p purohi

ଶ୍ମଶାନ ସ୍ଥଳକୁ ଛଡେ଼ଇ ନେଲା ସିଆର୍‌ପିଏଫ୍‌ କାର୍ଯ୍ୟାଳୟ : ଜନ ଅସନ୍ତୋଷ ବଢ଼ୁଛି

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ଗୋଫାର୍ମ ପାଖରେ ରହିଥିବା ଶ୍ମଶାନ ସ୍ଥଳକୁ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଛଡେ଼ଇ ନେବା ପରେ ଏବେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସୂଚନା ଅନୁସାରେ ଦୀର୍ଘ ୫୦ ବର୍ଷ ଧରି ଶାନ୍ତିପଡ଼ା, କନ୍ଧପାଲିପଡ଼ା, ଲର୍କିପାଲି, ଲାଲଟିକ୍ରା, ଚନ୍ଦ୍ରଶେଖରନଗର ତଥା ସରକାରୀ ଆଇଟିଆଇ ପାଖାପାଖି ଅଂଚଳରେ ବସବାସ କରୁଥିବା ଲୋକେ ଏହି ଶ୍ମଶାନରେ ଶବଦାହ କରି ଆସୁଥିଲେ । କିନ୍ତୁ ସ୍ଥାନୀୟ ଗୋଫାର୍ମ ପରିସରରେ ଗଢ଼ି ଉଠିଥିବା ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ଗତ ଦୁଇ ତିନି ବର୍ଷ ହେବ ଶ୍ମଶାନ ସ୍ଥାନକୁ ଅକ୍ତିଆର କରିନେବା ପରେ ସେଠାରେ ଶବ ଦାହ କରିବାକୁ ମନା କରି ଦିଆଯାଇଥିଲା । ତେବେ ଏ ସଂକ୍ରାନ୍ତରେ ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇବାରେ ପରେ ସେ କୁଆଡେ଼ କହିଥିଲେ ଯେ, ତୁମେ ଜାଗ ଠିକ୍‌ କରି କୁହ, ଆମେ ସେଠାରେ ଶ୍ମଶାନ ତିଆରି ଦେବୁ । ୟା’ ପରେ ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ର ଯୁବକମାନେ ଜିଲ୍ଲା ପ୍ରଶାସନକୁ ଜାଗାଟିଏ ପାଇଁ ଜଣାଇଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଶ୍ମଶାନ ଘାଟ ପାଇଁ ଜାଗାଟିଏ ହସ୍ତାନ୍ତର କରାଯାଇ ପାରି ନଥିବା ଜଣାପଡ଼ିଛି । ତେବେ ଆଖପାଖର ଲୋକେ ଅନନ୍ୟୋପାୟ ହୋଇ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀ ପାଖରେ ଶବ ଦାହ କରୁଥିବା ବେଳେ ଆଜି ‘ଏହି ସ୍ଥାନରେ ଶବ ଦାହ କରନ୍ତୁ ନାହିଁ’ ବୋଲି ଏକ ବୋର୍ଡ ମରାଯାଇଥିବା ଦେଖିବାକୁ ମିଳିଛି । ଏହି ବିଷୟକୁ ନେଇ ସ୍ଥାନୀୟ ଅଂଳଚରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଦେଇଛି । ଆଗାମୀ ଦିନରେ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ସାମ୍‌ନାରେ ସ୍ଥାନୀୟ ଅଂଚଳବାସୀ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଆଲୋଚନା ହେଉଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୫୦ ବର୍ଷ ଧରି ସଂପୃକ୍ତ ଅଂଚଳର ଲୋକେ ଶବ ଦାହ କରୁଥିବା ଏହି ଶ୍ମଶାନ ସ୍ଥଳରେ ସରକାରୀ ଅନୁଦାନରେ ଏକ ନଳକୂପ, ବାଉଣ୍ଡରୀ ୱାଲ ତଥା ଏକ ବିଶ୍ରାମ ସ୍ଥଳ ମଧ୍ୟ ନିର୍ମାଣ ହୋଇଥିଲା । କିନ୍ତୁ ହଜାର ହଜାର ଲୋକ ନିର୍ଭର କରୁଥିବା ଏହି ସ୍ଥାନକୁ ଅକ୍ତିଆର କରିନେଲା ସିଆର୍‌ପିଏଫ୍‌ କାର୍ଯ୍ୟାଳୟ । ଏବେ ଲୋକେ ବାର ଦୁଆର, ଶୁଣ୍ଢି ପିଣ୍ଢ।। ଅବସ୍ଥାରେ । ଏ ସଂପର୍କରେ ଶାନ୍ତିପଡ଼ାର ବାସିନ୍ଦା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ରଥ କହିଛନ୍ତି ଯେ, ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ ପାଇଁ ଜିଲ୍ଲା ପ୍ରଶାସନ କହି ଜାଗା ଚିହ୍ନଟ କରାଯାଇ ଏକ ଶ୍ମଶାନ ତିଆରି କରିଦେବା ପରେ ସିଆର୍‌ପିଏଫ୍‌ ପକ୍ଷରୁ ଏହି ସ୍ଥାନ ଅକ୍ତିଆର କରାଯିବା ଉଚିତ ଥିଲା । କିନ୍ତୁ ଏଭଳି ନ କରି ଅଂଚଳବାସୀଙ୍କୁ ତୁମେ ଜାଗା ଠିକ୍‌ କଲେ, ଶ୍ମଶାନ ତିଆରି ଦେବୁ ବୋଲି କହିବା ଏବଂ ବର୍ଷ ବର୍ଷ ଧରି ଲୋକଙ୍କୁ ହଇରାଣ କରିବା ଅତ୍ୟନ୍ତ ପରିତାପର ବିଷୟ ।

ସେହିଭଳି ଶାନ୍ତିପଡ଼ା ଟାଇଗର୍‌ ୟୁଥ୍‌ କ୍ଲବ୍‌ ପକ୍ଷରୁ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରାଯାଇଛି । କୁହାଯାଇଛି ଯେ, ଯେଉଁଠି ବି ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପ୍ରତିଷ୍ଠା ହୁଏ, ସେଠାରେ ଆଖପାଖ ଅଂଚଳରେ ସିଆର୍‌ପିଏଫ୍‌ ପକ୍ଷରୁ ଅନେକ ଜନାଭିମୁଖୀ ବିକାଶ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । କିନ୍ତୁ ଶାନ୍ତିପଡ଼ା ନିକଟସ୍ଥ ସିଆର୍‌ପିଏଫ୍‌ କ୍ୟାମ୍ପ ଦ୍ୱାରା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ସ୍ଥଳ ଛଡେ଼ଇ ନିଆଯିବା, କେଉଁପ୍ରକାର ଜନାଭିମୁଖୀ ବିକାଶ କାର୍ଯ୍ୟକ୍ରମ ତାହା ଜଣା ପଡ଼ୁନାହିଁ । ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଆଗାମୀ ସମୟରେ ଏକ ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏଣୁ ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ତଥା ସିଆର୍‌ପିଏଫ୍‌ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.