କଟକ ସହରରେ ବିକଶିତ ଭାରତ ସଂକଳ୍ପଯାତ୍ରା : ଅନୁଭୂତି ବାଣ୍ଟିଲେ ସରକାରୀ ଯୋଜନାର ହିତାଧିକାରୀ

କଟକ, (ପିଆଇବି) : କଟକ ମହାନଗର ନିଗମ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପଯାତ୍ରା ଜାରି ରହିଛି । ଆଜି ଖାନନଗର ଅଞ୍ଚଳରେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ପହଞ୍ଚିଛି । ଯାତ୍ରା ରହଣୀ ସ୍ଥଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସଚେତନ କରାଯାଇଛି । ଯାତ୍ରା ବାହନରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍ ଜରିଆରେ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଯାତ୍ରା ରହଣୀ ସ୍ଥଳରେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ୍‌ ସ୍ୱନିଧି), ପିଏମ୍‌ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ଆଦିର ଷ୍ଟଲ୍ ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା । ହିତାଧିକାରୀଙ୍କ ସଚେତନତା ପାଇଁ କ୍ୟାଲେଣ୍ଡର ଓ ପ୍ରଚାର ପୁସ୍ତିକା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସରକାରୀ ଯୋଜନାର ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ । ବିଶେଷ କରି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ସଂଯୋଗ ଓ ରିହାତି ମୂଲ୍ୟରେ ସିଲିଣ୍ଡର ପାଇଥିବା ମହିଳା ହିତାଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ପୂର୍ବରୁ କାଠ ଚୁଲିରେ ରୋଷେଇ କରୁଥିବା କାରଣରୁ ସେମାନେ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ୁଥିଲେ । ଏବେ ସେମାନେ ପ୍ରଦୂଷଣମୁକ୍ତ ପରିବେଶରେ ରୋଷେଇ କରୁଥିବାରୁ ନିଜ ସ୍ୱାସ୍ଥ୍ୟ ରକ୍ଷା କରିପାରୁଛନ୍ତି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ପାଇଖାନା ନିର୍ମାଣ ପାଇଁ ସହାୟତା ପାଇଥିବା ହିତାଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଥିଲେ । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ରୋଗୀଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହିତ ବିଭିନ୍ନ ରୋଗ ପାଇଁ ଅଧିକ ଚିକିତ୍ସା ନିମନ୍ତେ ସୁପାରିସ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଆଶା, ଅଙ୍ଗନୱାଡ଼ି କର୍ମୀ, ବିକଶିତ ଭାରତ ସଂକଳ୍ପଯାତ୍ରାର ନୋଡାଲ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତେ ମିଶି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ଶପଥ ପାଠ କରିଥିଲେ ।

Leave A Reply

Your email address will not be published.