om academy

ଗ୍ରାମ୍ୟ ଉନ୍ନୟନ, ପାନୀୟ ଜଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନେଇ ଗାଁ ବୁଲିଲେ ନରସିଂହ : ରାସ୍ତା, ପିଇବା ପାଣି ଓ ସାମାଜିକ ସୁରକ୍ଷା ଭତ୍ତା ଉପରେ ଗୁରୁତ୍ୱ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯେ ପର୍ଯ୍ୟନ୍ତ ଜିଲ୍ଲାରେ ଲୋକଙ୍କ ପାଇଁ କାମ କରୁଥିବା ଅଧିକାରୀମାନେ ଗାଁ ଗାଁ ଯାଇ ନିଜ ଆଡୁ ଲୋକଙ୍କୁ ତାଙ୍କର ଅଭାବ ଅସୁବିଧା ବାବଦରେ ପଚାରି ନ ବୁଝିବେ ସେ ପର୍ଯ୍ୟନ୍ତ ଯେତେ ବି ଜନ କଲ୍ୟାଣକାରୀ ଯୋଜନା ଅଛି ତାର ସୁଫଳ ଲୋକେ ପାଇବେ ନାହିଁ ବୋଲି ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭା କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି କ୍ରମରେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସାମାଜିକ ସୁରକ୍ଷା ପାଇଁ କାମ କରୁଥିବା କର୍ମଚାରୀ, ଗ୍ରାମ୍ୟ ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖଙ୍କୁ ନେଇ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମାଧିଆପାଲି ପଂଚାୟତର ରିନବଚନ, ବିରମୁଣ୍ଡା, ଚନ୍ଦନପାଲି, ବନଛୋରପାଲି, ମାଧିଆପାଲି ପ୍ରମୁଖ ଗାଁ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେ ଲୋକଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଅଧିକାରୀମାନଙ୍କୁ ଧରି ଲୋକଙ୍କୁ ତାଙ୍କ ସମସ୍ୟା ପଚାରି ବୁଝିଥିଲେ । ରିନବଚନ ଓ ବିରମୁଣ୍ଡାରେ ନିର୍ମାଣଧିନ ରାସ୍ତା କାମକୁ ଉନ୍ନତମାନର କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ଏବଂ ବାକି ରହିଯାଇଥିବା ରିନ୍‌ବଚନ ଓ ବିରମୁଣ୍ଡା ଗାଁ ଭିତର ରାସ୍ତାକୁ ଶୀଘ୍ର ଅଟକଳ କରି ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଛଅ ମାସ ଭିତରେ ରିନବଚନ ଗାଁରେ ଥିବା ପାନୀୟ ଜଳ ସମାଧାନ ହୋଇଯିବ ଏବଂ ଗାଁର ଘରକୁ ଘର ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ଥିବା ସରକାରୀ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଠିକ୍‌ ସେହିପରି ବିରମୁଣ୍ଡା ପାଇଁ ମଧ୍ୟ ପାନୀୟ ଜଳ ଯୋଗାଣ ପାଇଁ ନୂତନ ପ୍ରସ୍ତାବ ପଠାଇବାର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ର କହିଥିଲେ । ତା ସହ ଗାଁରେ ଥିବା ବିଜୁଳି ସମସ୍ୟା ଏବଂ ସାମାଜିକ ସୁରକ୍ଷା ଅଧିନରେ ଅସୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କର ଏକ ତାଲିକା ବ୍ଲକରୁ ଆସିଥିବା କର୍ମଚାରୀମାନେ ପ୍ରସ୍ତୁତ କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ଯେତେ ଶୀଘ୍ର ହେବ ବିକଳାଙ୍ଗ, ବିଧବା, ବାସଗୃହ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ । ଏହି ଗସ୍ତରେ ରୀନବଚନ ଗାଁର ଆଦର୍ଶପଡାରେ ଏକ ବହୁ ଦିନରୁ ଦାବୀ କରାଯାଉଥିବା କମ୍ୟୁନିଟି ସେଣ୍ଟରର ଶୁଭ ଭିତ୍ତିପ୍ରସ୍ତର ଶ୍ରୀ ମିଶ୍ରଙ୍କ ଦ୍ୱାରା କରାଯିବା ସହ ଚନ୍ଦ୍ରପାଲି ଠାରେ ମଧ୍ୟ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ମାଧିଆପାଲି ପଂଚାୟତର ସମସ୍ତ ଗ୍ରାମରେ ଏ ବର୍ଷ ମଧ୍ୟରେ ପାନୀୟ ଜଳ, ବିଜୁଳି, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାରେ ଅଧିକାରୀମାନେ ତତ୍ପରତା ସହ କାମ କରନ୍ତୁ ବୋଲି ବିଭିନ୍ନ ଗାଁରେ ହୋଇଥିବା ପଥପ୍ରାନ୍ତ ସଭାମାନଙ୍କରେ ଶ୍ରୀ ମିଶ୍ର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ବଲାଙ୍ଗିର ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତି ବଘାର, ଯୁବନେତା ଅଜୟ ବାଲି, ସରପଂଚ ଦିଲିପ ବିଶ୍ୱାଲ,ସମିତି ସଭ୍ୟ ଶ୍ରୀ ନନ୍ଦ, ପଂଚାୟତ ନିର୍ବାହୀ ଅଧିକାରୀ ସୁଷମା ବେହେରା, ପଂଚାୟତର ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.