ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ଥାନାରେ ମାମଲା, ଆନ୍ଦୋଳନ ଧମକ ଦେଲା ଆଦିବାସୀ ସଂଘ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଗାଇଖାଇ ଛକ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରଗୁଡିକ ବେଆଇନ ଭାବେ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହାକୁ ନେଇ ଆଦିବାସୀ ସଂଘ ଘର ଭାଙ୍ଗିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ସହ ଏହି ଘର ଭଙ୍ଗା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲା ଆଦିବାସୀ ସଂଘ ଚେତବାନୀ ଦେଇଛି ।
ସୁଚନା ଯୋଗ୍ୟ ଯେ, ସରକାରୀ ନୀତି ନିୟମ ଅନୁଯାୟୀ କିଛି ଦଳିତ ଓ ଆଦିବାସୀ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ ଆଦେଶ ପାଇଥିଲେ । ଛାତ ଲେଭେଲ୍ ପର୍ଯ୍ୟନ୍ତ ଘର ମଧ୍ୟ ତିଆରି ହୋଇ ସାରିଥିଲା । ତେବେ ସେ ଘର ସବୁକୁ ଜେସିବି ମେସିନ ଲଗାଇ ଭାଙ୍ଗି ଦିଆଯାଇଛି । ଘଟଣାକୁ ନେଇ ପ୍ରପୀଡିତ ଦଳିତ ଓ ଆଦିବାସୀ ପରିବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଆଦିବାସୀ ସଂପ୍ରଦାୟର ସୁଶ୍ରୀ ଶବର, ନାରାୟଶ ଶବର, ଦଶରଥ ଶବର, ଝିତ୍ରୁ ଶବର, ଦଳିତ ସଂପ୍ରଦାୟର ତୀର୍ଥ ଦୀପ ଓ ମାଷ୍ଟର ବାଗ ପ୍ରମୁଖ ଘର ନିର୍ମାଣ କରିଥିଲେ । ଏହି ପରିବାରମାନେ ଭୂମିହୀନ ଦଳିତ ଓ ଆଦିବାସୀ ହୋଇଥିବାରୁ ସରକାରୀ ନିୟମ ଅନୁଯାୟୀ ଆଗଲପୁର ତହସିଲଦାର ପ୍ରତ୍ୟେକ ପରିବାରଙ୍କୁ ୪ ଡେସିମିଲ ଲେଖାଏଁ ଜମି ପ୍ରଦାନ କରିଥିଲେ । ସାଲେଭଟା ରାଜସ୍ୱ ନିରୀକ୍ଷକ ଜମି ଚିହ୍ନଟ କରି ଦେଇଥିଲେ । ସରକାରୀ ପଟ୍ଟା, ଆଧାର କାର୍ଡ, ଏସଇବିସି ତାଲିକା ଓ ରାସନ କାର୍ଡ ଆଧାରରେ ଆଗଲପୁର ବିଡିଓ ଗୃହ ମଞ୍ଜୁର କରିଥିଲେ । ତେବେ ଛାତ ପର୍ଯ୍ୟନ୍ତ ଘର ନିର୍ମାଣ ହୋଇଥିବାରୁ ପରିବାର ଲୋକମାନେ ଉପରେ ପଲିଥିନ ଦେଇ ସେହି ଘରେ ରହୁଥିଲେ । ତେବେ ବୁଧବାର ଦିନ ଜେସିବି ମେସିନ ଲଗାଇ ଘର ସବୁକୁ ଭାଙ୍ଗି ଦିଆଯାଇଛି । ଫଳରେ ଏହି ସବୁ ପରିବାର ବର୍ତ୍ତମାନ ବାସହୀନ ହୋଇ ପଡିଛନ୍ତି । ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ରଙ୍କ ନେତୃତ୍ୱରେ ସାଲେଭଟା ସରପଂଚଙ୍କ ସ୍ୱାମୀ ମୋହନ ମୁଣ୍ଡା, ସୁରେଶ ପଣ୍ଡା, ପୂର୍ବତନ ସରପଂଚ ବିଜୟ ବେହେରା, ଅରବିନ୍ଦ ଶତପଥୀ, ସର୍ଭେ ମେହେର, ସୁଶୀଲ ଗୁରୁ ଓ ପ୍ରଫୁଲ୍ଲ ସାହୁ ପ୍ରମୁଖ କରୋନା ସଂକ୍ରମଣକୁ ନେଇ ସଟଡାଉନ ଚାଲିଥିବା ସମୟରେ ଘର ଭାଙ୍ଗି ଦେଇଛନ୍ତି ବୋଲି ପୀଡ଼ିତ ପରିବାର ଓ ଜିଲ୍ଲା ଆଦିବାସୀ ସଂଘ ତରଫରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଆଦିବାସୀ ସଂଘ ତରଫରୁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯିବ ସହିତ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ ଅନୁସାରେ ପିଡିତ ପରିବାରଙ୍କୁ କ୍ଷତିପୂରଣ ପ୍ରଦାନ କରି ଥଇଥାନ କରିବା ତଥା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ବ୍ରଜ କିଶୋର ସିଂଭୋଇ, ମହା ସଚିବ ନିରଞ୍ଜନ ବିଶି, ଅଷ୍ଟରତ୍ନ ବରିହା, ବଳଦେବ ଭୋଇ, ସତ୍ୟ ନାରାୟଣ ଭୋଇ, ବାଳକୃଷ୍ଣ ଶବର, ବିପ୍ର ବିଶି, ବସନ୍ତ ମାଝି, ସନ୍ତୋଷ ପୁଟା, ଶରତ ଚନ୍ଦ୍ର ସିଂଭୋଇ ଓ ବନଲତା ମାଝି ପ୍ରମୁଖ ଦାବୀ କରିଛନ୍ତି । ଅପର ପକ୍ଷରେ ଅଭିଯୁକ୍ତମାନଙ୍କ ନାଁରେ ଥାନାରେ ମାମଲର ରୁଜୁ କରାଯାଇଛି ।

Leave A Reply

Your email address will not be published.