ଗୃହମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଗଲା ଡ୍ରାଗନ ଫଳ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଯୁବ ଡ୍ରାଗନ ଚାଷୀଙ୍କ ଖବର ଗଣମାଧ୍ୟରେ ପ୍ରକାଶ ପାଇବା ପରେ ଚାଷକ୍ଷେତ୍ର ପରିଦର୍ଶନ କଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ । ଶୁକ୍ରବାର ଦିନ ଯୁବ ଚାଷୀ ବୈଷ୍ଣବଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଘରେ ସାକ୍ଷାତ କରିବା ସହ ଡ୍ରାଗନ ଫଳକୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଗ୍ରହଣ କରିଥିଲେ ଗୃହ,ଶକ୍ତି ତଥା ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ବିଦେଶରେ ରହିଛି ଡ୍ରାଗନ୍ ଫଳର ବେଶ ଚାହିଦା ସାଙ୍ଗକୁ ଆକାଶ ଛୁଆଁ ଦର । ତେବେ ଏହି ଡ୍ରାଗନ୍ ଫଳରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ଭାରତରେ ଏହି ଫଳର ଚାହିଦା କେ.ଜି ପିଛା ରହିଛି ୫ ଶହ ଟଙ୍କା ପାଖାପାଖି । ବର୍ତ୍ତମାନ ଏହି ଫଳ କୁ ଅମଳ କରିବା ସହ କେ.ଜି ପ୍ରତି ୩ ଶହ ଟଙ୍କା ରେ ବିକ୍ରି କରୁଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର୍ ବ୍ଲକ୍ ବାଙ୍କେଲ ଗାଁର ଯୁବ ଡ୍ରାଗନ୍ ଚାଷୀ ବୈଷ୍ଣବ ସାହୁ ।
କୃଷି କାର୍ୟ୍ୟ ପ୍ରତି ଯୁବ ଗୋଷ୍ଠୀ ବିମୁଖ ହୋଇ ପଡୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଯୁବ ଚାଷୀ ବୈଷ୍ଣବ ସାହୁ ଆରମ୍ଭ କରିଛନ୍ତି ଡ୍ରାଗନ୍ ଚାଷ । ପାରମ୍ପାରିକ ଚାଷରୁ ଓହରି କିଛି ନୁଆ କରି ଦେଖାଇବା ଆଶାରେ ଆରମ୍ଭ କରିଥିଲେ ଡ୍ରାଗନ୍ ଚାଷ । ତେବେ ବୈଷ୍ଣବ ୨୦୧୮ ମସିହାରେ ଦ୍ୱାରିକାକୁ ଯାତ୍ରା କରିବା ସମୟରେ ସେଠାରେ ଦେଖିଥିଲେ ଡ୍ରାଗନ୍ ଗଛ ଏବଂ ଚାଷର ତାଲିମ ମଧ୍ୟ ନେଇଥିଲେ ଅଢେଇ ବର୍ଷ । ପରେ ନିଜ ଘରକୁ ଫେରି ୨୦ ଡିସିମିଲ୍ ଜାଗାରେ ବିଦେଶି ଫଳ ଡ୍ରାଗନ୍ କୁ ଅମଳ କରି ୫ ଲକ୍ଷ ଟଙ୍କା ବାର୍ଷିକ ଆୟ ହେବାର ଲକ୍ଷ୍ୟ ରଖିଛନ୍ତି ଏହି ଯୁବ ଚାଷୀ ଜଣକ ।
ଏହି ୨୦ ଡିସମିଲ୍ ଜାଗାରେ ୧୦ ହଜାର ଚାରା ଲଗାଇବାକୁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡିଥିଲା ବୈଷ୍ଣବଙ୍କୁ । ବର୍ତ୍ତମାନ ଡ୍ରାଗନ ଫଳକୁ ୩ ଶହ ଟଙ୍କା କେ.ଜି ପ୍ରତି ସ୍ଥାନୀୟ ବଜାରରେ ବିକ୍ରୀ କରୁଛନ୍ତି ଯୁବକ ଜଣକ । ଏବେ ଜିଲ୍ଲା ସ୍ତରରୁ ଫଳ ବ୍ୟବସାୟୀ କ୍ରୟ ପାଇଁ ବରାଦ ମଧ୍ୟ ଆରମ୍ଭ କଲେଣି । କିନ୍ତୁ ଓଡିଶାରେ ଅନେକ ସ୍ଥାନରେ ଏହି ଡ୍ରାଗନ ଚାଷକରି ବିଫଳ ହୋଇଥିବା ବେଳେ ଡ୍ରାଗନ ଚାଷ କରି ସଫଳ ଚାଷୀ ଭାବେ ଲୋକଙ୍କୁ ପ୍ରେରଣା ଦେଉଛନ୍ତି ଡ୍ରାଗନ ଚାଷୀ ବୈଷ୍ଣବ ।

Leave A Reply

Your email address will not be published.