
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଡାକରାରେ ବଲାଙ୍ଗିରରେ ମଧ୍ୟ ଏଆଇଟିୟୁସି ନେତୃତ୍ୱରେ କ୍ରାନ୍ତୀ ଦିବସ ପାଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ବିରୁଦ୍ଧରେ ହଜାର ହଜାର ଶ୍ରମିକ କୋସଳ କଳାମଣ୍ଡପଠାରୁ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ତୀର୍ଥ ପ୍ରଧାନଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ସଂଗଠନ ଯଥା ନିଖିଳ ଓଡିଶା ଆଶା କର୍ମୀ ସଂଘ, ଓଡିଶା ଫରେଷ୍ଟଉଡ୍ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ୍ ଓା୍ୱର୍କସ ୟୁନିୟନ, ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ, କୃଷକ ସଂଘର୍ଷ ସମିତି ଇତ୍ୟାଦି ଯୋଗଦେଇ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ ଗର୍ଜିଥିଲେ । ସଭାପତି ବିଭୁଦତ୍ତ ମିଶ୍ର ବର୍ତ୍ତମାନ ଶ୍ରମିକ ସମାଜ ଉପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ବିରୁଦ୍ଧରେ ପୁଣି ଏକ କ୍ରାନ୍ତୀର ସମୟ ଆସିଛି କହି ସବୁ ବର୍ଗର ଶ୍ରମିକ ଏକ ହୋଇ ଏହି ବିପଦକୁ ପ୍ରତିହତ କରିବାକୁ ଆହ୍ୱାନ ଦେଇଥିଲେ । ନିଖିଳ ଓଡିଶା ଆଶା କର୍ମୀ ସଂଘର ଜିଲ୍ଲା ସଭାପତି ତୀର୍ଥ ପ୍ରଧାନ ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରି କେବଳ ଆନ୍ଦୋଳନ ମାଧ୍ୟମରେ ହିଁ ଏହା ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୪ ଦଫା ଦାବୀ ସମ୍ମଳିତ ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ପ୍ରମୁଖ ଦାବୀ ମଧ୍ୟରେ ତୃଟିପୂର୍ଣ୍ଣ ୪ଟି ଶ୍ରମକୋର୍ଡ ବାତିଲ, ସ୍କିମ ୱାର୍କରଙ୍କୁ ଶ୍ରମିକର ମର୍ଯ୍ୟାଦ ସହ ସାମ୍ବିଧାନିକ ସର୍ବନିମ୍ନ ମଜୁରି ଓ ସାମାଜିକ ସୁରକ୍ଷା ପ୍ରଦାନ, ସମାଜ କାମକୁ ସମାନ ମଜୁରି, ବ୍ୟାପକ ଘରୋଇକରଣ ବନ୍ଦ କରିବା, ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ମଜୁରି ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଆମ ଅଂଚଳର ଚିନିକାରଖାନା ଓ ସୁତାମିଲ ପୁନଃ କାର୍ଯ୍ୟକ୍ଷମ କରିବା, ଦାଦନ ଦୂରିକରଣ ପାଇଁ ଏକ ସଶକ୍ତ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା, ଜାତୀୟ ପେନସନ ଯୋଜନା (ଏନ୍ପିଏ)କୁ ବାତିଲ କରି ତୁରନ୍ତ ପୁରୁଣା ପେନସନ ଯୋଜନା (ଓପିଏସ) ଲାଗୁ, ଆୟକର ପରିଧିର ବାହାରେ ଥିବା ସମସ୍ତ ପରିବାରଙ୍କୁ ମାସିକ ୭୫୦୦ଟଙ୍କା ସହ ଖାଦ୍ୟ ସହାୟତା ପ୍ରଦାନ ଇତ୍ୟାଦି ସ୍ଥାନୀତ ହୋଇଛି । ଏହି ବିକ୍ଷୋଭ କ୍ରାନ୍ତୀ ଦିବସରେ ସାଏବୁ ନନ୍ଦ, ରଜନୀ ବିଶି, ଜଗବନ୍ଧୁ ବେହେରା, ଆଲୋକ ବିଶ୍ୱାଲ, ଭୁଜଙ୍ଗଧର ମାଝି, ପ୍ରିତମ ଠାକୁର, ପଦ୍ମନାଭ ସାହୁ, ପ୍ରବୀର କମ୍ପ, ବଲ୍ଲଭି ସିଂହ, ବିଶାଖା ସିଂହ, ଗୋପାଳ ଭୋଇ, ଧୃବ ଚରଣ ବେହେରା, ଆନନ୍ଦିନୀ ବିଶ୍ୱାଲ, ମାଧବୀ କଲତା ପ୍ରମୁଖ ନେତୃତ୍ୱ ନେଇଥିଲେ ।