ହଜିଗଲା ମଣିଷ ପଣିଆ : ବର୍ବରତାର ସୀମା ଟପିଗଲେ ସୁବଳୟା ଥାନା ଏଏସ୍‌ଆଇ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ ହଜି ଯାଇଛି ମଣିଷ ପଣିଆ । ଥାର୍ଡ଼ଡିଗ୍ରୀ ନାମରେ ପୋଲିସ ସାଜିଛି ଗୁଣ୍ଡା । ବର୍ବରତାର ସୀମା ଟପି ଯାଇ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମାରି ପଠାଇ ଦେଲେ ଡାକ୍ତରଖାନା । ନିଜକୁ ସିଂହମ ଭାବେ ପରିଚୟ ଦେଉଥିବା ସୁବଳୟା ଥାନା ଏଏସ୍‌ଆଇ ସନ୍ତୋଷ ସେନ୍ଦରିଆଙ୍କ ନାଁରେ ହୋଇଛି ମରଣାତ୍ମକ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ । ଘଟଣା ଅନୁସାରେ ଗତ ଜୁନ ୩ ତାରିଖରେ ଏକ ଚୋରି ଘଟଣାର ତଦନ୍ତ କରିବାକୁ ଟେଭାପଦର ଗ୍ରାମର ଜଗନ୍ନାଥ କର୍ମୀଙ୍କୁ ସୁବଳୟା ଥାନାକୁ ଡକାଇଥିଲେ ସୁବଳୟା ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ସନ୍ତୋଷ ସେନ୍ଦରିଆ । ଲଙ୍ଗଳ ଚୋରି କରିଛୁ ବୋଲି ଜଗନ୍ନାଥଙ୍କୁ ପଚରାଉଚରା କରିଥିବା ବେଳେ ଜଗନ୍ନାଥ ଚୋରି ଘଟଣାରେ ସମ୍ପୃକ୍ତି ନଥିବା କହିଥିଲେ କିନ୍ତୁ ଏଏସ୍‌ଆଇ ବାବୁ କିଛି ଶୁଣିବାକୁ ଚାହୁଁ ନଥିଲେ । ବର୍ବରତାର ସବୁ ସୀମା ଟପିଯାଇ ଜଗନ୍ନାଥଙ୍କୁ ୩ ଦିନ ପର୍ଯ୍ୟନ୍ତ ଏପରି ବାଡେଇଥିଲେ ଯେ, ଶରୀରରେ ଜାଗା ବାକି ନଥିଲା । ପୋଲିସ ବାବୁଙ୍କ ମାଡ଼ରେ ଜଗନ୍ନାଥ ଚାଳିବା ବସିବା ପାଇଁ ସକ୍ଷମ ହୋଇପାରିନଥିଲେ । ଏସବୁ ଦେଖି ଜଗନ୍ନାଥଙ୍କ ସାନଭାଇ ଜିଲ୍ଲା ପୋଲିସ ଅଧିକ୍ଷକଙ୍କୁ ଫୋନ କରି ବଡ ଭାଇର ଦୁର୍ଦଶା ଜଣେଇଥିଲେ । ଫଳରେ ଜଗନ୍ନାଥଙ୍କୁ ଥାନାରୁ ଛାଡି ଦିଆଯାଇଥିଲା । ଏବଂ ଏଏସ୍‌ଆଇ ସନ୍ତୋଷ ସେନ୍ଦରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ପରେ ପରିବାର ଲୋକ ଜଗନ୍ନାଥଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ । ଯଦି ପ୍ରକୃତରେ ଜଗନ୍ନାଥ କୌଣସି ଚୋରି ଘଟଣାରେ ସମ୍ପୃକ୍ତି ଥିଲେ ତାହେଲେ ତାଙ୍କୁ କୋର୍ଟ ଚାଲାଣ ନକରି ତିନିଦିନ ପର୍ଯ୍ୟନ୍ତ ତାକୁ ଏଭଳି ଥାର୍ଡ଼ ଡିଗ୍ରୀ ଦେଇ ଛାଡ଼ିଦେବା କେଉଁ ନିୟମରେ ଅଛି ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛ । ତେବେ ଅଭିଯୋଗ ପରେ ଏଏସ୍‌ଆଇ ସନ୍ତୋଷ ସେନ୍ଦରିଆଙ୍କୁ ଏସ୍‌ପି ନିଲମ୍ବନ କରିବା ସହ ଘଟଣାର ତଦନ୍ତ ଦାୟିତ୍ୱ ଅତିରିକ୍ତ ଏସ୍‌ପିଙ୍କୁ ଦେଇଥିବା ଜଣାପଡିଛି । କେବଳ ନିଲମ୍ବନ କରି ଘଟଣାଟିକୁ ଚପାଇ ଦିଆଯିବ ନା ଆଗକୁ ଏଏସ୍‌ଆଇଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ ବୋଲି ବୁଦ୍ଧିଜୀବୀ ମହଲରେ ଖୁବ ଆଲୋଚନା ହେଉଛି ।

Leave A Reply

Your email address will not be published.