ସ୍କୁଲ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର : ଅନ୍‌ ଲାଇନ୍‌ ପାଠ ପଢା ଫେଲ୍‌

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଅନେକ ଲୋକଙ୍କ ମୁହଁରୁ ହସ ଛଡାଇ ନେଲା । ଜୀବନ ଜୀବିକା ପ୍ରଭାବିତ ହେଲା । ତେବେ ୧୦ ମାସରୁ ଅଧିକ ହେବ ସ୍କୁଲ କଲେଜ ବନ୍ଦ ହୋଇ ପଡିଛି । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇ ପଡ଼ିଲାଣି ।ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଠପ୍‌ ହୋଇ ପଡିଛି । ସରକାର ଅନ୍‌ ଲାଇନ୍‌ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା କରି ପାଠ ପଢିବା ପାଇଁ କହିଲେ, ପିଲାମାନେ ଅନଲାଇନରେ କ୍ଳାସ ମଧ୍ୟ କଲେ । ହେଲେ ଅନଲାଇନ ପାଠ ପଢା ବ୍ୟବସ୍ଥା ଫେଲ୍‌ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି । ଯାହା ପାଖରେ ମୋବାଇଲ ନାହିଁ, ସେ କେମିତି ଶିକ୍ଷା ଲାଭ କରୁଥିବ ତାହା ଏବେ ବଡ଼ ପ୍ରଶ୍ନ । ଅନେକ ଲୋକେ ମୋବାଇଲ ବ୍ୟବହାର କରିବା ଜାଣି ନାହାନ୍ତି । ହେଲେ ସରକାରଙ୍କ ଅନଲାଇନ ଶିକ୍ଷା ବ୍ୟବସ୍ଥା କେତେ ଯୁକ୍ତିଯୁକ୍ତ, ତାହା ଚିନ୍‌ନ୍ତାର ବିଷୟ । କେବେ ସ୍କୁଲ ଖୋଲିବ କେବେ ଛାତ୍ରଛାତ୍ରୀ ସ୍କୁଲ ମୁହଁ ଦେଖିବେ ତାହାକୁ ଅନାଇ ବସିଛନ୍ତି । ବର୍ତ୍ତମାନ ଅଭିଭାବକ ମହଲରେ ଚିନ୍ତା ପାଲଟିଛି ଆଗକୁ ମାଟ୍ରିକ ପରୀକ୍ଷା ହେବ ପିଲାମାନେ ସ୍କୁଲର ମୁହଁ ମଧ୍ୟ ଦେଖି ନାହାନ୍ତି । ଅନେକ ଛାତ୍ର ଛାତ୍ରୀ ଅ ରୁ କ୍ଷ ମଧ୍ୟ ଭୁଲିବାରେ ଲାଗିଲେଣି । ତେବେ ଶିକ୍ଷା ଦାନ ନ କରି କେମିତି ପରୀକ୍ଷା ଦେବେ ତାହାକୁ ନେଇ ଏବେ ଚିନ୍ତାରେ ଅନେକ ଅଭିଭାବକ ଓ ଅଭିଭାବିକାମାନେ । ଅନଲାଇନ କ୍ଳାସ ହେବା ଦ୍ଵାରା ଅନେକ ପିଲାମାନେ କ୍ଳାସ ମଧ୍ୟ କରୁନଥିବା ଦେଖିବାକୁ ମିଳିଛି । ଅନଲାଇନ ପାଠ ପଢା ବାହାନାରେ ଭିଡ଼ିଓ ଗେମ୍‌ ଖେଳିବା ଆରମ୍ଭ କଲେଣି । ଅନେକ ପିଲାମାନେ ମୋବାଇଲ ଧରିବା ଦ୍ଵାରା ପାଠ ପଢାରେ ଡୋରି ବାନ୍ଧିବାରେ ଲାଗିଲାଣି । ତେବେ ବଲାଙ୍ଗିର ଜିଲ୍ଲାରେ ଏବେ କରୋନା ମାହାମାରୀ ଯୋଗୁଁ ଶିକ୍ଷାଦାନରୁ ବଞ୍ଚିତଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ଗତ କିଛି ଦିନ ତଳେ ଆମେ ଖବର ମଧ୍ୟ ପ୍ରକାଶିତ କରିଥିଲୁ ଯେ, ପାଠ ପଢା ବୟସରେ କେତେବେଳେ ଛାତ୍ରଛାତ୍ରୀମାନେ ରାସ୍ତା କଡରେ ଛତୁ ବିକ୍ରି କରୁଛନ୍ତି ତ ଆଉ କେତେବେଳେ ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସଇଁନ୍ତଲା ବ୍ଳକର କିଛି ଦୂରକୁ ଗଲେ ରାସ୍ତା କଡରେ ଝାଡୁ ବିକ୍ରି କରୁଛନ୍ତି ବିଲାସପୁରରୁ ଆସିଥିବା ପରିବାରର ପୁଅ ଝିଅ । ସେମାନେ ପାଠ କ’ଣ ମଧ୍ୟ ଜାଣି ନାହାନ୍ତି । ଫଳରେ ତାଙ୍କ ବାପା ମା’ଙ୍କ ନିର୍ଦ୍ଦେଶରେ ଜାତୀୟ ରାଜପଥରେ ବାଧ୍ୟ ହୋଇ ଝାଡୁ ବିକ୍ରି କରୁଛନ୍ତି । ହେଲେ ଏହି ରାସ୍ତା ଦେଇ ଅନେକ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିବା ବେଳେ ମଧ୍ୟ କାହାର ଦୃଷ୍ଟି ଆକର୍ଷଣ ହେଉନାହିଁ । ତେବେ ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଫେଲ୍‌ ମାରିଥିବା ଚ‌ର୍ଚା ହେଉଛି।

ସେମାନଙ୍କ ମୁହଁରୁ..

