ନଈକୁ ଡେଇଁ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଘଟଣା : ଦେଖୁ ଦେଖୁ ଲିଭିଗଲା ସମ୍ଭାବନାମୟ ଦୁଇଟି ଜୀବନ ଦୀପ : ଝୁରୁଛି ସାନ ଭଉଣୀ, ଝୁରୁଛି ଗାଁ ମାଟି

ତୁଷୁରା, (କେପିଏନ୍‌ଏସ୍‌) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଡେଇଁ ଦୁଇ ଭଉଣୀ ଅନ୍‌ମୋଲ ଓ ଆଂଚଲ ଆତ୍ମହତ୍ୟା କରିବାର ତୃତୀୟ ଦିନରେ ଶବ ମିଳିଥିବା ବେଳେ ଆଇନଗତ କାମ ଉତାରୁ ଗୁଡ଼ଭେଲାରେ ପହଂଚିଥିଲା ଦୁଇ ଶବ । କରୁଣ କାନ୍ଦଣାରେ ଫାଟି ପଡ଼ିଲା ଗୁଡ଼ଭେଲା ମାଟି । ଦୁଇ ଭଉଣୀ ଗୋଟିଏ ଜୁଇରେ ଜଳିଲେ । ଦେଖୁ ଦେଖୁ ଲିଭିଗଲା ସମ୍ଭାବନାମୟ ଦୁଇଟି ଜୀବନ ଦୀପ । ବଡ଼ ଭଉଣୀମାନଙ୍କୁ ଝୁରୁଛି ସାନ ଭଉଣୀ, ଝୁରୁଛି ମାଟି । ଦୁଇ ଭଉଣୀ ଯାକ ଖୁବ୍‌ ଭଲ ଛାତ୍ରୀ ଭାବେ ଅଂଚଳରେ ସୁନାମ ଅର୍ଜନ କରିଥିଲେ । ଖୁବ୍‌ ଶାନ୍ତ, କାନ୍ତ, କୋମଳ, କମନୀୟ ତାଙ୍କର ସ୍ୱଭାବ । ତାଙ୍କୁ ଜାଣିଥିବା ଲୋକେ ଯେ କେହି ଏହି ଘଟଣା ଶୁଣିଲେ ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ । କ’ଣ ହେଲା କେଜାଣି ! ଜୀବନକୁ ହାରିଦେବା ଭଳି ପଦକ୍ଷେପ ନେବା ପଛରେ ରହସ୍ୟ କ’ଣ … ଏସବୁର ଅନୁସଂଧାନ କରୁଛି ପୋଲିସ । ଏସ୍‌ଡିପିଓ ଶ୍ରୀକାନ୍ତ ବାରିକଙ୍କ କହିବା ଅନୁସାରେ ଅନୁସଂଧାନ ପରେ ଜଣାପଡ଼ିବ ଅସଲ ରହସ୍ୟ । ହସଖୁସିରେ ସବୁବେଳେ ଚଳଚଞ୍ଚଳ ରାମୋତାରଙ୍କ ପରିବାର ଉପରେ ଛିଣ୍ଡି ପଡ଼ିଲା ଆକାଶିଏ ଦୁଃଖ । ସାରା ପରିବାର ସଂପୂର୍ଣ୍ଣ ଭାଂଗି ପଡ଼ିଛନ୍ତି । ଅନ୍ୟପଟେ ଦୁଇ ଭଉଣୀଙ୍କ ସାଙ୍ଗସାଥୀ ମେଳରେ ବି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦୁହେଁ ଥିଲେ ଭଲ ପାଠ ପଢ଼ୁଥିବା ଛାତ୍ରୀ । ଅନ୍‌ମୋଲ୍‌ ବିବିଏ କରିଥିବା ବେଳେ ଅଂଚଲ କରିଥିଲେ ବିକମ୍‌ । ଆଗାମୀ ସମୟରେ ସେମାନେ ନିଶ୍ଚୟ ବେଶ୍‌ ସୁନାମ ଅର୍ଜନ କରିଥାନ୍ତେ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଦୁଇ ଭଉଣୀ ଯାକ ମାଟ୍ରିକ୍‌ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରିବାରବର୍ଗଙ୍କ କହିବା ଅନୁସାରେ, ସେମାନଙ୍କ ଏଭଳି ପଦକ୍ଷେପ ସଂପର୍କରେ ଟିକିଏ ବି ସୂଚନା ମିଳି ନଥିଲା । ଘଟଣା ଦିନ ୧୨ଟା ଯାଏଁ ବେଶ୍‌ ସବୁକିଛି ସ୍ଥିର ରହିଥିବା ବେଳେ ପରବର୍ତ୍ତୀ ସମୟରେ ସବୁକିଛି ଓଲଟ ପାଲଟ ହେଇଗଲା । ଲିଭିଗଲା ଦୁଇଟି ସମ୍ଭାବନାମୟ ଜୀବନ ଦୀପ । ଏବେ ଝୁରୁଛି ପରିବାର, ଝୁରୁଛି ଗାଁ ମାଟି । ଶୋକାକୁଳ ସାରା ଅଂଚଳ ।

Leave A Reply

Your email address will not be published.