ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ପଞ୍ଚାୟତର ଦାବଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି । ଏନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଯଦି ସରକାର ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଅଞ୍ଚଳର ୬ ଗୋଟି ଗ୍ରାମର ଜନସାଧାରଣ ଚେତାବନୀ ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, କରମତଲା ପଞ୍ଚାୟତ ଅଧୀନରେ ଥିବା ଦାବଯୋରୀ ଗାଁର ଭଣ୍ଡାରବାଞ୍ଜି ଓ ଭିରକାପଡା ଗ୍ରାମବାସୀମାନଙ୍କୁ ନେଇ ରାମ ମଣ୍ଡପଠାରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକରୁ ଅଞ୍ଚଳବାସୀ ବାଦ ପଡୁଛନ୍ତି । ଏପରିକି କରମତଲା ପଞ୍ଚାୟତରୁ ଦାବଯୋରୀର ଦୂରତ୍ୱ ୧୨ କିମି, ଭଣ୍ଡାରବାଞ୍ଜିର ଦୂରତ୍ୱ ୧୬ ଓ ଭିରକାପଡା ଗାଁର ଦୂର ୧୫ କିମି ରହିଅଛି । ଯାହାଫଳରେ ଲୋକେ କୌଣସି କାମ ପାଇଁ ପଞ୍ଚାୟତକୁ ଯିବା ପାଇଁ ହଇରାଣ ହରକତ ହେଉଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହି ପଞ୍ଚାୟତ ହେଲେ ଝିମନପାଲି, ଲୁଥାକେନ ଓ ଭୋରପଡା ଗାଁ ମଧ୍ୟ ସାମିଲ ହେବ । ଦାବୀପତ୍ର ପ୍ରଦାନ ସମୟରେ ନିତ୍ୟାନନ୍ଦ ଯାନୀ, ଦିଲୀପ ବକୁଳ, ମହାଦେବ ମେସ୍ୱା, କୃଷ୍ଣ ବାଗ, ଶୁକ୍ରୁ କୁମ୍ଭାର, ବାଳକୃଷ୍ଣ ପାତ୍ର, ନାରାୟଣ ଚାଉଳିଆ, ସଞ୍ଜୟ ପାତ୍ର, ରାଧେଶ୍ୟାମ ପାତ୍ର, ରାଧାକାନ୍ତ ପ୍ରଧାନ, ବଳରାମ ପାତ୍ର, ସୁରେଶ ପାତ୍ର ଓ ଉପେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଗ୍ରାମବାସୀମାନେ ବଲାଙ୍ଗିର ଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
Next Post