କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ “ବି‌ଶ୍ୱ ଜଳ ଦିବସ” ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ “ବିଶ୍‌ଶ୍ୱ ଜଳ ଦିବସ” ପାଳିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା “ଜଳର ମୂଲ୍ୟାଙ୍କନ” ରହିଥିବା ବେଳେ ଜଳର ପ୍ରତିଟି ବିନ୍ଦୁରେ ସିନ୍ଧୁ ଦର୍ଶନ ପୂର୍ବକ ଜଳର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଛି । କ୍ରମଶଃ ପୃଥିବୀ ପୃଷ୍ଟରୁ ଜଳହ୍ରାସ, ଭୂତଳ ଜଳର ନିମ୍ନଗାମୀ ପ୍ରକ୍ରିୟା ଓ ବିବର୍ତ୍ତିତ ଜଳବାୟୁ ପରିବର୍ତ୍ତନକୁ ଲକ୍ଷ୍ୟରେ ରଖି ଜଳ ସଂରକ୍ଷଣ ଓ ବ୍ୟବହାର ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ, ଓୟୁଏଟି ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ପ୍ରଯୋଜନାରେ ଅନୁଷ୍ଠିତ ବି‌ଶ୍ୱ ଜଳ ଦିବସରେ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜୀବନଜିତ୍ ସେନ୍ ସଭାପତିତ୍‌ତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଉଷାକୁମାରୀ ଯୋଗଦେଇ ଜଳ ଦିବସର ଅନୁଚିନ୍ତାକୁ ନେଇ ବକ୍ତବ୍ୟ ଦେଇଛନ୍ତି । ଜିଲ୍ଲା ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ରମେଶଚନ୍ଦ୍ର ଦେହୁରୀ, ସହକାରୀ ଉଦ୍ୟାନବିତ୍ ନରେନ୍ଦ୍ର ସାହୁ ଓ କୃଷି ବୈଜ୍ଞାନିକ ଗୀତାଞଳି ପ୍ରଧାନ ଆଲୋଚକ ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ଆଭିମୁଖ୍ୟ, ଜଳ ସଂରକ୍ଷଣର ଆବଶ୍ୟକତା ଓ ବୁନ୍ଦା ଜଳସେଚନର ଉପଯୋଗୀତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ କୃଷିକ୍ଷେତ୍ରରେ ଜଳ ସଂରକ୍ଷଣ ଓ ସଦୁପଯୋଗକୁ ନେଇ ଉଲ୍ଲେଖନୀୟ ଚାଷକରୁଥିବା ସଫଳ ଚାଷୀ ଇନ୍ଦ୍ରଜିତ ବାଘ ଓ ମହିଳା ଚାଷୀ କୁନି ଦାଶଙ୍କୁ ‌ସ୍ୱତନ୍ତ୍ର ଜଳସାଥୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!