ଅଇଁଲାସାରି ଘଟଣା : ଦଳିତ ସମାଜର ୬ ଦଫା ଦାବୀ : ପୋଲିସ ପ୍ରଶାସନର ଦଳିତ ଦମନ ନୀତି ଜାରି ରହିଲେ ହେବ ବିଶାଳ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଦଳିତ ସମାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦଳିତମାନଙ୍କ ଉପରେ ହେଉଥିବା ଅନ୍ୟାୟ ସଂପର୍କରେ ଆଲୋଚନା କରିଛି । ଗତ ୨୬ ତାରିଖରେ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଅଇଁଲାସାରି ଗ୍ରାମରେ ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିଥିଲା । ସବର୍ଣ୍ଣମାନେ ଗୋଷ୍ଠୀବଦ୍ଧ ହୋଇ ଅସବର୍ଣ୍ଣ ବସ୍ତି ଉପରେ ଆକ୍ରମଣ କରି ଅସବର୍ଣ୍ଣଙ୍କ ଘର, ଆସବାବ ପତ୍ର, ଗାଡି ଆଦି ଭାଙ୍ଗିର ଚୁରମାର କରିବା ସହିତ ଦଳିତ ମହିଳାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଗ୍ରାମରେ ନିର୍ବାଚିତ ସରପଞ୍ଚ ଥାଇ ମଧ୍ୟ ସେ ନିଜ ଦାୟିତ୍ୱ ପୁରଣ ନକରି ଓଲଟା ଦଳିତଙ୍କ ସର୍ବନାଶ କରିବା ପାଇଁ ଲୋକଙ୍କୁ ଉସକାଇଥିଲେ ।ଏହାର ପ୍ରତିବାଦ ସ୍ୱରୁପ ଗ୍ରାମର ଅସବର୍ଣ୍ଣମାନେ ପ୍ରୟ ୪୬ ଜଣଙ୍କ ବିରୁଦ୍ଦରେ ଏଫ୍‌ଆଇଆର ଦାୟର କରିଥିଲେ । କିନ୍ତୁ ପୋଲିସ ଓଲଟା ପୀଡିତ ପକ୍ଷରୁ ୧୦ଜଣଙ୍କୁ ଗିରଫ କରି ଲୋର୍ଟ ଚାଲାଣ କରିଥିଲା । ତେବେ ଏଯାଏଁ ସବର୍ଣ୍ଣ ପକ୍ଷରୁ କେବଳ ୭ ଜଣଙ୍କୁ ଗିରଫ କାରାଯାଇଥିବା ବେଳେ ବାକି ୩୯ ଜଣ ଖୋଲା ବୁଲୁଛନ୍ତି । ସେହିପରି ଧାରାବାହିକ ଭାବେ ସମଲେଶ୍ୱରୀ ହସପିଟାଲରେ ମୃତ ଦଳିତ ମହିଳା, ଭୀମଭୋଇ ମେଡିକାଲରେ ମୃତ ପ୍ରମିଳା ହରପାଲ, ଜିତେନ୍ଦ୍ର ସୁନା ଘଟଣାରେ ପୋଲିସ ଏଯାଏଁ କୌଣସି ଚାର୍ଜସିଟ ପ୍ରସ୍ତୁତ କରିପାରି ନଥିବା ବେଳେ ଓଲଟା ଜିତେନ୍ଦ୍ରଙ୍କ ଦୁଇ ଭାଇଙ୍କୁ ଏନଏସଏ ଆଇନରେ ବନ୍ଦୀ କରିରଖିଛି । ସେହିପରି ଲାଠୋର ଘରପୋଡି ମାମଲା, ସ୍ନେହଲତା ଛତ୍ରିଆ ଗଣଧର୍ଷଣ ମାମଲା, ଚାନୁଟମାଲରେ ଏଟ୍ରୋସିଟି ମାମଲା ଆଜି ପ୍ରଶାସନର ସୁପ୍ତ ଅବସ୍ଥାର ପ୍ରମାଣ ଦେଇଛି । ସେହିପରି ସ୍ଥାନୀୟ ସାଲେଭଟାଠାରେ ୬ ଜଣ ନିରୀହ ଆଦିବାସୀ ଭାଇଙ୍କ ଘରକୁ ଜେସିବି ଲଗାଇ ଧ୍ୱଂସ କରି ଦିଆଯିବାକୁ ନେଇ ଦଳିତ ମହଲରେ ଘୋର ଅସୋନ୍ତୋଷ ବଢିବା ସହିତ ଏହା ପ୍ରଶାସନର ଦଳିତମାରଣ ନୀତିକୁ ସ୍ପଷ୍ଟ କରୁଛି । ଯଦି ଆଗାମୀ ଦିନରେ ପୋଲିସ ପ୍ରଶାସନର ଏଭଲି ଦଳିତମାରଣ ନୀତି ଜାରି ରହେ ତେବେ ସମସ୍ତ ଦଳିତ ଏକ ଜୁଟ ହୋଇ ସଶସ୍ତ୍ର ଆନ୍ଦୋଲନ କରିବାକୁ ପଛାଇବ ନାହିଁ ବୋଲି ଜିଲ୍ଲା ଦଳିତ ସମାଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜିଲ୍ଲା ଦଳିତ ସମାଜର ଅଧ୍ୟକ୍ଷ ବିଜୟ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦଳିତ ସମାଜ ତରଫରୁ ୬ ଦଫା ଦାବୀ ଉପସ୍ଥାପନ କରାଯାଇଥିଲା । ଦାବୀଗୁଡ଼ିକ ହେଲା-ଅଇଁଲାସାରୀ ମାମଲାରେ ଅଭିଯୁକ୍ତ ୪୬ ଜଣଙ୍କୁ ତୁରନ୍ତ ଗିରଫ କାରାଯାଉ । ୧୦ଜଣ ନିର୍ଦ୍ଦୋଷଙ୍କ ନାଁରେ ଲଗାଯାଇଥିବା ମାମଲା ପ୍ରତ୍ୟାହାର କରାଯାଉ । ନିଜେ ଜିଲ୍ଲାପାଳ ଓ ଏସପି ଗାଁକୁ ଯାଇ କ୍ଷୟକ୍ଷତିର ଆକଳନ କରି ପୀଡିତଙ୍କୁ କ୍ଷତିପୁରଣ ପ୍ରଦାନ କରନ୍ତୁ । ପୀଡିତ ମହିଳାମାନଙ୍କୁ ୨୦ ଲକ୍ଷ ଟଙ୍କାର ମାନହାନୀ ରାଶି ପ୍ରଦାନ କରାଯାଉ । ସମସ୍ତ କ୍ଷତିଗ୍ରସ୍ତଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ । ବଲାଙ୍ଗିର ଜିଲ୍ଲାକୁ ଏଟ୍ରୋସିଟି ପ୍ରବଣ ଜିଲ୍ଲ୍‌ା ଘୋଷଣା କରାଯାଉ । ଅନ୍ୟଥା ଚିର ନିର୍ଯ୍ୟାତିତ ଦଳିତମାନେ ଏକଜୁଟ ହୋଇ ଜିଲ୍ଲା ପୋଲିସ ତଥା ପ୍ରଶାସନର ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବେ ନାହିଁ ବୋଲି ଦଳିତ ସଂଘ ତରଫରୁ କୁହାଯାଇଛି । ତେବେ ଆଜିର ଏହି ସମ୍ମିଳନୀରେ ଦଳିତ ମଂଚ ପକ୍ଷରୁ ଏପିଆଇର ରାଜ୍ୟ ସଭାପତି ଦିନେଶ ନାଗ, ବିଏସପି ନେତା ଦ୍ରୋଣ କୁମ୍ଭାର, ରଶ୍ମିକାନ୍ତ, ସୁର୍ଯ୍ୟ ସୁନା, ଜ୍ୟୋତିର୍ମୟ ନାଗ, ତ୍ରିଲୋଚନ ନନ୍ଦ ଓ ରମାକାନ୍ତ ଲବାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.