ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନକୁ ଏଆଇଡିଏସଓ ର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତ୍ତନ କରିବା ପାଇଁ ରାଜ୍ୟ କ୍ୟାବିନେଟର ଅନୁମୋଦନକୁ
ଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ କମିଟି ତରଫରୁ ଦୃଢ ବିରୋଧ କରାଯାଇଛି । ଏ.ଆଇ.ଡି.ଏସ.ଓ ଓଡିଶା ରାଜ୍ୟ ପରିଷଦ ସଭାପତି ଗଣେଶ ତ୍ରିପାଠୀ ଓ ସଂପାଦକ ସୁବାସ ନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ ହାତରୁ କାଢି ନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ହାତରେ ନ୍ୟସ୍ତ କରିବା, ସିନେଟ ବ୍ୟବସ୍ଥା ସଂପୂର୍ଣ୍ଣ ହଟାଇଦେବା, କୂଳପତି ଚୟନ କମିଟିରେ ସିନେଟ୍ ରୁ ଜଣେ
ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା, ଐତିହ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ସଂପୂର୍ଣ୍ଣ ବାତିଲ କରି ଏକକ ଆଇନ ଲାଗୁ କରିବା ଆଦି ନିଷ୍ପତ୍ତି ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ, ଛାତ୍ର-ଶିକ୍ଷକ ବିରୋଧୀ ତଥା ବିଶ୍ୱଦିଦ୍ୟାଳୟ ଆଇନର
ସଂପୂର୍ଣ୍ଣ ପରିପନ୍ଥୀ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା କ୍ଷୂର୍ଣ୍ଣ ହେବା ସହ ଶିକ୍ଷାର କେନ୍ଦ୍ରୀୟକରଣ ଓ ଅମଲାତାନ୍ତ୍ରୀକରଣ ଘଟିବ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ଯେତିକି ବି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଥିଲା ତାହା ମଧ୍ୟ ନଷ୍ଟ ହୋଇଯିବ । ସେହିଭଳି ବିଶ୍ୱବିଦ୍ୟାଳୟମାନେ ଚାହୁଁଥିବା
ଅନୁଦାନ ଯୋଗାଇ ନଦେଇ କେବଳ କୂଳପତିମାନଙ୍କ କାର୍ଯ୍ୟକାଳକୁ ୩ ରୁ ୪ ବର୍ଷ ବୃଦ୍ଧି ତଥା କାର୍ଯ୍ୟକରିବାର ବୟସ ୬୭ ପର୍ଯ୍ୟନ୍ତ ବୃଦ୍ଧିକଲେ
ଶିକ୍ଷାର କୌଣସି ଗୁଣାତ୍ମକ ପରିବର୍ତ୍ତନ ହେବ ନାହିଁ, ବରଂ ସରକାର ଚାହୁଁଥିବା ବ୍ୟବସାୟୀକଣ ତ୍ୱରାନ୍ୱିତ ହେବ । କୂଳପତି ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରତିନିଧି ରଖିବା ପାଇଁ ଆଇନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ମଧ୍ୟ କ୍ଷମତାରେ ଥିବା ରାଜନୈତିକ ଦଳଙ୍କ ସ୍ୱାର୍ଥ ରକ୍ଷା
କରିବ, ଶିକ୍ଷାବିତ, ବୁଦ୍ଧିଜୀବୀମାନଙ୍କର ଗୁରୁତ୍ୱ ଯଥେଷ୍ଟ ହ୍ରାସ ପାଇବା ସହିତ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ରହିବ । ଆହୁରି ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟାକୁ ବିଶ୍ୱବିଦ୍ୟାଳୟମାନଙ୍କ ହାତରୁ କାଢି ନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ହାତରେ ନ୍ୟସ୍ତ କରିବା ଫଳରେ ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ପ୍ରିୟା ପ୍ରୀତିତୋଷଣ ଦେଖାଦେବ । କହିବାକୁଗଲେ ବିଶ୍ୱବିଦ୍ୟାଳୟମାନଙ୍କରେ
