ବୌଦ୍ଧ ଜିଲ୍ଲାରେ ବର୍ଷା, ରାସ୍ତାରେ ଜମି ରହୁଛି ପାଣି

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାରେ ଗତ କାଲିର ଲଗାଣ ବର୍ଷା ଯୋଗୁଁ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତରେ ଯୋଗାଯୋଗ ବିଚ୍ଛିନ୍ନ୍ନ ହୋଇ ପଡିଛି । ଦହ୍ୟା ଛକ ଠାରୁ ରକ୍ସା ରାସ୍ତାରେ ଥିବା ନାଳରେ ୩ପୁଟ ଉଚ୍ଚତାରେ ବନ୍ୟାପାଣି ପ୍ରବାହିତ ହେବା ଯୋଗୁଁ ୧୦ଖଣ୍ଡ ଗ୍ରାମର ଲୋକମାନେ ପ୍ରଭାବିତ ହୋଇଛନ୍ତି । ଉକ୍ତ ରାସ୍ତାରେ ସେତୁ ନିର୍ମାଣ ନ ହେବାରୁ ବନ୍ୟାରେ ଯୋଗାଯୋଗ ବିଛିନ୍ନ ହେବା ସହିତ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି ।

ସେହିପରି ଖମାରିପଡା ରାସ୍ତାର କମିରା ଦାମୋଦରପୁର ମଝିରେ ଥିବା ଜାମ୍ବୁନାଳ ଉପରେ ଆଜି ସକାଳୁ ୫ ଫୁଟ ଉପରେ ଜଳ ପ୍ରବାହିତ ହେଉଥିବା ଯୋଗୁଁ ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ ଖଣ୍ଡପଡା, କମିରା, ଖମାରିପଡା ସମେତ ବ୍ରାହ୍ମଣୀପାଲି ପଂଚାୟତ ଲୋକମାନେ ଏହି ରାସ୍ତାରେ ଯିବାଆସିବାପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ । ସୂଚନାଯୋଗ୍ୟ ପ୍ରତିବର୍ଷ ଏହି ନାଳରେ ବନ୍ୟା ପାଣି ଯୋଗୁଁ ଗ୍ରାମବାସୀ ଅସୁବିଧାରେ ପଡନ୍ତି । ଏହି ପୋଲକୁ ଉଚ୍ଚା କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନରୁ ଦାବୀ କରି ଆସୁଛନ୍ତି । ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ସ୍ଥଳୀ ବାଉଁଶୁଣୀ । ଜାତୀୟ ରାଜପଥର ଡ୍ରେନ ଗୁଡିକରେ ମଇଳା ଜମି ରହି ପୋତି ହୋଇ ପଡିଛି । ଫଳରେ ଟିକିଏ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଗତକାଲିର ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇପାରୁନଥିବା ଯୋଗୁଁ ବାଉଁଶୁଣୀ ବଜାରର ଅନେକ ଦୋକାନ ଭିତରେ ପାଣି ପଶିଥିବା ଜଣା ପଡିଛି । ଆଜି ସକାଳେ ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ପଡିବାରୁ କଣ୍ଟାମାଳ ବ୍ଲକ୍‌ ବରଗୋଛା ଗ୍ରାମ ପଂଚାୟତର ସରିଆପାଲି ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ହରି ଦିଗାଳ(୪୫) ନାମକ ଜଣେ ବ୍ୟକ୍ତି ଶୌଚ ପାଇଁ ଯାଉଥିବା ବେଳେ ତାଙ୍କର ମାଟିଘର କାନ୍ଥ ଭୁଶୁଡି ତାଙ୍କ ଉପରେ ପଡିଯାଇଥିଲା । ପଡିଶା ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନସ ଯୋଗେ ଡାକ୍ତରଖାନା ପଠାଇଥିଲେ । କାନ୍ଥ ପଡି ତାଙ୍କର ଗୋଟିଏ ଗୋଡ ଭାଙ୍ଗି ଯିବା ସହ ଦେହର ଅନେକ ସ୍ଥାନରେ କ୍ଷତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଜଣାଇଛନ୍ତି ।

Leave A Reply

Your email address will not be published.