oom

ମୁଖ୍ୟ ରାସ୍ତା ଉପରେ ଗଦା ଗଦା ଗାଈଗୋରୁ, ପ୍ରତ୍ୟହ ଘଟୁଛି ଛୋଟ ବଡ଼ ଦୁର୍ଘଟଣା : ନିଘା ନାହିଁ ପ୍ରଶାସନର

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟ ରାସ୍ତା ଉପରେ ଗଦା ଗଦା ଗାଈଗୋରୁ । ଏଥିପାଇଁ ପ୍ରତ୍ୟହ ଛୋଟ ବଡ଼ ଅନେକ ଦୁର୍ଘଟଣା ଘଟୁଛି । ଅଥଚ ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ନଥିବା ସ୍ପଷ୍ଟ ଜଣାପଡ଼ୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଏହି ଗାଈଗୋରୁଙ୍କ ମାଲିକମାନେ ନିଜ ନିଜ ଗାଈଗୋରୁଙ୍କୁ ନିଜ ଘରେ ନରଖି ରାସ୍ତା ଉପରେ ଛାଡ଼ି ଦେଉଛନ୍ତି । ଫଳରେ ଗାଈଗୋରୁ ଜନବସତି ଭିତରେ ବୁଲି ବୁଲି ଦୋକାନ ବଜାରରୁ ଯାହା ପାଉଛନ୍ତି ଖାଉଛନ୍ତି ଏବଂ ରାସ୍ତା ଉପରେ ଶୋଉଛନ୍ତି ।

କେବେ ଗାଡ଼ି ସାମ୍‌ନାକୁ ଆସି ଗାଈଗୋରୁ ହତାହତ ହେଉଛନ୍ତି ତ କେବେ ଗାଈଗୋରୁଙ୍କୁ ଧକ୍କା ଦେଇ ଗାଡ଼ି ମଟର ଦୁର୍ଘଟଣାଗ୍ରସ୍ତ ହେଉଛି । ଆମ ସମାଜରେ ଗାଈକୁ ଗୋମାତା ବୋଲି ପୂଜା କରାଯାଏ । ତାଙ୍କର ସେବା କଲେ କୋଟିଏ ଜନ୍ମର ପାପରୁ ମୁକ୍ତି ମିଳେ ବୋଲି ପୁରାଣରେ କୁହାଯାଇଛି । ପୁଣି କୁଆଡେ଼ ଗାଈଗୋରୁଙ୍କ ଶରୀରରେ ତେତିଶ କୋଟି ଦେବତା ବାସ କରୁଥିବା ବି ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଗାଈଗୋରୁ ପ୍ରତି ଅନ୍ୟାୟ ହେଲେ ବି ଆମ ଭିତରେ ବିଦ୍ରୋହ ଜାଗି ଉଠେ । ତେବେ ପୋଷା ଗାଈଗୋରୁଙ୍କୁ ରାସ୍ତା ଉପରେ ଛାଡ଼ିଦେବା କ’ଣ ଗୋରୁମାତାଙ୍କ ଉପରେ ଅନ୍ୟାୟ ନୁହେଁ, ଏଠାରେ ପ୍ରଶ୍ନ ଉଠୁଛି । ପୁଣି ଭୋକ ଉପବାସରେ ରହି ଏହି ଗାଈଗୋରୁମାନେ ରାସ୍ତା ଉପରେ ବୁଲୁଥିବା ଏବଂ ସମୟ ଅସମୟରେ ଦୁର୍ଘଟଣାର ଶିକାର ହେଉଥିବା ଯୋଗୁଁ କ’ଣ ତଥାକଥିତ ପାପର ଭାଗିଦାରୀ ହେଉନାହାନ୍ତି ଗାଈଗୋରୁଙ୍କ ମାଲିକମାନେ ?


ତେବେ ଏ ସମସ୍ୟା ଉପରେ ପ୍ରଶାସନ ପକ୍ଷରୁ ନିତାନ୍ତ କଠୋର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । କାଂଜି ହାଉସ୍‌ ବ୍ୟବସ୍ଥା କରାଯାଇ ଗାଈଗୋରୁଙ୍କୁ ଗୋଟିଏ ସ୍ଥାନରେ ରଖାଯାଇ ମାଲିକମାନେ ନିଜର ଗାଈଗୋରୁ ନେବାକୁ ଆସିଲେ ସେମାନଙ୍କଠୁ ରାସ୍ତା ଉପରକୁ ଆଉ ଗାଈ ଛାଡ଼ିବେ ନାହିଁ ବୋଲି ଲିଖିତ ରଖାଯିବା ସହ ଉଚିତ ଫାଇନ୍‌ ସେମାନଙ୍କଠୁ ଆଦାୟ କରାଯିବା ଏକାନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଯେଉଁ ଗାଈଗୋରୁଙ୍କୁ ସେମାନଙ୍କ ମାଲିକମାନେ ନେବାକୁ ଆସିବେ ନାହିଁ, ସେହି ଗାଈଗୋରୁଙ୍କୁ ଗ୍ରାମାଂଚଳରେ ଚାଷ କାମ କରୁଥିବା ଇଚ୍ଛୁକ ବ୍ୟକ୍ତିଙ୍କୁ ବିନାମୂଲ୍ୟରେ ପ୍ରଦାନ କରି ଦିଆଯିବା ଆବଶ୍ୟକ ବୋଲି ମଧ୍ୟ ମତପ୍ରକାଶ ପାଉଛି ।
ସେ ଯାହା ହେଉ, ଉପରୋକ୍ତ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.