ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ : ଜିଲ୍ଲା ବିଜେଡି ଯୁବ ସଭାପତି ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହିଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ମାଙ୍କଡଚୁଆଁ ଗ୍ରାମରେ ଘଟିଥିବା ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କୁ ଆକ୍ରମଣ ଘଟଣା ବିଷୟରେ ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ବରକାନୀ ପଞ୍ଚାୟତର ସରପଞ୍ଚ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କଂଗ୍ରେସ କହିଛି । ଶ୍ରୀ ହୋତା ତାଙ୍କ ପରିବାର ବରକାନୀ ଅଂଚଳରେ କିଛି ଅସମାଜିକ ଯୁବକମାନଙ୍କୁ ନେଇ ସେ ଏକ ଅପରାଧିକ ସମ୍ରାଜ୍ୟ ବିସ୍ତାର କରି ଦୀର୍ଘ ବର୍ଷରୁ ଏକ ଭୟାତୁର ପରିସ୍ଥିତି ସୃଷ୍ଟି କରିଛନ୍ତି । ଏହି ଘଟଣାରେ ମଧ୍ୟ ତାଙ୍କ ପରିବାରବର୍ଗ ସାମିଲ ଥିବାବେଳେ ଶ୍ରୀ ହୋତା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ମାଷ୍ଟର ମାଇଣ୍ଡ । ତେଣୁ ବଲାଙ୍ଗିର ପୋଲିସ ଶ୍ରୀ ହୋତାଙ୍କୁ ଗିରଫ କରିବା ସହିତ ବିଜୁ ଜନତା ଦଳ ତାଙ୍କୁ ବଜେଡି ଯୁବ ସଭାପତି ପଦରୁ ତୁରନ୍ତ ନିଲମ୍ବନ କରୁ ବୋଲି କଂଗ୍ରେସ ଦାବୀ କରିଛି ।

ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ କଂଗ୍ରେସ ଆହୁରି କହିଛି ଯେ, ମାକଡଚୁଆଁରେ ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା ପରେ ସରପଞ୍ଚ ଶ୍ରୀ ହୋତା ଦ୍ୱାରା ଆଦିବାସୀ ମିର୍ଦ୍ଧା ପରିବାରକୁ ନିପାତ କରିଦେବା ଧମକ, ପୀଡିତ ଯୁବକଙ୍କୁ ପୁନଃ ଆକ୍ରମଣ ଓ ପରେ ଅପହରଣ ହୋଇ ପୋଲିସ ଦ୍ୱାରା ଉଦ୍ଧାର ହୋଇ ସାରିଲାଣି । କିନ୍ତୁ ଏଭିତରେ ଆଜିକୁ ସାତ ଦିନ ହୋଇ ସାରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି । ଯେହେତୁ ଏହି ଘଟଣା ମୁଖ୍ୟ ଅଭିଯୁକ୍ତ ସରକାରୀ ଦଳର ଜଣେ ସରପଂଚ ତଥା ବର୍ତ୍ତମାନ ବଲାଙ୍ଗିର ବିଜେଡିର ଜିଲ୍ଲା ଯୁବ ସଭାପତି ପଦବୀରେ ଅଛନ୍ତି, ତେଣୁ ପୋଲିସ ପାଖରେ ପୀଡିତମାନେ ସ୍ପଷ୍ଟ ଭାବେ ସରପଂଚ ଥିବା ଜିଲ୍ଲା ଯୁବ ସଭାପତି ରାଜେନ୍ଦ୍ର ହୋତାଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲେ ସୁଦ୍ଧା ପୋଲିସ ଆଜି ପର୍ୟ୍ୟନ୍ତ ତାଙ୍କୁ ହାତ ଲଗାଇ ପାରିନାହିଁ ବୋଲି କଂଗ୍ରେସର ଜିଲ୍ଲା ସଭାପତି ଦିଲୀପ ବେହେରା ସାମ୍ବାଦିକମାନଙ୍କୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜେନ୍ଦ୍ର ହୋତା ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । କାରଣ ଗତ ପଂଚାୟତ ନିର୍ବାଚନ ବେଳେ ନିର୍ବାଚନ ଜିତିବା ପରେ ଶ୍ରୀ ହୋତା ଓ ତାଙ୍କ ସହେଯାଗୀ ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ଆକ୍ରମଣର ଭୟ ଦେଖାଇବା ସହ ତାଙ୍କର ଘରଦ୍ୱାରରେ ନିଆଁ ଲଗାଇ ଦଙ୍ଗା ଭଳି ପରିସ୍ଥିତ ସୃଷ୍ଟି କରିଥିଲେ । ଏପରିକି ଗତ ୧୦ ନଭେମ୍ବରରେ ତାଙ୍କ ପରିବାରର ଲୋକେ ମାଙ୍କଡଚୁଆଁର ଜଣେ ଆଦିବାସୀ ମହିଳା ମଞ୍ଜୁଲତା ମୁଣ୍ଡାଙ୍କୁ ମାଡ ମାରିଥିବା ସ୍ପଷ୍ଟ ଅଭିଯୋଗ ହୋଇଥିଲେ ମଧ୍ୟ ସ୍ଥାନୀୟ ବିଜେଡିର ନେତୃତ୍ୱ ନେଉଥିବା ରାଜ ପରିବାରଙ୍କ ଛତ୍ରଛାୟାରେ ଥିବା ରାଜେନ୍ଦ୍ର ହୋତା ଓ ତାଙ୍କ ପରିବାରବର୍ଗଙ୍କୁ ଗିରଫ କରିବା ପାଇଁ ପୋଲିସ କୌଣସି ଉଦ୍ୟମ କରିନାହିଁ । ସେହିପରି ଏହି ଘଟଣାରେ ମଧ୍ୟ ସେ ଆଦିବାସୀ ମିର୍ଦ୍ଧା ପରିବାରଙ୍କୁ ନିପାତ କରିଦେବାକୁ ଧମକ ଦେଇଥିବା ଅଭିଯୋଗ ହେବା ସତ୍ୱେ ପୋଲିସ ତାଙ୍କୁ ଗିରଫ କରିବା ଦୂରର କଥା, ଏଫଆଇଆରରୁ ତାଙ୍କ ନାଁ ମଧ୍ୟ ଉଭାନ ହୋଇଯିବା ଆଶ୍ଚର୍ୟ୍ୟର ବିଷୟ । ତେଣୁ ଉପରୋକ୍ତ ଘଟଣାରେ ଶ୍ରୀ ହୋତା ଓ ତାଙ୍କ ସହେଯାଗୀଙ୍କୁ ତୁରନ୍ତ ଗିରଫ ନକରାଗଲେ କଂଗ୍ରେସ ଦଳ ଜିଲ୍ଲାର ସମସ୍ତ ଆଦିବାସୀ ଓ ଦଳିତଙ୍କୁ ଏକତ୍ରିତ କରି ପୋଲିସ ଅଧୀକ୍ଷକଙ୍କ କାର୍ୟ୍ୟାଳୟ ଘେରାଉ କରିବା ସହ ଜୋରଦାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବେହେରା ଚେତାଇ ଦେଇଛନ୍ତି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅଞ୍ଚଳବାସୀ ଉପରେ ବାରମ୍ବାର ଆକ୍ରମଣ ନିର୍ୟ୍ୟାତନା ବଢିବା ତଥା ମାଙ୍କଡଚୁଆଁ ଆଦିବାସୀ ଯୁବକ ଶ୍ରୀକର ମିର୍ଦ୍ଧାଙ୍କ ଅଭିଯୋଗ ଅନୁଯାୟୀ ସରପଂଚ ରାଜେନ୍ଦ୍ର ହୋତାଙ୍କୁ ତୁରନ୍ତ ଗିରଫ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ ସଦରଥାନା ଘେରାଓ କରାଯାଇଥିଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ଡାକରାରେ ଆଜିର ଏହି ଥାନା ଘେରାଓରେ ମାଙ୍କଡଚୁଆଁ ଗ୍ରାମର ପୀଡିତ ମିର୍ଦ୍ଧା ପରିବାର ସହ ଶତାଧିକ ମହିଳା ଓ ପୁରୁଷ ପୋଲିସର ନିସ୍କ୍ରୟତା ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ । ଜିଲ୍ଲାରେ ଦିନକୁ ଦିନ ଆଦିବାସୀ ଦଳିତଙ୍କ ଉପରେ ଅତ୍ୟାଚାର ବଢିଚାଲିଛି ଏବଂ ଏ ସମସ୍ତ ଘଟଣାରେ ଅଭିଯୁକ୍ତମାନେ ସରକାରୀ ଦଳ କିମ୍ବା ସରକାରୀ ଦଳର ଛତ୍ରଛାୟାରେ କାମ କରୁଥିବା ଅସମାଜିକ ତତ୍ୱ ବୋଲି ବାରମ୍ବାର ପ୍ରମାଣ ଦେବା ସହ ପୋଲିସ ପ୍ରଶାସନ ନୀରବ ରହୁଥିବାରୁ ଜିଲ୍ଲା କଂଗ୍ରେସ ନେତୃତ୍ୱ ଯେ ପର୍ୟ୍ୟନ୍ତ ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ସରପଂଚଙ୍କୁ ଗିରଫ କରି ତାଙ୍କ ପଦବୀରୁ ନିଳମ୍ବନ ନ କରାଯିବ, ସେ ପର୍ୟ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।

Leave A Reply

Your email address will not be published.