗିଲା । ସେ ସଙ୍ଗେ ସଙ୍ଗେ ରେଗୁଲେଟର ବନ୍ଦ କରିଥିଲେ । ମାତ୍ର ଟାଙ୍କି ମଝିରେ ଜଳୁଥିବାରୁ ତାହା ବନ୍ଦ ହୋଇନଥିଲା ଏବଂ ନିଆଁ ଘରେ ଲାଗିଯାଇଥିଲା । ଝିଅ ଘର ଭିତରେ ରହିଯାଇଥିଲା । ତାକୁ ଘର ପଛପଟୁ ବାହାର କରିଥିଲେ । ପରେ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା । ଚାଳଘର ହୋଇଥିବାରୁ ଦେଖୁଦେଖୁ ସବୁ ଛାରଖାର ହୋଇଯାଇଥିଲା । ଅତାବିରା ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁ ଜଳି ସାରିଥିଲା । ପଦ୍ମାବତିଙ୍କ କହିବା ଅନୁସାରେ ଘରେଥିବା ୮୦ହଜାର ଟଙ୍କା, ୪ଭରି ସୁନା, ୩ଟି ଆଲମିରା, ଫ୍ରୀଜ, ଟିଭି, ଚାଉଳ, ଆସବାବ ପତ୍ର ସବୁ ପୋଡି ନଷ୍ଟ ହୋଇଯାଇଛି । ପୁଣି ସେ ଟେଲର କାମ କରୁଥିବାରୁ ବହୁ ଲୋକଙ୍କ କପଡା ଜଳିପୋଡି ନଷ୍ଟ ହୋଇଯାଇଛି । ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ, ଜହ୍ନାପଡା ସରପଞ୍ଚ ଅନିଲ ସାହୁ, ଆର ଆଇ ସେଠାକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ବିଜେପିର ଏକ ପ୍ରତିନିଧି ଦଳ ପହଞ୍ଚିଥିଲେ । ବିଜେପି ଜଲ୍ଲା ଉପସଭାପତି ଶୁଶାନ୍ତ ମିଶ୍ର ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ପରିବାରକୁ ଦେଇଥିଲେ । ପ୍ରତିନିଧି ଦଳରେ କୁଶ କମ୍ଭାର, ନିରୋଜ ବାରିକ, ଜିତୁ ଭୋଇ, ବୀରେନ୍ଦ୍ର ହୋତା ପ୍ରମୁଖ ସାମିଲ ଥିଲେ । ସରକାରୀ ସହାୟତା ପାଇଁ ପଡାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.