ଜ୍ଞାନରଞ୍ଜନ ମହାପାତ୍ର, ଅଭିଭାବକ, ଘୁନସର
କରୋନା ମହାମାରୀ ଯୋଗୁଁ ଶିକ୍ଷା ବ୍ୟବସ୍ଥା ଠପ୍‌ । କେବେ ସ୍କୁଲ ଖୋଲିବ ତାହା ନେଇ ଆମେ ପୁରା ଚିନ୍ତାରେ । ପୁଅ ଝିଅମାନେ ପାଠ ପଢିବା ପାଇଁ ଆଗ୍ରହ ଆଉ ପ୍ରକାଶ କରୁ ନାହାନ୍ତି ।

ଟୁକୁ ସାହୁ, ଅଭିଭାବକ
ଅନଲାଇନ ଶିକ୍ଷା ବ୍ୟବସ୍ଥା ଫେଲ୍‌ ମାରିଛି । ମୋ ଘରେ ତିନି ଜଣ ପୁଅ ଝିଅ । ତେବେ ଗୋଟିଏ ମୋବାଇଲ୍‌ରେ କେତେ ଜଣ ପାଠ ବଢ଼ିବେ ? ତେଣୁ କରି ସ୍କୁଲ ଖୋଲିବା ଆବଶ୍ୟକତା ରହିଛି ।

ରାଜୁ ବେହେରା, ଅଭିଭାବକ
ଦିନ ପରେ ଦିନ ବିତି ଯାଉଛି । ସ୍କୁଲ ଖୋଲିବା ମଧ୍ୟ ବିଳମ୍ବ ହେଉଛି । ତେବେ ଆଗକୁ ମାଟ୍ରିକ ପରୀକ୍ଷା ଥିବା ବେଳେ କେମିତି ଭାବେ ପରୀକ୍ଷା ଦେବେ, ଭଗବାନଙ୍କୁ ଜଣା ।

ବସୁଦେବ ଭୋଇ, ଅଭିଭାବକ
ସ୍କୁଲ ଖୋଲିବା ପାଇଁ ସରକାର ବିଳମ୍ବ କରିଛନ୍ତି । ଆଉ କେତେ ଦିନ ପରେ ସ୍କୁଲ ଖୋଲିବ ? ପିଲାମାନେ ପାଠପଢାରେ ମନ ଲଗାଉ ନାହାନ୍ତି । ତେବେ ଅନ୍‌ଲାଇନ୍‌ରେ ମଧ୍ୟ କିଛି ବୁଝି ପାରୁ ନାହାଁନ୍ତି । ତେବେ ସ୍କୁଲ ଖୋଲିବା ଆବଶ୍ୟକ ।

ଗୁରୁବାର ସାହୁ, ଅଭିଭାବକ
ଦୀର୍ଘ ୮ ମାସରୁ ଅଧିକ ହେଲାଣି ପାଠ ପଢା ଠପ୍‌ ହୋଇ ପଡିଛି । ଯାହା ପାଖରେ ମୋବାଇଲ୍‌ ନଥିବ, ସେ କେମିତି ପଢିବ ? ଯେତେ ଶୀଘ୍ର ହେବ ସ୍କୁଲ ଖୋଲା ଯାଉ ।

ଶୁଭମ ସାହୁ, ଛାତ୍ର
ମୋବାଇଲ୍‌ରେ କିଛି ବି ବୁଝି ହେଉ ନାହିଁ । କରୋନ ମାହାମାରୀ ଯୋଗୁ ସ୍କୁଲ୍‌ ବନ୍ଦ ହୋଇ ପଡିଛି । ଟିୟୁସନ ଯିବା ପାଇଁ ମଧ୍ୟ ଇଚ୍ଛା ହେଉ ନାହିଁ ବୋଲି କହିଛନ୍ତି ।

ଆୟୁଶ୍ରୀ ମହାପାତ୍ର, ଛାତ୍ରୀ, ସ୍ୱରସତୀ ଶିଶୁ ମନ୍ଦିର, ସଇଁନ୍ତଲା
ମନରେ ଆଗ୍ରହ ନାହିଁ, ଶହ ଶହ ସାଙ୍ଗସାଥୀଙ୍କ ମେଳରେ ପାଠ ପଢିବା ଗୋଟିଏ ଅଲଗା ମଜା ।ସ୍କୁଲ ବନ୍ଦ ଯୋଗୁଁ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ା ଠପ୍‌ ହୋଇଛି । ସ୍କୁଲରେ ପାଠ ପଢା ଓ ଅନଲାଇନ୍‌ ଶିକ୍ଷା ବ୍ୟବସ୍ଥା ପୂରା ଅଲଗା ।

Leave A Reply

Your email address will not be published.