ବନ୍ୟାକୁ ବର୍ଷେ ପୂରିଲା : ମିଳିନି କ୍ଷତି ପୂରଣ, ହେଲାନି ରାସ୍ତା ମରାମତି : କଥା ଦେଇ କଥା ରଖିଲେନି ମନ୍ତ୍ରୀ

ଦେଓଗାଁ, (କିଶୋର କୁମାର ସାହୁ) : ୨୦୧୯ ଅଗଷ୍ଟ ୧୨ରୁ ହୋଇଥିବା ପ୍ରଳୟଙ୍କରୀ ବନ୍ୟାକୁ ବର୍ଷେ ଛୁଁଇଛି, କିନ୍ତୁ ସୁଧୁରୁନି ରାସ୍ତାର ଅବସ୍ଥା କି ମିଳିନି କ୍ଷତିପୂରଣ । ଦେଓଗାଁ ବ୍ଲକରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ । ହେଲେ ତାହା ବି ରହିଗଲା ଘୋଷଣାରେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ବନ୍ୟାରେ ଅନେକ ଗାଁ ପାଣି ଘେରା ଭିତରେ ଥିଲା । ଚାଷ ଜମିଗୁଡିକରେ ବାଲି ପୋତି ହୋଇଯାଇଥିବା ବେଳେ କଞ୍ଚା ଘରଗୁଡିକ ଭାଙ୍ଗି ଚୁରମାର ହୋଇଯାଇଥିଲା । କୁଳୁତାପଡ଼ାରୁ ଖଇରମାଲକୁ ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ ମଧ୍ୟ ତେଲନଦୀର ବନ୍ୟାରେ ଧୋଇ ହୋଇଥିଲା । ଯାହା କି ନିମ୍ନ ମାନର କାମ ଯୋଗୁଁ ରାସ୍ତା ଖରାପ ହୋଇ ଗଲା ବୋଲି ସେହି ସମୟରେ ବଲାଙ୍ଗୀର ବିଧାୟକଙ୍କଠାରେ ଲୋକମାନେ ଅଭିଯୋଗ କରିଥିଲେ। ଠିକ ସେହିପରି ଭାବରେ ଗାଇବାହାଲ – କୁଠୁର୍ଲା ପୂର୍ତ୍ତ ରାସ୍ତା ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ଏବଂ କୁଠୁର୍ଲା ନିକଟରେ ଏକ ବଡ ଘାଇ ସୃଷ୍ଟି ହୋଇଥିଲା । ଏହି ଜାଗାକୁ କେବଳ ପଥର ଗୁଣ୍ଡ ଦେଇ ମରାମତି କରିଦେଇଛନ୍ତି ବିଭାଗୀୟ ଯନ୍ତ୍ରୀମାନେ । ଅଡର଼୍ା ଗାଁ ନିକଟରେ ଥିବା ଏକ ବ୍ରିଜର ଗୋଟିଏ ପଟେ ଘାଇ ସୃଷ୍ଟି ହୋଇଥିଲା । ଏହାକୁ ଦେଖିବାକୁ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ପରିଦର୍ଶନରେ ଆସିଥିଲେ । ସେହି ସ୍ଥାନରେ ହି ରାସ୍ତା ଶୀଘ୍ର ମରାମତି ହେବ ଓ ଚାଷୀମାନେ କ୍ଷତି ପୁରଣ ପାଇବେ ବୋଲି କଥା ଦେଇଥିଲେ। କିନ୍ତୁ ଇତି ମଧ୍ୟରେ ବର୍ଷେ ବିତିଗଲା ହେଲେ ହେଲାନି ରାସ୍ତା ମରାମତି କି ମିଳିନି କ୍ଷତି ପୂରଣ ବୋଲି ଲୋକଙ୍କ ମହଳରେ ଆଲୋଚନା ହେଉଛି । ଖାଲି ପୂର୍ତ୍ତ କି ଗ୍ରାମ୍ୟ ଉନ୍ନୟନ ନୁହେଁ ପଂଚାୟତ ସମିତିର ରାସ୍ତା ଗୁଡିକ ନଷ୍ଟ ହୋଇ ଯାଇଥିଲେ ବି ବ୍ଲକ ପ୍ରଶାସନ ମରାମତି କରିବାର ନାଁ ନେଉ ନାହିଁ । ଯାହା ଫଳରେ ଟଙ୍କା ଆସି ପଡି ରହିଛି। ଏଣୁ ବନ୍ୟାରେ ଧୋଇ ରହି ଯାଇଥିବା ରାସ୍ତାକୁ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.