ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସର ଏକ ପ୍ରତିନିଧି ଦଳ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡି.ପି.ମହାପାତ୍ରଙ୍କୁ ସାକ୍ଷାତ କରି ଆଗାମୀ ଦିନରେ ହେବାକୁ ଥିବା +୩ର ଷଷ୍ଠ ସେମିଷ୍ଟାର ଓ ପିଜି.ର ଚତୁର୍ଥ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା କରିବା ସହ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ହେବାକୁ ଥିବା ପରୀକ୍ଷାକୁ ଅନ୍ଲାଇନ୍ କରାଯିବାକୁ ଅଥବା ଯଦି ଅଫ୍ଲାଇନ୍ ପରୀକ୍ଷା କରାଯାଏ, ତେବେ କୋଭିଡ଼୍-୧୯ ନିୟମ ପାଳନ କରିବା ପୂର୍ବକ ଗୋଟିଏ ଶ୍ରେଣୀ ଗୃହରେ କମ୍ରୁ କମ୍ ସଂଖ୍ୟକ ପିଲାଙ୍କୁ ବସାଇ ସାମାଜିକ ଦୂରତା ରକ୍ଷା କରାଯାଇ ପରୀକ୍ଷା କରାଯିବାକୁ ଆଲୋଚନା କରିଛନ୍ତି ଛାତ୍ର କଂଗ୍ରେସର ପ୍ରତିନିଧି ଦଳ । ଏହାଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସୁରକ୍ଷିତ ରହିବେ ବୋଲି ବିଶ୍ୱାସ କରାଯାଇଛି । ଆଲୋଚନାରେ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କୁ କିଛି ସମୟ ଦିଆଗଲେ, ସେମାନେ ପରୀକ୍ଷା ପାଇଁ ଉଚିତ୍ ପ୍ରସ୍ତୁତ ହୋଇପାରିବେ । ପରୀକ୍ଷା ସଂପର୍କରେ ଯଥାଶୀଘ୍ର ନୋଟିସ୍ ଦିଆଯାଇ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସଂପର୍କରେ ଅବଗତ କରାଇବାକୁ ମଧ୍ୟ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କର୍ତ୍ତୃପକ୍ଷଙ୍କ ପାଖରେ ଦାବୀ କରାଯାଇଛି । ଏହି ପ୍ରତିନିଧି ଦଳରେ ସୁମିତ ପଟ୍ଟନାୟକ, ଟୁଳୁ ସେନ, ସନ୍ମୟ ସାହୁ, ନିରଂଜନ ମିଶ୍ର, ସନତ ପଧାନ, ଲୋପନ ମିଶ୍ର ପ୍ରମୁଖ ସାମିଲ୍ ଥିଲେ ।