jayashree

ପବିତ୍ର ରଥଯାତ୍ରା ଉପଲକ୍ଷେ ୨ୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର : ଯାଜପୁର ସହରରେ ଅବସ୍ଥିତ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ୟ୍ୟାୟ ପ୍ରସ୍ତୁତି ବୈଠକ ତହସିଦାରଙ୍କ କାର୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଯାଜପୁର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ । ପାରମ୍ପରିକ ରୀତି ନୀତି ଅନୁସାରେ ବିଗତ ବର୍ଷ ମାନଙ୍କରେ ଯେପରି ରଥଯାତ୍ରା ପାଳିତ ହେଉଥିଲା, ସେହିପରି ଭାବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ନୀତି ସମ୍ପନ୍ନ ହେବ ।

ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ଦେବୀ ଶୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିବେ । ଏହାର ସୁସମ୍ପାଦନ ନିମନ୍ତେ ଯାଜପୁର ପୈାର ପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତାଙ୍କୁ ଅନୁରୋଧ କରାଯାଇଥିଲା । ଊକ୍ତ ଦିନ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ଥାନୀୟ କେବୁଲ ଅପରେଟର ମା’ ଟିଭି ଏବଂ ବିରଜା କେବୁଲ୍ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବେ । ରଥଟଣା ଦିନ ସମ୍ଭାବ୍ୟ ଗହଳିକୁ ଆଖି ଆଗରେ ରଖି ଏବଂ ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆନୁସଙ୍ଗିକ ପୋଲିସ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ପାଇଁ ଆମ୍ୱୁଲାନ୍ସ ଓ ମେଡିକାଲ ଟିମ୍ ଉପସ୍ଥିତ ରହିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଯାଇଛି । ଶ୍ରୀଗୁଣ୍ଡିଚା ଦିନ ଠାରୁ ବାହୁଡା ଯାତ୍ରା ଦିନ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ତା ୨୯.୬.୨୨ ରିଖ ଦିନ ଶ୍ରୀ ଜିଉଙ୍କର ନେତ୍ରୋôସବ ଓ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ । ୧ ତାରିଖ ଶ୍ରୀଗୁଣ୍ଡିଚା ଦିନ ରଥ ପ୍ରତିଷ୍ଠା, ପହଣ୍ଡି ବିଜେ ଏବଂ ରଥାରୋହଣ ବିଧି ପାଳନ କରାଯିବ। ଶ୍ରୀ ଜଗନ୍ନାଥ ଚେତନା ପରିଷଦ, ଯାଜପୁର ଏବଂ ଗୀତା ଜାଗରଣ ପରିଷଦ ଯାଜପୁର ତରଫରୁ ଉକ୍ତ ଦିନ ଭଜନ ଓ ଧାରା ବିବରଣୀ ପ୍ରଦାନ କରାଯିବ । ସେହିପରି ଜୁଲାଇ ୨ ତାରିଖ ଅପରାହ୍ନ ୨ ଘଟିକା ଠାରୁ ରଥ ଟଣା ଆରମ୍ଭ କରାଯିବ । ୩ ତାରିଖରୁ ୮ ତାରିଖ ପର୍ୟ୍ୟନ୍ତ ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଭଜନ ସଂଧ୍ୟା, ପାଲା, ଆଧ୍ୟାତ୍ମକ ନୃତ୍ୟ, ଆଦି ଜିଲ୍ଲା ସଂସ୍କୃତି ବିଭାଗ, ଜଗନ୍ନାଥ କଳା ବିକାଶ କେନ୍ଦ୍ର, ଦେବୀ ପ୍ରସାଦ ଧଳ ଓ ସାଥିଙ୍କ ଦ୍ୱାରା ପାଲା, ରୟାଲ୍ ସୋସାଇଟି କ୍ରିଏଟର୍, ଗୀତା ଜାଗରଣ ପରିଷଦ, ଅନ୍ୱେଷଣ ଥିଏଟର, ଅନନ୍ୟା ସାହିତ୍ୟ ସଂସଦ ତରଫରୁ ବିଭିନ୍ନ ସଂଧ୍ୟାରେ ପରିବେଷଣ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୯ ତାରିଖ ଦିନ ବାହୁଡା ଯାତ୍ରା ସଂପନ୍ନ ହେବା ସଙ୍ଗେ ୧୦ ତାରିଖ ଦିନ ଶ୍ରୀ ଜିଉଙ୍କ ସିଂହାସନ ବିଜେ ନୀତି ପୂର୍ବାହ୍ନ ୯ ଘଟିକା ସମୟରେ ସମାପନ ହେବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଥିଲା । ସର୍ବୋପରି ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ଯାଜପୁର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା । ଏହି ବୈଠକରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ମନ୍ଦିର ଟ୍ରଷ୍ଟର ସଦସ୍ୟ ବୃନ୍ଦ, ବରିଷ୍ଠ ନାଗରିକ, ଜଗନ୍ନାଥ ମନ୍ଦିରର ପୂଜକ ଓ ସେବାୟତ, ପୈାର ପାଳିକା, ଯାଜପୁରଙ୍କ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.