oom

ବଲାଙ୍ଗିରରେ ଆରକ୍ଷଣ ଦିବସ ପାଳନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଓବିସି ମଂଚ ଦ୍ୱାରା ସ୍ଥାନୀୟ ରାଜେନ୍ଦ୍ରପଡା ସ୍ଥିତ ଜିଲ୍ଲା ଓବିସି ମଂଚର ସଭାଗୃହରେ ମଂଚର ଉପସଭାପତି କିଶୋର ଚନ୍ଦ୍ର ସାଏଙ୍କ ଅଧ୍ୟକ୍ଷତାରେ ଆରକ୍ଷଣ ଦିବସ ପାଳିତ ହୋଇଯାଇଛି । ତତ୍‌କାଳୀନ କୋହ୍ଲାପୁର ରାଜ୍ୟର ମହାରାଜା ଛତ୍ରପତି ସାହୁଜୀ ମହାରାଜ ୧୯୦୨ ମସିହା ଆଜିର ଦିନରେ ତାଙ୍କ ରାଜ୍ୟର ଅନଗ୍ରସର(ଶୁଦ୍ର) ବର୍ଗଙ୍କ ସାମାଜିକ ଉତ୍ଥାନ ପାଇଁ ଶିକ୍ଷା ଓ ରାଜକୀୟ ଚାକିରିରେ ୫୦% ସ୍ଥାନ ସଂରକ୍ଷଣ ଦେଇ ଏକ ସମତାବାଦୀ ଗଣତାନ୍ତ୍ରିକ ସମାଜ ନିର୍ମାଣର ସୂତ୍ରପାତ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୁଲତା ସମାଜର ସଭାପତି ବେଲାର ସିଂ ଭୋଇ ଓ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଡୁମାଲ ସମାଜର ସାଧାରଣ ସମ୍ପାଦକ ମଲିଆ ଗଡୁଆ ଯୋଗଦେଇ ଛତ୍ରପତି ସାହୁଜୀ ମହାରାଜଙ୍କୁ ରାଷ୍ଟ୍ରପିତା, ରାଷ୍ଟ୍ରନିର୍ମାତା, ଆଧୁନିକ ଗଣତନ୍ତ୍ରର ପ୍ରତିଷ୍ଠାତା, ଜନନାୟକ ତଥା ପଛୁଆ ବର୍ଗ ସଂରକ୍ଷଣର ଜନକ ଭାବେ ତାଙ୍କୁ ଅଭିହିତ କରି ଓବିସି ଲୋକେ ତାଙ୍କ ପଦାଙ୍କ ଅନୁସରଣ କରି ବିକାଶ ପଥରେ ଆଗେଇବାକୁ ଆହ୍ୱାନ ଦେଇଥିଲେ । ମଂଚର ସମ୍ପାଦକ ପ୍ରଦେଶୀ ବିଶ୍ୱାଳ ଓଡିଶାରେ ପଛୁଆ ବର୍ଗର ଦୁର୍ଦ୍ଦଶା ଉପରେ ଆଲୋକପାତ କରି କହିଲେ – ଓଡିଶାରେ ଓବିସି ସଂରକ୍ଷଣ ଶୂନ । ପଂଚାୟତି ରାଜ ନିର୍ବାଚନରେ ଯେଉଁ ସଂରକ୍ଷଣ ମିଳୁଥିଲା ତାକୁ ବି ଲୁଟି ନେଲେ । ଓଡିଶାରେ ଓବିସିଙ୍କୁ ଶିକ୍ଷା, ଚାକିରି, ରାଜନୀତି ଆଦି ସବୁ କ୍ଷେତ୍ରରେ ଅନ୍ୟୁନ ୨୭% ସଂରକ୍ଷଣ ଦାବୀ ନେଇ ଓଡିଶା ରାଜ୍ୟ ଓବିସି ମଂଚର ନିର୍ଦ୍ଦେଶ କ୍ରମେ ଆଗାମୀ ୯ ଅଗଷ୍ଟ ୨୦୨୩ ଦିନ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ । ନିଜର ସାମ୍ବିଧାନିକ ହକର ଏହି ଲଢେଇରେ ଓବିସି ବର୍ଗ ଅନ୍ତର୍ଗତ ସବୁ ଜାତି ସମାଜର ସଭାପତି ଓ କର୍ମକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ଜିଲ୍ଲା ଭୁଲିଆ ସମାଜ କାର୍ଯ୍ୟକାରୀ ସଭାପତି ନିମାଇଁ ଚରଣ ମେହେର, ହଲଦିଆ ତେଲି ସମାଜର ସଭାପତି କ୍ଷୀରୋଦ୍ର କୁମାର ସାହୁ, ଗୌତମ ଖେତି, ଅର୍ଜୁନ ମୁଗ୍ରୀ, ସୁମନ୍ତ ମେହେର, ଆନନ୍ଦ ପଧାନ, ବ୍ରଜଭୂସଣ ସାଏ, ହିମାଂଶୁ ଶେଖର ବେହେରା, ଜଗନ୍ନାଥ ଖର୍ସେଲ, ପୂର୍ଣଚନ୍ଦ୍ର ବିଶ୍ୱାଳ, ମଞ୍ଜରୀ ପଟେଲ, ସରସ୍ୱତୀ ସାହୁ, ସୁବାସିନୀ ସାହୁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ତରଣୀସେନ ଦୀପ, ଗୋପବନ୍ଧୁ ଜାଲ, ଜଲନ୍ଧର ପଧାନ, ସାରଥୀ ପଟେଲ, ପାଣ୍ଡବ ପଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.