ବଲାଙ୍ଗିର ମାଟିର ଟାଣୁଆ ନେତା ଗିରିଧାରୀ ପତି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ଟାଣୁଆ ନେତା ଗିରିଧାରୀ ପତି(୫୭)ଙ୍କ ଆଜି ସକାଳୁ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ମାଉଥ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ସ୍ୱର୍ଗତ ପତି ଗୁରୁତର ହେବାରୁ ଗତକାଲି ମଧ୍ୟାହ୍ନ ସମୟରେ ତାଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ହାଟପଦାପଡ଼ା ନିବାସୀ ସ୍ୱର୍ଗତ ଗିରିଧାରୀ ଜଣେ ଟାଣୁଆ ନେତା ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ଖୁବ୍‌ କମ୍‌ ଭୋଟ ବ୍ୟବଧାନରେ ସେ ପରାଜିତ ହୋଇଥିବା ବେଳେ ଦୁଇ ଦୁଇ ଥର ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇ ହାରି ଯାଇଥିଲେ । ତେବେ ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ ସେ ଖୁବ୍‌ ଲୋକପ୍ରିୟ ଥିଲେ । ପୂର୍ବରୁ ସେ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବରେ ବିଶେଷ ସୁନାମ ଅର୍ଜନ କରିଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡ଼ିରେ ଯୋଗଦାନ କରିଥିଲେ । ତେବେ ଦଳରୁ ଊଦ୍ଧ୍ୱର୍ରେ ରହି ଜନ ହିତକର କାର୍ଯ୍ୟ କରିବାରେ ସେ ବେଶ୍‌ ଆଗୁଆ ଥିଲେ, ଯେଉଁଥିପାଇଁ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ପାରିଥିଲେ । ତାଙ୍କ ବିୟୋଗରେ ସାରା ବଲାଙ୍ଗିର ସହରରେ ତଥା ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.