ଦେବୀନଗର ଉନ୍ନୟନ କମିଟି ଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଦେବୀନଗର ସାହିର ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏକ ନୂତନ କମିଟି ଗଠନ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ବିଶିଷ୍ଟ ବାସ୍ତୁଶାସ୍ତ୍ରବିତ କୃଷ୍ଣଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛତ୍ରପୁର ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ପକ୍ଷରୁ ତାଙ୍କ ସ୍ୱାମୀ କେ.ଚନ୍ଦ୍ରଶେଖର ରେଡ୍ଡୀ ଯୋଗଦେଇ ଦେବୀନଗରର ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇଥିଲେ । ଦେବୀନଗର ସାହିରେ ପର୍ଯ୍ୟାୟକ୍ରମେ ସମସ୍ତ କାର୍ଯ୍ୟ ଓ ଅଦ୍ଭାବ ଅସୁବିଧା ଧୀରେ ଧୀରେ ସୁଧାର ଅଣାଯିବ ବୋଲି ଶ୍ରୀ ରେଡ୍ଡୀ ସ୍ୱଷ୍ଟ କରିଥିଲେ । ଶାଖା ପରିବର୍ଦ୍ଧିତ ଅଞ୍ଚଳ ସହ ତିନିଲେନ୍ ବିଶିଷ୍ଟ ଦେବୀନଗର ସାହିର ସର୍ବବିଧ ଉନ୍ନତି କଳ୍ପେ ଏହି ସାହିର କେତେକ ଜ୍ଞାନୀଗୁଣି ଜନଙ୍କୁ ନେଇ ଦେବୀନଗର ଉନ୍ନୟନ କମିଟି ନାମରେ ଏକ ସଂଗଠନ କରାଗଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅବସରରେ ସାହି ସଂଗଠନକୁ ପରିଚାଳନା କରିବା ନିମନ୍ତେ ଏକ ଅସ୍ଥାୟୀ କମିଟି ଗଠନ କରାଗଲା । ବରିଷ୍ଠ ଶିକ୍ଷାବିତ ଜି.ପାପାରାଓଙ୍କୁ ସଭାପତି ଏବଂ କେ.ସତ୍ୟନାରାୟଣ ରେଡ୍ଡୀଙ୍କୁ ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସେହିପରି ସହସମ୍ପାଦକ ଭାବେ ପବିତ୍ର କୁମାର ନାହାକ ଏବଂ କୋଷାଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ଜେନା ଏବଂ ଆଇନ ପରାମର୍ଶଦାତା ଭାବେ ଆଡ଼ଭୋକେଟ ପ୍ରମୋଦକୁମାର ପୁରୋହିତ ଏବଂ ସ୍ଥାନୀୟ କାଉନ୍‌ସ୍‌ଲର ସୁମନ୍ତ କୁମାର ନାହାକଙ୍କୁ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଶ୍ରୀଶ୍ରୀ ବ୍ୟାଘ୍ରଦେବୀ ମନ୍ଦିରର ପରିଷ୍କାର ଓ ପରିଚ୍ଛନତା ସହ ମନ୍ଦିରର ଉନ୍ନତି, ପ୍ରତ୍ୟେକ ସାହିର ନାଳନର୍ଦ୍ଧମା ପରିଷ୍କାର କରିବା, ସାହିର ପ୍ରତ୍ୟେକ ଲୋକ ନାଳରେ ଓ ବାହାରେ ଅଳିଆ ନ ପକାଇ ଏନ୍.ଏ.ସି.ର ଅଳିଆ ଗାଡ଼ିରେ ପକାଇବା, ସ୍ଥାନୀୟ ଗେଟ୍ ବନ୍ଧକୁ ଏକ ଆଦର୍ଶ ପୁଷ୍କରିଣୀରେ ପରିଣତ କରିବା ଓ ଏହାର ସୌନ୍ଦର୍ଯ୍ୟିକରଣ କରିବା ପାଇଁ ମତପ୍ରକାଶ ପାଇଥିଲା । ଏହାର ଆବଶ୍ୟକତା ନେଇ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପ୍ରାଥମିକସ୍ତରୀୟ କ୍ରମେ ସୋମବାର ଠାରୁ ଦେବୀନଗର ସାହି ମଧ୍ୟରେ ଥିବା ସମସ୍ତ ନାଳ-ନର୍ଦ୍ଧମା ଗୁଡିକ ସଫେଇ କାର୍ଯ୍ୟ ଏବଂ ପୋତି ହୋଇପଡ଼ିଥିବା ନାଳରେ ମାଟି ଓ କାଦୁଅ ସଫା କାର୍ଯ୍ୟାରମ୍ଭ କରାଯାଇଛି ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!