ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଲୋକମାନଙ୍କ ସୁବିଧା ପାଇଁ ଅନେକ ଗୁଡିଏ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ୍ ହୋଇଥିବା ଦେଖିବାକୁ ମିଳିଛି । ବଲାଙ୍ଗିର ସଇଁନ୍ତଲା ବ୍ଲକର ସଇଁନ୍ତଲା-ବାଦିପଡାକୁ ସଂଯୋଗ କରୁଥିବା ଲାନ୍ଥନଦୀ ସେତୁ ନିର୍ମାଣ ପାଇଁ ୧୨କୋଟି ୯୪ଲକ୍ଷ ବ୍ୟୟ ଅଟକଳରେ ସେତୁ ଶୁଭାରମ୍ଭ ଗତ ୨୦୧୬ ମସିହାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ । ୨୦୧୮ ମେ’ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ତ୍ତମାନ ୨୦୨୧ ମସିହା ଆସିଲାଣି, ତଥାପି ତାହା ସଂପୂର୍ଣ୍ଣ ହୋଇ ପାରିନାହିଁ । ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହି ସେତୁ କାର୍ଯ୍ୟ ବିଲମ୍ବକୁ ନେଇ ଅନେକ ଥର ସ୍ଥାନୀୟ ପ୍ରତିନିଧି ସମେତ ଅଂଚଳବାସୀ ଅନେକ ଥର ରାସ୍ତା ରୋକ ମଧ୍ୟ କରି ସାରିଛନ୍ତି, ହେଲେ ପ୍ରଶାସନର ପ୍ରତିଶ୍ରୁତିି ପରେ ପ୍ରତିଶ୍ରୁତିରେ ଦିନ ବିତୁଛି । କାମ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଏକ ଘନଘୋର ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି । ତେବେ ସଇଁନ୍ତଲା ବ୍ଲକକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରିଥିବା ବେଳେ ସ୍ଥାନୀୟ ବାସିନ୍ଦା ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସିଂ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆଗାମୀ ଦିନରେ ଖୁବ ଶୀଘ୍ର ଅଂଚଳବାସୀଙ୍କ ସମସ୍ୟାର ସମାଧାନ ହେବ । ପ୍ରକାଶ ଥାଉ କି ଯେ, ଏହି ସେତୁ ଉପରେ ଡୁଙ୍ଗୁରିପାଲି, ଘୁନସର, ଆମ୍ବପାଲି, ବାଦିପଡା, କୁଆଁରଗାଁ ଭଳି ଅନେକ ଗ୍ରାମର ଜନସାଧାରଣ ନିର୍ଭର କରୁଛନ୍ତି । ତୁରନ୍ତ ଏହି ସେତୁ କାର୍ଯ୍ୟ ହୋଇପାରିଲେ ଅଂଚଳବାସୀ ଉପକୃତ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି ।
Prev Post
Next Post