ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କରଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ପାଇଁ ଜୋର୍ସୋର୍ରେ ଚାଲିଛି ପ୍ରସ୍ତୁତି । ଅନ୍ୟ ବର୍ଷ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ତିନି ଦିନ ହେଉଥିବା ବେଳେ ଚଳିତ ବର୍ଷ ମେ’ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ମେଳା ହେବ ବୋଲି ଜଣାପଡିଛି । ସାଂସ୍କୃତିକ, ପୌରାଣିକ, ଧାର୍ମିକ, ଐତିହାସିକ ଓ କିମ୍ବଦନ୍ତୀ ଅନୁସାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳାର ସ୍ୱତନ୍ତ୍ରତା ରହିଆସିଛି । ଗନ୍ଧମାର୍ଦ୍ଦନ ପାହାଡ଼ର ଗୋଟିଏ ପଟେ ହରିଶଙ୍କର ଓ ଅନ୍ୟପଟେ ବରଗଡ଼ ଜିଲ୍ଲାର ନୃସିଂହନାଥ ପୀଠ ରହିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ବୈଶାଖ ଚତୁର୍ଦ୍ଦଶୀ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଓଡ଼ିଶା ତଥା ସୁଦୂର ଛତିଶଗଡ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର ମଜା ନେଇଥାନ୍ତି । ମେଳା ସମୟରେ ଶ୍ରଦ୍ଧାଳୁମାନେ ଦିନ ରାତି ଦୁର୍ଗମ ପାହାଡ଼ ଚଢ଼ି ହରିଶଙ୍କରରୁ ନୃସିଂହନାଥ ଯିବା ଆସିବା କରି ପାହାଡ଼ ଚଡ଼ିବାର ମଜା ନେଇଥାନ୍ତି । ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ପ୍ରଶାସନ ତଥା ପାଟଣାଗଡ ଦେବୋତ୍ତର ବିଭାଗ ତରଫରୁ ମେଳା ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଏହି ଅବସରରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଭିଡ଼ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା ଆଦିକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ୫ ଦିନ ଧରି ପଞ୍ଚ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆଜି ମେଳାରେ କିଭଳି ଶାନ୍ତି ଓ ଶୃଙ୍ଖଳା ହେବ ସେଥିପାଇଁ ବଲାଙ୍ଗିର ଏସ୍ପି ନିତିନ କୁଶଳକର ହରିଶଙ୍କର ଯାଇ ବୁଲି ଦେଖି ତଦାରଖ କରିଥିଲେ । ସେହିପରି ବିଭିନ୍ନ ବିଭାଗ ତରଫରୁ ପ୍ରଜ୍ଞାପନ ମେଢ଼ ଓ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଠାରୁ ସୂଚନା ମିଳିଛି । ୫ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଦଣ୍ଡନୃତ୍ୟ ହେବାକୁ ଥିବାବେଳେ ୩ ତାରିଖରେ ସୁନ୍ଦରଗଡ଼ର ମୟୂରୀ, ୪ ତାରିଖରେ ରୁକୁ ସୁନା ଓ ସାଥି ଓ ୫ ତାରିଖରେ ଅର୍ଚ୍ଚନା ପାଢ଼ୀ ଓ ସାଥିଙ୍କ ଦ୍ୱାରା ଷ୍ଟାର ନାଇଟ୍ ଆର୍କ୍ରିଷ୍ଟା ଆକର୍ଷଣୀୟ ହେବ ବୋଲି ସୂଚନା ମିଳିଛି । ଏହି ଅବସରରେ ହରିଶଙ୍କର ପର୍ଯ୍ୟଟନ ବିଭାଗ ଅଭ୍ୟର୍ଥନା କେନ୍ଦ୍ରଠାରେ ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଟିତ ହୋଇଥିବା ବେଳେ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା, ପାଟଣାଗଡ ତହସିଲଦାର ଲକ୍ଷ୍ମଣ ମାଝୀ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଦେବୋତ୍ତର କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।
Next Post