୧୨ ଘଣ୍ଟିଆ ବୈପାରିଗୁଡା ବନ୍ଦ ଡାକରାରେ ସାମିଲ ହେଲେ ଛାତ୍ରଛାତ୍ରୀ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ସମୟ ଯେତେ ଆଗକୁ ବଢି ଚାଲିଛି ସେହି ଅନୁପାତରେ ଏହି ବନ୍ଦ ଡାକରାକୁ ଅଧିକରୁ ଅଧିକ ମାତ୍ରାରେ ଯୁବଗୋଷ୍ଠୀ ସମର୍ଥନ କରୁଥିବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ କଲେଜ ପଢୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ରାଞ୍ଚି ବିଜୟୱାଡା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ସ୍ଥାନୀୟ ପିଲା ମାନଙ୍କୁ କୋରାପୁଟ ଜିଲ୍ଲାରେ ଚାକିରି ଦେବା ନେଇ ସରକାରଙ୍କ ପାଖରେ ଗୁହାରୀ କରିଛନ୍ତି । ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ସମେତ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ହୋଇଯାଇଥିବା ବେଳେ ତାହାର ବିଶ୍ୱାସ ପ୍ରଭାବ ବୈପାରିଗୁଡା ବ୍ଲକରେ ଦେଖିବାକୁ ମିଳିଛି । ବିଶେଷ କରି ସି. ଓ ବି. ଗ୍ରୁପରେ ସରକାର ଯେଉଁ ନିଯୁକ୍ତି କରିଛନ୍ତି ସେଥିରେ ସ୍ଥାନୀୟ ଜିଲ୍ଲାର ପିଲାମାନଙ୍କୁ ନିଯୁକ୍ତି କରାନଯାଇ ବାହାର ଜିଲ୍ଲା ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଥିବା କାରଣରୁ ସ୍ଥାନୀୟ ଶିକ୍ଷିତ ପିଲାମାନେ ଉପେକ୍ଷିତ ହେଉଥିବା ଅଭିଯୋଗ ହୋଇଛି । ତେଣୁ ସରକାର ସେହି ନିୟମ ପ୍ରତ୍ୟାହାର କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ନିୟମ ପ୍ରଣୟନ କରି ଜିଲ୍ଲାର ପ୍ରାର୍ଥୀମାନଙ୍କୁ ସି’ ଓ ବି’ ଗ୍ରୁପରେ ନିଯୁକ୍ତି କରିବା ଦାବିରେ ବନ୍ଦ ଡାକରା କରାଯାଇଛି । ସକାଳ ୬ଟାରୁ ବୈପାରିଗୁଡା ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ସହିଦ ଲକ୍ଷ୍ମଣ ନାୟକ ଛକ ନିକଟରେ ୩୨୬ ନମ୍ବର ରାଞ୍ଚି – ବିଜାୱାଡା ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା । ଫଳରେ ରାସ୍ତାର ଉଭୟ ପାଖରେ ବସ୍‌, ଟ୍ରକ୍‌ ସହିତ ଯାନବାହାନ ଅଟକି ରହିଥିଲା । ସେହିପରି ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ସ୍ଥାନୀୟ ଯୁବକ ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ମଧ୍ୟ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.