କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ ଗିରଫ୍‌

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା ଚୋର ଓ କ୍ରୟ କରିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ କଂଟାବାଂଜି ପୋଲିସ ଉପଖଣ୍ଡ ଅଧିକାରୀ ସରୋଜ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
ପ୍ରେସ୍‌ ମିଟ୍‌ରେ ଦେଇଥିବା ସୂଚନା ଅନୁସାରେ ଗତ ତା. ୨୩.୧୦.୨୦୨୦ ଦିନ କଂଟାବାଂଜି ସାପ୍ତାହିକ ବଜାର ଗୁଡିଘାଟ ରୋଡରେ ଜୟପ୍ରତାପ ନାୟକଙ୍କ ମୋଟର ସାଇକଲ ନଂ. ଓଡି୦୩ଏ-୧୫୩୮ ଚୋରି ହୋଇଥିବା ଘଟଣା କଂଟାବାଂଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଚୋରି ଘଟଣା ସହ କଂଟାବାଂଜି ଅଂଚଳରେ ଦିନକୁ ଦିନ ମୋଟର ସାଇକଲ ଚୋରି, ପାନ ଗୁଟକା, ସଟ୍ଟା ସହ ଅନୈତିକ କାର୍ଯ୍ୟ ହେଉଥିବା ବିଷୟରେ ମଧ୍ୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରିବା ନେଇ ବଲାଙ୍ଗିର ପୋଲିସ ଅଧିକ୍ଷକ ସଂଦୀପ ସଂପଦ ମାଡକର ଏକ ସ୍ୱତନ୍ତ୍ର ପୋଲିସ ଟିମ ଗଠନ କରିଥିଲେ । ଏହି ପୋଲିସ ଟିମ ଚୋରି, ରାହାଜାନୀକୁ ରୋକିବା ପାଇଁ ଅନବରତ କାର୍ଯ୍ୟ କରିଆସିବା ମଧ୍ୟରେ ମୋଟର ସାଇକଲ ଚୋରି କରୁଥିବା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁକେଶ ବର୍ଗେ ଓ ବେଲପଡା ଥାନାର ଖଲ୍‌ଖଲି ଗାଁରେ ରହୁ ଥିବା ମୁକେଶ ବର୍ଗେର ଶଳା ସତ୍ୟନାରାୟଣ ମାଝିକୁ ଗିରଫ କରିବା ପରେ ସମସ୍ତ ଚୋରି ଘଟଣା ପର୍ଦ୍ଦାଫାସ ହୋଇଛି । ବଲାଙ୍ଗିର ପୋଲିସ ଅଧିକ୍ଷକ ଶ୍ରୀ ମାଡକରଙ୍କ ନିର୍ଦ୍ଧେଶ କ୍ରମେ କଂଟାବାଂଜିର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢଉ ମଧ୍ୟରେ ମୁକେଶ ବର୍ଗେ, ତାର ଶଳା ସତ୍ୟନାରାୟଣ ମାଝି ସହ ଅନ୍ୟ ଚାରିଜଣ ବେଲପଡା ଥାନା ଖଲ୍‌ଖଲି ଗାଁର ପୀତବାସ ବାଗ, ରମେଶ ମାଝି, ଧୁମାଭଟାର ତ୍ରିଲୋଚନ ରାଉତ ଓ କଂଟାବାଂଜି ଥାନା କଂଟାବାଂଜି ସତନାମିପଡାର ତ୍ରିଲୋଚନ ରାଉତ ଠାରୁ ମୋଟ ୨୮ଟି ମୋଟର ସାଇକଲ ଜବତ କରିଛି । ଚୋରୀ ହୋଇଥିବା ମୋଟ ୨୮ ଗୋଟି ମୋଟର ସାଇକଲରୁ ୧୪ଗୋଟି କଂଟାବାଂଜି ଥାନା ଓ ଅନ୍ୟ ୧୪ଗୋଟି କେସ୍‌ ବେଲପଡା ଥାନା ଓ ଅନ୍ୟାନ୍ୟ ଥାନାରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ କଂଟାବାଂଜି ଥାନା କେସ ନଂ. ୨୪୨ /୨୦୨୦ ଦ‘ା ୩୭୯ ଆଇ.ପି.ସି.ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ସ୍ୱତନ୍ତ୍ର ପୋଲିସ ଟିମରେ କଂଟାବାଂଜି ପୋଲିସ ଉପଖଣ୍ଡ ଅଧିକାରୀ ସରୋଜ କୁମାର ମହାପାତ୍ର ସହ କଂଟାବାଂଜି ଆଇ.ଆଇ.ସି. ସତ୍ୟଜିତ କନ୍ଦନକେଲ, ସବ୍‌ ଇନ୍ସପେକ୍ଟର ହୀରା ଖାଲଖୋ, ସବ୍‌ ଇନ୍ସପେକ୍ଟର ଗଙ୍ଗାଧର ମଲ୍ଲିକ, ଏ.ଏସ.ଆଇ. ପି.ଏନ.ଖୁଆସ, ଏ.ଏସ.ଆଇ. ବି.ପି. ସାଏ, ଟାଉନ ହାବିଲଦାର ସୁନିଲ ଦାସ, କନେଷ୍ଟେବଲ ବି.ସାହୁ, ହୋମଗାର୍ଡ ଜିତେନ୍ଦ୍ର ଖୁରା ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ । କଂଟାବାଂଜି ସହରରେ ଦିନକୁ ଦିନ ମୋଟର ସାଇକଲ ଚୋରି, ରାହାଜାନି ବୃଦ୍ଧିରେ ପୋଲିସର ସକ୍ରିୟ ପଦକ୍ଷେପ ସହ ଚତୁର୍ଥ ପର୍ଯ୍ୟାୟ ଧରପଗଡରେ ଏକା ସାଙ୍ଗରେ ୨୮ଟି ଚୋରି ମୋଟର ସାଇକଲ ଉଦ୍ଧାର ହୋଇଥିବାରୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଛି । ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଟାବାଂଜି ଆଇ.ଆଇ.ସି. ଶ୍ରୀ କନ୍ଦନକେଲ, ତୁରେକେଲା ଥାନା ଆଇ.ଆଇ.ସି. କମଳ ଲୋଚନ ବେହେରା, ବଙ୍ଗୋମୁଣ୍ଡା ଥାନା ଆଇ.ଆଇ.ସି. ପଂଚାନନ ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.