ପେଟ୍ରୋଲିଂ ବେଳେ ଚାଉଳ ଗାଡି ଅଟକାଇଲା ପୁଲିସ : ୬୪ ବସ୍ତା ଚାଉଳ ଜବତ କଲା ଯୋଗାଣ ବିଭାଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସରକାର ଗରିବ ଲୋକମାନଙ୍କୁ ମାଗଣାରେ ଚାଉଳ ଯୋଗାଉଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ହିତାଧିକାରୀଙ୍କ ଚାଉଳ ହରିଲୁଟ ହେଉଥିବା ଅନେକ ଥର ବାଟରେ ପଡି ଦାଣ୍ଡରେ ଗଡୁଛି । କିନ୍ତୁ ଆଜି ସଇଁନ୍ତଲା ପୁଲିସ ଓ ଯୋଗାଣ ବିଭାଗକୁ ବଡ଼ ସଫଳତା ମିଳିଛି । ୬୪ରୁ ଅଧିକ ବସ୍ତା ଚାଉଳ ଜବତ କରିବା ସହ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ ମଧ୍ୟ କରିଛି । ତେବେ ବଲାଙ୍ଗିର ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ନୂଆ ନୁହେଁ, ବର୍ଷ ବର୍ଷ ଧରି ସାଧାରଣ ବଣ୍ଟନ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠିଛି । କେତେବେଳେ ବାଟ ମାରଣା ତ ଆଉ କେତେବେଳେ ହରିଲୁଟ ହେଉଛି ପିଡ଼ିଏସ ଚାଉଳ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଟିକ୍ରାପଡ଼ା ଫାଣ୍ଡି ନିକଟରେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗାଡିକୁ ଅଟକ ରଖି ପଚରାଉଚରା କରି ବିଳମ୍ବିତ ରାତିରୁ ଥାନାରେ ଗାଡି ନମ୍ବର ଓଆର ୦୮ ବି ୮୮୬୬ ଗାଡିକୁ ଅଟକ ରଖାଯାଇଥିବା ବେଳେ ଗାଡିର ମାଲିକ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନା ଅନୁସାରେ ଗତକାଲି ସଇଁନ୍ତଲା ଅଞ୍ଚଳରୁ କଣ୍ଟାବାଞ୍ଜି ଅଞ୍ଚଳକୁ ଏକ ମିନି ଟ୍ରକ ମାଧ୍ୟମରେ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ସଇଁନ୍ତଲା ପୋଲିସ ହାତରେ ଗାଡିଟି ଲାଗିଥିଲା । ବାହାରେ ତେଲ ପେରୁଆ ବସ୍ତା ରହିଥିବା ବେଳେ ଗାଡି ଭିତରେ ବସ୍ତା ବସ୍ତା ଚାଉଳ ଭର୍ତି ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହା ଚାଉଳ ଚୋରା ଚାଲାଣ ହେଉଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଚାଉଳ ବସ୍ତା ଉପରେ ଯୋଗାଣ ବିଭାଗର ସିମ୍ବଲ ରହିଥିବା ବେଳେ ବସ୍ତା ଗୁଡିକ ହାତ ସିଲେଇ ରହିଥିବାରୁ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏନେଇ ସଇଁନ୍ତଲା ପୋଲିସ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଯୋଗାଣ ବିଭାଗ ଅଧିକାରୀ ନଳିନୀକାନ୍ତ ପାଲଙ୍କୁ ଖବର ଦେବାପରେ ଯୋଗାଣ ବିଭାଗ ଅଧିକାରୀ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ୧୨ ଘଣ୍ଟା ଅତିକ୍ରମ କରିଥିଲେ ବି ଚାଉଳ କାହାର, ତାହା ଏଯାଏଁ ବି ସ୍ପଷ୍ଟ ହୋଇନଥିବାରୁ ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି । ଛନଛଡା ଅଞ୍ଚଳରୁ କଣ୍ଟାବାଞ୍ଜିକୁ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ଚାଉଳ ଗାଡିର ଡ୍ରାଇଭରକୁ ଥାନାରେ ଅଟକ ରଖି ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.