ଜଙ୍ଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ : ବାଳଗୋପାଳ ମିଶ୍ର

ଘରଭଂଗା ଘଟଣା ସଂପର୍କରେ ପ୍ରତିକ୍ରିୟା ପ୍ରକାଶ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଂଗଲ ସୁରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ପୂର୍ବତନ ସାଂସଦ ତଥା ବିଧାୟକ ବାଳଗୋପାଳ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୧୯୭୩ ମସିହାରୁ ଲୋଇସିଂହା, ଆଗଲପୁର ଅଂଚଳରେ ଜଂଗଲ ବଂଚାଇ ରଖିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ପ୍ରକୃତିକୁ ବଂଚାଇ ରଖିବାକୁ ହେଲେ ଉଭୟ ସରକାର ଓ ଜନତାଙ୍କୁ ଏହି ଉଦ୍ୟମର ଭାଗିଦାର ହେବାକୁ ହେବ । ସେଥିରେ କିଛି ପ୍ରତିବନ୍ଧକ ଆସିଲେ ମଧ୍ୟ ତାହାର ଆପୋସି ସମାଧାନ କରି ପ୍ରକୃତି ମାତାକୁ ବଂଚାଇ ରଖିବାର ଧର୍ମ ନିଭେଇବାକୁ ହେବ ବୋଲି ସେ କହିଛନ୍ତି । ଆହୁରି ବିଗତ କିଛି ଦିନରେ ସାଲେଭଟା ଅଂଚଳରେ ଘଟିଥିବା ପ୍ରଧାନମନ୍ତ୍ରୀ ଆବାସ ଭଂଗା ଘଟଣା ସରପଞ୍ଚଙ୍କ ନିଷ୍ପତ୍ତି ଥିଲା, ଯେପରି ବଲାଙ୍ଗିର ଜିଲ୍ଲାପାଳ କରୋନା ସମୟରେ ସହରରେ ଧ୍ୱଂସଲୀଳା କରି ପାରୁଛନ୍ତି, ସେହି ଆଇନ ବଳରେ ସରପଞ୍ଚ ଶ୍ରୀମତୀ ମୁଣ୍ଡା ଜଂଗଲ ଜମିକୁ ରକ୍ଷା କରିବାକୁ ଯାଇ ଜବର୍‌ ଦଖଲ୍‌ ଉଚ୍ଛେଦ କରିଥିଲେ । ଉଚ୍ଛେଦ କରିବା ପୂର୍ବରୁ ପଞ୍ଚାୟତ ତରଫରୁ ପରମ୍ପରାଗତ ଭାବେ ବାରମ୍ବାର ତାଙ୍କୁ ଚିଠି କରିବା ସହ ନିବେଦନ ମଧ୍ୟ କରାଯାଇଥିଲା । ଏପରିକି ଜଂଗଲ ସୁରକ୍ଷା ମଂଚ ଆବାସ ସ୍ଥାନାନ୍ତରଣରେ ସକ୍ରିୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଶେଷରେ କୌଣସି ରାସ୍ତା ନ ବାହାରିବାରୁ ସରପଞ୍ଚ ଜିଲ୍ଲାପାଳ କ୍ଷମତା କ୍ରମେ ଉକ୍ତ ଜବର୍‌ ଦଖଲ୍‌ ବାସଗୃହ ଗୁଡ଼ିକୁ ଭାଂଗି ଦେଇଥିଲେ ବୋଲି ଶ୍ରୀ ମିଶ୍ର ତାଙ୍କର ଅଭିବ୍ୟକ୍ତିରେ ପ୍ରକାଶ କରିଥିଲେ । ଆହୁରି ଏହି ଘଟଣାରେ ସରକାରୀତନ୍ତ୍ର ଜମି ମାଫିଆ ଏକଜୁଟ୍‌ ହୋଇ ଜମି ହାତେଇବାକୁ ବସିଥିବା ବେଳେ ଜଂଗଲ ସୁରକ୍ଷା ମଂଚ ତାଙ୍କର ସମସ୍ତ ମନ୍ଦ ଉଦ୍ଦେଶ୍ୟକୁ ଲୋକଲୋଚନକୁ ଆଣିଥିଲା । ତେବେ ଗତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କିଛି ଯୁବକ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଢେଲାମାଡ଼ କରିଥିଲେ । ଯା’ ଫଳରେ ଗରିବ ଜନସାଧାରଣଙ୍କ ବିରୋଧ ସର୍ବ ସମ୍ମୁଖକୁ ଆସିଥିଲା । ତେଣୁ ଏହି ଘଟଣାକୁ ହାତ ବାରସି କରି ରାଜ୍ୟ ସରକାର ଆମମାନଙ୍କ ଉପରେ ଦାଉ ସାଧୁଛନ୍ତି ବୋଲି ମଧ୍ୟ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସେହିପରି ସଂପୃକ୍ତ ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅର୍ଥ ମଂଜୁରି କିପରି ହେଲା ବୋଲି ସେ ପ୍ରଶ୍ନ କରିଥିଲେ; ଯେତେବେଳେ କି ଉକ୍ତ ଅଂଚଳଟି ଜଂଗଲ ଆଇନକୁ ଉଲଂଘନ କରୁଛି । ଆହୁରି ଅନ୍ୟ ଅଧିକାରୀ ସେହି କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ବେଳେ ବିଡ଼ିଓ ବିଜୟ ହୋତା କିପରି ଅର୍ଥ ମଂଜୁରି ଦେଲେ, ତାହା ଏକ ପ୍ରଶ୍ନବାଚୀ ବୋଲି ମଧ୍ୟ ପ୍ରକାଶ କରିବା ସହ ଏହାର ଉପଯୁକ୍ତ ତଦନ୍ତ ହେଲେ ଅସଲ ଘଟଣା ତଥା ଅସାଧୁ ଅଧିକାରୀ ଓ ଜମି ଜଂଗଲ ମାଫିଆଙ୍କ ମୁଖା ଖୋଲିବ ବୋଲି କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ଭୋଇ, ଦୁଷ୍ମନ୍ତ ପଟେଲ, ନୀଳମଣି ପ୍ରଧାନ, ପ୍ରମୋଦ ମିଶ୍ର, କଲାରସିଂ ବାଗ, ସତ୍ୟ ପଟେଲ, ହୃଦା ଠାକୁର, ଆନନ୍ଦ ପ୍ରଧାନ ଓ ପ୍ରେମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.