ଅଧ୍ୟାପକ ନିଯୁକ୍ତି ନଦେବା ପାଇଁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡିଶା ପବ୍ଲିକ ସର୍ଭିସ କମିଶନ ସରକାରଙ୍କ ଦ୍ୱାରା ଏକ ମନୋନୀତ ସଂସ୍ଥା । ଯୋଗ୍ୟତା ଓ କ୍ଷମତା ଦୃଷ୍ଟିରୁ ବରିଷ୍ଠ ପ୍ରଫେସରମାନଙ୍କୁ ନିଯୁକ୍ତି ଦେବା ପାଇଁ ଏହା ଏକ ଉପଯୁକ୍ତ ସଂସ୍ଥା ନୁହେଁ । ଭବିଷ୍ୟତରେ ଓଡିଶାରେ
ଯୋଗ୍ୟତା ସମ୍ପନ୍ନ ପ୍ରଫେସରମାନେ ଓପିଏସସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବେ ନାହିଁ । ଅନ୍ୟପଟରେ ଐତିହ୍ୟସମ୍ପନ୍ନ ରେଭେନ୍ସା
ବିଶ୍ୱବିଦ୍ୟାଳୟକୁ ଧ୍ୱଂସ କରିବାକୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ଯେଉଁ ଆଇନ ବଳରେ ୨୦୦୫ ମସିହାରେ ଏକକ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ ହୋଇଥିଲା ତାହାକୁ ମଧ୍ୟ ବାତିଲ କରିଦେଇଛନ୍ତି । ଆଜି ରାଜ୍ୟର ଜନଗଣ, ଶିକ୍ଷକସମାଜ, ଛାତ୍ରସମାଜ ଯେତେବେଳେ କରୋନା
ମହାମାରୀ ଯୋଗୁଁ ଲକଡାଉନ ଭିତରେ ଜୀବନ ବିତାଉଛନ୍ତି ସେତେବେଳେ ରାଜ୍ୟ ସରକାର ଅତ୍ୟନ୍ତ ଅନ୍ୟାୟ ଅଗଣତାନ୍ତ୍ରିକ, ଫାସୀବାଦୀ ତରିକାରେ
ବିଶ୍ୱବିଦ୍ୟାଳୟ ଶିକ୍ଷାଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସଂର୍ପକରେ କାହା ସହିତ ଆଲୋଚନା ନକରି ରାଜ୍ୟ କ୍ୟାବିନେଟ୍ ବହୁ ଦିନରୁ ଲାଗୁ କରାଯାଇଥିବା ଆଇନକୁ ପରିବର୍ତ୍ତନ କରିଛନ୍ତି । ଏହାକୁ ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଦୃଢ ବିରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ରାଜ୍ୟରେ ଏକକ ସିଲାବସ ଓ ପି.ଜି କୋର୍ସ ଆଡିମିଶନ ପାଇଁ ଏକକ ପ୍ରବେଶିକା ପରୀକ୍ଷା
ପ୍ରଚଳନ କରାଯାଇ କେନ୍ଦ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ଆଇନର ସଂଶୋଧନ ସେହି କେନ୍ଦ୍ରୀକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ସହ ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ରତାକୁ ସଂପୂର୍ଣ୍ଣ ଧ୍ୱଂସ କରିବ ଏବଂ ଶିକ୍ଷାର ବ୍ୟବସାୟୀକରଣ ଓ ଘରୋଇକରଣର ଦ୍ୱାରକୁ ସଂପୂର୍ଣ୍ଣ
ଉନ୍ମୁକ୍ତ କରିଦେବ । ସରକାରଙ୍କର ଏହି ପଦକ୍ଷେପ ଶିକ୍ଷାର ସ୍ୱାତନ୍ତ୍ରତା ପାଇଁ ଲଢିଥିବା ନବଜାଗରଣ ଯୁଗର ମହାମନିଷୀମାନଙ୍କ ପ୍ରତି ଚରମ ଅସମ୍ମାନ ଓ ଅବୈଜ୍ଞାନିକ ପ୍ରକ୍ରିୟାର ନିଦର୍ଶନ ମାତ୍ର । ରାଜ୍ୟର ଛାତ୍ର ସମାଜ ଏହି ଶିକ୍ଷା ଧ୍ୱଂସକାରୀ ପଦକ୍ଷେପ ବିରୁଦ୍ଧରେ ଦୁର୍ବାର ଛାତ୍ର ଆନ୍ଦୋଳନ ସଂଗଠିତ କରିବାକୁ ଏ.ଆଇ.ଡି.ଏସ.ଓ ତରଫରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.